ପୁଲିସ ଉପସ୍ଥିତିରେ ବାଲି ମାଫିଆଙ୍କ ଉତ୍ପାତ; ରାଜସ୍ବ ନିରୀକ୍ଷକଙ୍କୁ ମାଡ଼ ମାରି ଲହୁଲୁହାଣ

ମାହାଙ୍ଗା: ମାହାଙ୍ଗା ତହସିଲ ଅନ୍ତର୍ଗତ ବିରୂପା ନଦୀର ବନାଘାଟ (ରାମଚନ୍ଦ୍ରପୁର)ରେ ଚଢ଼ଉ ସମୟରେ ଆଜି ଜଣେ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଆକ୍ରମଣର ଶିକାର ହୋଇଛନ୍ତି। ପୁଲିସ ଉପସ୍ଥିତିରେ ବାଲି ମାଫିଆମାନେ ସଂଘବଦ୍ଧ ଭାବେ ଆର୍‌ଆଇଙ୍କୁ ତଳେ ପକାଇ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମାହାଙ୍ଗା ‌ଅଞ୍ଚଳରେ ଦୀର୍ଘଦିନ ହେଲା ବାଲି ମାଫିଆମାନେ ଦିନ ଦ୍ବିପ୍ରହରରେ ବେଆଇନ ଭାବେ ବାଲି ଲୁଟ୍‌ କରୁଥିବା ନେଇ ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଏହାପରେ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି। ଆଜି ମଧ୍ୟାହ୍ନରେ ବିରୂପା ନଦୀର ବନାଘାଟ (ରାମଚନ୍ଦ୍ରପୁର)ରୁ ବେଆଇନ ଭାବେ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ବାଲି ଉଠା ଯାଉଥିବା ଖବର ମିଳିବା ପରେ ମାହାଙ୍ଗା ତହସିଲ୍‌ର ଏକ ସ୍ବତନ୍ତ୍ର ଟିମ ପୁଲିସ ସହାୟତାରେ ଚଢ଼ଉ କରିଥିଲା। ତହସିଲ କର୍ମଚାରୀମାନେ ଏକ ବାଲି ବୋଝେଇ ଟ୍ରାକ୍ଟର୍‌କୁ ଜବତ କରି ତହସିଲ୍‌କୁ ଆଣିବାର ବ୍ୟବସ୍ଥା କରୁଥିବା ବେଳେ ବାଲିଘାଟରେ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀଙ୍କ ସହ ମାଫିଆ ଗୋଷ୍ଠୀ ଯୁକ୍ତିତର୍କ କରିଥିଲେ। ପରେ ଏହି ଗୋଷ୍ଠୀ ପୁଲିସ ଉପସ୍ଥିତିରେ ମାହାଙ୍ଗା ରାଜସ୍ବ ନିରୀକ୍ଷକ ଗଣେଶ ହେମ୍ବ୍ରମଙ୍କୁ ତଳେ ପକାଇ ନିସ୍ତୁକ ମାଡ଼ ମାରିବା ସହ ମୁଣ୍ଡ ଫଟାଇ ଲହୁଲୁହାଣ କରି ଦେଇଥିଲେ।

ଏଥିସହ ସେମାନେ ଜବତ ଟ୍ରାକ୍ଟର୍‌କୁ ଛଡ଼ାଇ ନେଇଯାଇଥିଲେ ମଧ୍ୟ ପୁଲିସ ସେଠାରେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଗୁରୁତର ଅବସ୍ଥାରେ ଆହତ ରାଜସ୍ବ ନିରୀକ୍ଷକଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଷ୍ଟିଚ୍‌ ପକାଯିବା ସହିତ ଆବଶ୍ୟକ ଚିକିତ୍ସା କରାଯାଇଛି। ଏହାପରେ ଆହତ ଆର୍‌ଆଇ ଘଟଣା ସଂପର୍କରେ ମାହାଙ୍ଗା ତହସିଲଦାରଙ୍କୁ ଅବଗତ କରିଥିଲେ। ସନ୍ଧ୍ୟାରେ ତହସିଲଦାର ମଧୁସୂଦନ ନାୟକ ଏ ନେଇ ବାଗସରପୁର ଗ୍ରାମର ତମନ ସାହୁ, ପ୍ରୀତିରଂଜନ ସାହୁ, ଜ୍ୟୋତିରଂଜନ ସାହୁ, ଭାଗ୍ୟଧର ବେହେରା, ପ୍ରଶାନ୍ତ ସାହୁ, କେଦାର ସାହୁ, ଭାଗ୍ୟଧର ବେହେରାଙ୍କ ସମେତ ୩୦ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏ କାହାରିକୁ ଗିରଫ କରାଯାଇ ନ ଥିବା ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବା ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର