ବାଲି ମାଫିଆ ପୁଣି ସକ୍ରିୟ: ଲିଜ୍‌ ବାହାରେ ଖୋଳି ନେଉଛନ୍ତି କୋଟି କୋଟି

ଝାରସୁଗୁଡ଼ା: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍ କରାଯାଇଥିଲା। ଏଥି ପାଇଁ ବ୍ୟବସାୟୀକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ, ଦୋକାନ, ବଜାର ଆଦି ବନ୍ଦ ରହିଥିଲା। ଯାହାର ସିଧାସଳଖ ପ୍ରଭାବ ଦେଶ ତଥା ରାଜ୍ୟର ଅର୍ଥନୀତି ଉପରେ ପଡ଼ିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସରକାରଙ୍କୁ ଏବେ ରାଜସ୍ବ ଅଭାବ ଚିନ୍ତାଘାରିଛି। ରାଜ୍ୟ ସରକାର ଏହି ଦୁର୍ବଳ ଅର୍ଥନୀତିର ମୁକାବିଲା ପାଇଁ ରାଜସ୍ବ ବୃଦ୍ଧି କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଆଉ ଏଥି ପାଇଁ ଲକ୍‌ଡାଉନ୍‌ ଜାରି ରହିଥିଲେହେଁ ଲଘୁ ଖଣିଜ ଦ୍ରବ୍ୟ କାରବାରକୁ ଅନୁମତି ପ୍ରଦାନ କରିଛନ୍ତି। ହେଲେ ସରକାରଙ୍କ ଏହି ନିଷ୍ପତି ଓଲଟା ପ୍ରଭାବପକାଇଛି।

ବେଧଡ଼କ ଭାବେ ଲଘୁ ଖଣିଜ ଲୁଟ୍‌ଯୋଗୁଁ ମୁନାଫାଖୋର ବେପାରୀ ମାଲାମାଲ ହେଉଥିବା ବେଳେ ଅନ୍ୟ ପଟେ ରାଜସ୍ବବୃଦ୍ଧି ଆଶାରେ ଥିବା ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇବାରେ ଲାଗିଛିନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ଲିଜଧାରୀଙ୍କ ସମ୍ପୃକ୍ତିରେ ବେଆଇନ ବାଲି କାରବାର କାହାକୁ ଅଛପା ରହି ନାହିଁ। ବିଗତ ବର୍ଷରେ ଇବ୍ ନଦୀରୁ ମାତ୍ରାଧିକ ପରିମାଣର ବାଲି ଉଠାଣ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ହେଲେଏନେଇ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ବାଲି ବେପାରୀ ମାନଙ୍କ ସାହାସ ଶହେ ଗୁଣବୃଦ୍ଧି ପାଇଛି। ଆଉ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ନଦୀରୁ ଲିଜ୍‌ଧାରୀ ମାନେ ବାର୍ଷିକ ପରିମାଣରୁ ବହୁ ଅଧିକ ପରିମାଣର ବାଲି ଲୁଟ୍‌ କରିବାରେ ସଫଳ ହୋଇଛନ୍ତି। ଅପରପକ୍ଷେ ବାଲି ଲୁଟ୍‌ କାରବାରରେ ସବୁଠାରୁ ବେଶୀ ପ୍ରଭାବିତ ହେଉଛନ୍ତି ରାଜ୍ୟ ସରକାର। ଲଘୁ ଖଣିଜ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ମାନେ ବାଲି ସଇରାତ ପରିଦର୍ଶନ କିମ୍ବା ଘାଟର ନିୟମିତ ଯାଂଚ କରୁନଥିବାରୁ ଲିଜ୍ ଅଂଚଳ ବାହାରୁ ପ୍ରଚୁର ମାତ୍ରାରେ ବାଲି ଖନନ କରାଯାଇ ହାଇୱାରେ ଦିନ ରାତି ଚାଲାଣ କରାଯାଉଛି।

ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଓ ପୋଡ଼ାଶୀ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷ ତମାମ ବାଲିର ଚାହିଦା ରହିଛି। ହେଲେ ବାଲି ଘାଟ ଗୁଡ଼ିକୁ ହାତେଇବା ପାଇଁ ନିଲାମୀରେ ଜିଲ୍ଲା ତଥା ଜିଲ୍ଲା ବାହାରର ବ୍ୟବସାୟୀ ଅଂଶ ଗ୍ରହଣ କରିଥାନ୍ତି। ହେଲେ ଗତ ୨୦୧୫ ମସିହାରୁ ବାଲିଘାଟ ପାଇଥିବା ଲିଜ୍‌ଧାରୀ ମାନେ ନିର୍ଭିକ ଭାବେ ବାଲି ଚାଲାଣ କରୁଥିବା ନେଇ ସାଧାରଣ ମହଲରେ ବାରମ୍ବାର ଅଭିଯୋଗ ଉଠିବାରେ ଲାଗିଛି। କିନ୍ତୁ ଜିଲ୍ଲା ପ୍ରଶାସନ ଏ ଦିଗରେ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଥିବାରୁ ୨୦୧୭ ମସିହା ପରଠାରୁ କୌଣସି ବଡ଼ ଧରଣର ଚଢ଼ଉ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ସଂଦେହ ସୃଷ୍ଟି ହୋଇଛି। ଶଙ୍କା ଇବ୍‌ ନଦୀର ବିଭିନ୍ନ ଘାଟରୁ ଲକ୍ଷଲକ୍ଷ ଘନ ମିଟର ବାଲି ଉଠାଣ କରାଯାଉଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିଲେହେଁ ସେନେଇ କାଁଭାଁ ଯାଂଚ କରାଯାଉଥିଲେ ସୁଦ୍ଧା ବେଆଇନ ବାଲି କାରବାରକୁ ମୂଳ ପୋଛ କରିବାରେ ପ୍ରଶାସନ ବିଫଳ ହୋଇଛି।

ସେପଟେ କେବଳ ଇବ୍ ନଦୀ ନୁହେଁ ରାଜପୁର ବସୁନ୍ଧରା ନଦୀକୁ ଲିଜ୍‌ଧାରୀ ଖୋଳ କରି ବାଲି ଲୁଟ୍‌ କରିବାରେ ଲାଗି ପଡ଼ିଛନ୍ତି। ବାଲି ଘାଟ ଗୁଡ଼ିକରେ ସୀମା କ୍ଷେତ୍ର ଚିହ୍ନଟ କରି ସେହି ଅଂଚଳରୁ ବାଲି ଖନନ କରିବାର ନିୟମ ରହିଛି। ହେଲେଏହାର ସମ୍ପୂର୍ଣ୍ଣ ବ୍ୟତୀକ୍ରମ ରାଜପୁର ନିକଟସ୍ଥ ବସୁନ୍ଧରା ନଦୀର ଚାରଭାଟି ବାଲିଘାଟରେ କରାଯାଉଥିବା ଅଭିଯୋଗ ହେଉଛି। ଲିଜ୍‌ ଅଂଚଳରୁ ପ୍ରାୟ ଦେଢ଼ କିମି ଭିତର କୋଇଲଗା ଏବଂ ବରପାଲି ଅଂଚଳକୁ ଲିଜ୍‌ଧାରୀ ମେସିନ ପୁରାଇ ସେଠାରୁ ଲକ୍ଷଲକ୍ଷ ଟନ୍‌ ବାଲି ଦୈନିକ ହାଇୱାରେ ଉଠାଣ କରାଯାଉଛି। ସେହି ପରି ବାଲିଘାଟର ଗଭୀରତା ପ୍ରାଥମିକତା ଦୃଷ୍ଟି ଅନୁସାରେ ଜଳସ୍ତର କିମ୍ବା ୩ ମିଟର ପର୍ଯ୍ୟନ୍ତ ରହିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାର୍ଗଦର୍ଶିକାରେ କଡ଼ାକଡ଼ି ଭାବେ ଉଲ୍ଲେଖ ରହିଛି। ହେଲେ ଚାରଭାଟି ବାଲିଘାଟରୁ ଏହି ନିୟମକୁ ସମ୍ପୁର୍ଣ ଭାବେ ଉଲଘଂନ କରାଯାଉଥିବାରୁ ବାଲି ପରିବହନ ସମୟରେ ହାଇୱା ଯାଉଥିବା ରାସ୍ତାଘାଟ ଓଦା ହୋଇ ଯାଇଥାଏ।

ଅନ୍ୟ ପଟେ ବର୍ଷ ତମାମ ସମ୍ପୂର୍ଣ୍ଣ ବସୁନ୍ଧରା ନଦୀରୁ ମେସିନ ଲଗାଇ ବାଲି ଖନନ ଜାରି ରହିଲେ ନଦୀର ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ସହିତ ଏହା ପରିବେଶ ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ରହିଛି। ଏହାର କୁପ୍ରଭାବ ଯୋଗୁଁ ଭୂତଳ ଜଳସ୍ତରରେ ମଧ୍ୟ ପ୍ରଭାବ ପକାଇବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ସେହି ପରି ଏହି କାରବାରରେ କିଛି ପ୍ରଭାବଶାଳୀଙ୍କ ଅନୁଗତ, ଅପରାଧ ପୃଷ୍ଠଭୂଇଁ ସହିତ ଜଡ଼ିତ ଯୁବକ ଏବଂ ଜିଲ୍ଲା ବାହାରର କେତେକ ମାଫିଆ ସାମିଲ ଥିବାରୁ ସ୍ଥାନୀୟ ଜନସାଧାରଣ ବିରୋଧ କରିବାକୁ ସାହାସ କରି ପାରୁନାହାନ୍ତିଁ।
ଅପରପକ୍ଷେ ବାଲି ଘାଟ ଗୁଡ଼ିକରେ ପ୍ରଶାସନିକ ଚଢ଼ଉ କେବଳ ଧର୍ମକୁ ଆଖିଠାର ଓ ଏହା କେବଳ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବାକୁ ଉଦ୍ଧିଷ୍ଟ ବୋଲି ଅଭିଯୋଗ ହୋଇଛି। ୨୦୧୭ ମସିହା ଇବ୍‌ ନଦୀ ଲହଣ୍ତାବୁଡ଼ ବାଲି ଘାଟରେ ହୋଇଥିବା ମିଳିତ ପ୍ରଶାସନିକ ଚଢ଼ାଉ ଭଳି ଏକ ଚଢ଼ାଉ କରାଯିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର