ବାଲିଘାଟରେ ମାତିଛନ୍ତି ମାଫିଆ: ୪ ମାସରେ ବୋହିନେଲେ ୧୮ ହଜାର କ୍ୟୁବିକ୍ ମିଟର

ଅବଧିର ୨ ମାସ ପୂର୍ବରୁ ସରିଗଲା ଟ୍ରାନଜିଟ୍ ପାସ

ରାୟଗଡ଼ା: ରାୟଗଡ଼ା ସହର ନିକଟ ବାଲିଘାଟରେ ମାତିଛନ୍ତି ମାଫିଆ। ସହରାଞ୍ଚଳ ବଦଳରେ ଜିଲ୍ଲା ଓ ରାଜ୍ୟ ବାହାରକୁ ବାଲି ଚାଲାଣ କରି କିକବ୍ୟାକ୍ କରିଛନ୍ତି କୋଟି କୋଟି ଟଙ୍କା। ତହସିଲ୍ କର୍ତ୍ତୃପକ୍ଷ ସବୁ ଜାଣି ଚୁପ୍ ରହିବା ସହ ମାଫିଆଙ୍କୁ ସୁରକ୍ଷା ଦେଉଥିବାରୁ ଲିଜ୍ ଅବଧି ପୂର୍ବରୁ ସରିଯାଇଛି ବାଲିଘାଟର ଟ୍ରାନଜିଟ୍ ପାସ୍। ଫଳରେ ରାୟଗଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ହେଉଥିବା ନିର୍ମାଣକାମ ପାଇଁ ବାଲି ମିଳୁନଥିବାରୁ ନିର୍ମାଣ ବାଧାପ୍ରାପ୍ତ ହୋଇଛି।

କେବଳ ରାୟଗଡ଼ା ସହରକୁ ବାଲି ଯୋଗାଣ ପାଇଁ ସହର ନିକଟରେ ଥିବା ତୁମ୍ବିଗୁଡ଼ା, ବେହେରାଗୁଡ଼ା ବାଲିଘାଟକୁ ରାଜସ୍ବ ବିଭାଗ ପକ୍ଷରୁ ଲିଜ୍ ସୂତ୍ରରେ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ତୁମ୍ବିଗୁଡ଼ା ବାଲିଘାଟରୁ ୩୦୦୦ କ୍ୟୁବିକ୍ ମିଟର ଏବଂ ବେହେରାଗୁଡ଼ା ଘାଟରୁ ୧୫୦୦୦ କ୍ୟୁବିକ୍ ମିଟର ବାଲି ଉଠାଣ ପାଇଁ ଲିଜଧାରୀଙ୍କୁ ତହସିଲ ପକ୍ଷରୁ ୱାଇ ଫର୍ମ (ଟ୍ରାନଜିଟ୍ ପାସ୍) ପ୍ରଦାନ କରାଯାଇଥିଲା। ଲିଜ୍ ଚୁକ୍ତି ହେବା ପରେ କରୋନା କାରଣରୁ ୨୦୨୦ ମାର୍ଚ୍ଚରୁ ବାଲିଘାଟ ବନ୍ଦ ରହିଥିଲା। ଅକ୍ଟୋବର ମାସରେ ସ୍ଥିତି ସ୍ବାଭାବିକ ହେବା ପରେ ନିର୍ମାଣ କାମ ପୁନଃ ଆରମ୍ଭ ହେବା ପରେ ବାଲିଘାଟରୁ ବାଲି ଖନନ ଆରମ୍ଭ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଏହି ଦୁଇ ବାଲିଘାଟରୁ ୧୮୦୦୦ କ୍ୟୁବିକ୍ ମିଟର ବାଲି ଖନନ କରି ଲିଜଧାରୀ ବିକ୍ରି କରି ଦେଇଥିବା ଜଣା ପଡିଛି। ରାୟଗଡ଼ା ସହରାଞ୍ଚଳକୁ ଏହି ଦୁଇ ଘାଟରୁ ୨୦ରୁ ୩୦ ପ୍ରତିଶତ ବାଲି ଆସିଥିବା ବେଳେ ବାକି ୭୦ ପ୍ରତିଶତ ବାଲି ଆନ୍ଧ୍ରକୁ ବୋହି ନେଇଛନ୍ତି ମାଫିଆ।

ଆନ୍ଧ୍ରରେ ନାଗାବଳୀ ନଦୀବାଲିର ଚାହିଦା ଢ଼େର ରହିଥିବାରୁ ଲିଜଧାରୀ ରାତାରାତି ଜେସିବି ମେସିନ୍ ସାହାଯ୍ୟରେ ନଦୀରୁ ବାଲି ଉଠାଇ ଟ୍ରାକ୍ଟର ସାହାର୍ଯ୍ୟରେ ରାସ୍ତା ପାର୍ଶ୍ବରେ ଏକାଠି କରି ସେଠାରୁ ହାଇୱା, ଟ୍ରକ୍ ମାଧ୍ୟମରେ ଆନ୍ଧ୍ରକୁ ଚାଲାଣ କରିଥିବା ଅଭିଯୋଗ ହୋଇଛି। ରାୟଗଡ଼ା ଅପେକ୍ଷା ଆନ୍ଧ୍ରରେ ବାଲି ଲୋଡ୍ ପିଛା ଚାରି ଗୁଣା ଅଧିକ ଦର ମିଳୁଥିବାରୁ ଲିଜ୍ ନିୟମାବଳୀକୁ ଉଲ୍ଲଂଘନ କରି ଅସାଧୁ ଅଫିସରଙ୍କୁ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ଲିଜଧାରୀ ଆନ୍ଧ୍ରକୁ ବାଲି ଚାଲାଣ କରିଛନ୍ତି। ଫଳରେ ଏହି ଦୁଇ ଘାଟର ୱାଇ ଫର୍ମ ମାର୍ଚ୍ଚ ମାସ ପୂର୍ବରୁ ସରି ଯାଇଛି। ଫେବ୍ରୁଆରୀରୁ ଏହି ଦୁଇ ଘାଟରୁ ବାଲି ଉଠାଇବାକୁ ଟ୍ରାକ୍ଟରକୁ ୱାଇ ଫର୍ମ ମିଳୁନଥିବାରୁ ସହରଠୁ ୧୫/୨୦ କିମି ଦୂରରେ ଥିବା ଘାଟରୁ ବାଲି ଆଣିବାକୁ ପଡ଼ୁଛି। ଫଳରେ ବାଲି ଦର ଅହେତୁକ ଭାବେ ବୃଦ୍ଧି ପାଇଛି।

ପୂର୍ବରୁ ଟ୍ରାକ୍ଟର ପିଛା ୮୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଅପରପକ୍ଷରେ ଟ୍ରାନଜିଟ୍ ପାସ୍ ନଥିବା ସତ୍ତ୍ବେ କିଛି ମାଫିଆ ତୁମ୍ବିଗୁଡ଼ା, ବେହେରାଗୁଡ଼ା ଘାଟରୁ ଟ୍ରାକ୍ଟର ପିଛା ୩୦୦ ଟଙ୍କା ଲେଖାଁଏ ଆଦାୟ କରି ବାଲି ଚୋରା ଚାଲାଣ ଜାରି ରଖିଛନ୍ତି। ପ୍ରତି ଟ୍ରାକ୍ଟରରେ ୩ କ୍ୟୁବିକ୍ ମିଟର ବାଲି ରହୁଥିବା ବେଳେ ସରକାରୀ ଦର ଅନୁଯାୟୀ ୧୦୫ ଟଙ୍କା ଲିଜଧାରୀ ଆଦାୟ କରିବା କଥା। ୧୦୫ ବଦଳରେ ଲିଜଧାରୀ ୩୦୦ ଟଙ୍କା ଆଦାୟ କରୁଥିବାରୁ ଟ୍ରାକ୍ଟର ମାଲିକ ଏହାର ଘୋର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଧାର୍ଯ୍ୟ ବାଲି ଖନନ ପରେ ବେହେରାଗୁଡ଼ା ଘାଟରୁ ବାଲି ଖନନ ବନ୍ଦ ହେବା କଥା। କିନ୍ତୁ ଲିଜଧାରୀ ବାଲି ଖନନ ଜାରି ରଖି ପାଇପ୍ ଫ୍ୟାକ୍ଟ୍ରି ପାଖରେ ମହଜୁଦ୍ ରଖି ରାତିଅଧିଆ ଆନ୍ଧ୍ରକୁ ଚୋରା ଚାଲାଣ କରୁଛନ୍ତି।

ସମ୍ବନ୍ଧିତ ଖବର