ଖୋର୍ଦ୍ଧା: ବେଆଇନ ଭାବେ କଟକର ବିଭିନ୍ନ ଅଂଚଳରୁ ବାଲି ରାଜ୍ୟ ବାହାରକୁ ଚାଲାଣ ହେଉଥିଲା। ଏବେ କଟକରେ ପୁଲିସ ଓ ରାଜସ୍ୱ ବିଭାଗର ସତର୍କତାମୂଳକ ପଦକ୍ଷେପ ନେବା ପରେ ବାଲି ମାଫିଆ ଖୋର୍ଦ୍ଧା ଦେଇ ବେଆଇନ ବାଲିଚାଲାଣର ନୂଆ ରାସ୍ତା ବାହାର କରିଛନ୍ତି। ଗତକାଲି ବାଙ୍କୀ-ଖୋର୍ଦ୍ଧା ରାସ୍ତାରୁ ଏକ ୧୬ ଚକିଆ ଟ୍ରକ୍ ଜବତ ହେବା ପରେ ଏହା ପଦାରେ ପଡ଼ିଛି।
ସୂଚନାନୁସାରେ, ଗତକାଲି ରାତି ସାଢ଼େ ଗୋଟାଏରେ ଏକ ୨୦ ଫୁଟିଆ ଟ୍ରକ୍ ବାଙ୍କୀ-ଖୋର୍ଦ୍ଧା ଜନାକୀର୍ଣ୍ଣ ରାସ୍ତା ଦେଇ ଆସୁଥିବା ସୂଚନା ପାଇ ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ, ପୁଲିସ ଓ ଅନ୍ୟ କର୍ମଚାରୀ ଟ୍ରକ୍କୁ ଅଟକାଇ କାଗଜପତ୍ର ଯାଂଚ କରିଥିଲେ। ତେବେ ଯାଂଚରେ ଅନ୍ୟ ରାଜ୍ୟକୁ ବାଲି ଚାଲାଣ ପାଇଁ ଆବଶ୍ୟକ ଅନୁମତି ନଥିବା ଜଣାପଡ଼ିଥିଲା। ଏନେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତିି ଯେ ଟ୍ରକଟିକୁ ଜବତ କରି ଖୋର୍ଦ୍ଧା ପୁଲିସ ବାରାକ୍ରେ ରଖାଯାଇଛି । ବାଙ୍କୀ ତହସିଲଦାରଙ୍କୁ ଏନେଇ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ।
ତେବେ ଗତ କିଛି ଦିନ ଧରି କଟକରେ ଧରପଗଡ଼ ଜୋରଦାର ଚାଲିଥିବା ବେଳେ ଆନ୍ତଃରାଜ୍ୟ ବାଲି ମାଫିଆ ଏବେ ଖୋର୍ଦ୍ଧା-ବଲାଙ୍ଗୀର ରାଜପଥ ଓ ବାଙ୍କୀ-ଖୋର୍ଦ୍ଧା ରାସ୍ତାକୁ ଚୟନ କରିଛନ୍ତି। ନୂଆ ରାସ୍ତାରେ ବାଲି ଚାଲାଣ ହେଉଥିବାରୁ ଏଥିପ୍ରତି ପୁଲିସ କିମ୍ବା ରାଜସ୍ୱ ବିଭାଗର ନଜର ପଡ଼ିନଥିଲା। ଗତକାଲିର ଘଟଣା ଖୋର୍ଦ୍ଧା ପ୍ରଶାସନ ପ୍ରତି ଏକ ଚେତାବନୀ ଭଳି ହୋଇଛି ତହସିଲଦାର ମଧ୍ୟ କହିଛନ୍ତିି ଯେ ସେ ଏଠାରେ ଯୋଗ ଦେବାର ୭ ମାସ ମଧ୍ୟରେ ଏଭଳି ବିପୁଳ ପରିମାଣରେ ବାଲି ଚାଲାଣ ପ୍ରଥମ ଥର ପାଇଁ ଠାବ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Illegal-sand-transportaion-truck-seized.jpeg)