ଲଙ୍କାହୁଡ଼ା ବାଲିଘାଟରୁ ବେଧଡ଼କ ବାଲି ଚୋରି, ମାଫିଆ ମାଲାମାଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଇବ, ସଫେଇ ଓ ଅନ୍ୟ ନଦୀ ବାଲିଘାଟରୁ ବାଲି ଚୋରି ଥମିବାର ନା ନେଉ ନାହିଁ। ଦିନ ଦ୍ଵିପ୍ରହରରେ ପୋକଲିନ୍‌ ମେସିନ ଲଗାଇ ଟ୍ରକ, ଟିପ୍ପର ଓ ଟ୍ରାକ୍ଟରରେ ଶହ ଶହ ଟନ୍‌ ବାଲି ଚାଲାଣ ହେଉଛି। ସବୁଠାରୁ ବଡ଼ କଥା ହେଲା ବାଲି ଚୋରି ସମ୍ପର୍କରେ ରାଜସ୍ୱ ବିଭାଗ ଜାଣୁଥିଲେ ମଧ୍ୟ ବାଲି ଚୋରଙ୍କ ଉପରେ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସ୍ଥାନୀୟ ଲୋକେ ବାଲି ଚୋରିକୁ ବିରୋଧ କରିବା ଓ ଅନେକ ସମୟରେ ବାଲି ବୋଝେଇ ଗାଡ଼ିଗୁଡ଼ିକୁ ଅଟକ ରଖି ତହସିଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ବାଧ୍ୟବାଧକତାରେ ଜରିମାନା କରୁଥିଲେ ମଧ୍ୟ ଗାଡ଼ିଗୁଡ଼ିକୁ ଜବତ ନକରି ଛାଡ଼ି ଦେଉଥିବା ଦେଖାଯାଇଛି।

ଏବେ ଗତ ୩ ଦିନ ହେଲା ଇବ୍‌ ନଦୀ ଲଙ୍କାହୁଡ଼ା ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଘାଟକୁ ରାଜୀବ ଲୋଚନ ପଟେଲ ନାମକ ଜଣେ ବ୍ୟକ୍ତି ନିଲାମ ନେଇଥିଲେ ମଧ୍ୟ ଏଯାଏ ତାହା ତାଙ୍କୁ ହସ୍ତାନ୍ତର ହୋଇ ନାହିଁ। ଏହାର ସୁଯୋଗ ନେଇ କିଛି ଲୋକ ପୋକଲିନ ଲଗାଇ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ କରୁଛନ୍ତି। ସକାଳ ୫ଟା ଓ ଅପରାହ୍ନ ୫ଟାରେ ଘାଟରେ ପୋକଲିନ ଯୋଗେ ବାଲି ଉଠାଇ ଟ୍ରାକ୍ଟରରେ ବୋଝେଇ କରି ସୁନ୍ଦରଗଡ଼ ସହର ସମେତ ବିଭିନ୍ନ ଅଞ୍ଚଳକୁ ବାଲି ଚାଲାଣ କରାଯାଉଛି। ରାତି ଯାଏ ବାଲି ଚାଲାଣ ହେଉଥିଲେ ମଧ୍ୟ ରାଜସ୍ୱ ବିଭାଗର ସ୍କ୍ଵାଡ୍‌ ନିରବ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହା ପୂର୍ବରୁ ସବଡେଗା ତହସିଲର ଭୋଜପୁର, ଗିଲକୁଦର ଇବ୍‌ ଘାଟରୁ ବର୍ଷ ବର୍ଷ ଧରି ଶହ ଶହ ଟନ୍‌ ବାଲି ଚୋରା ଚାଲାଣ ହେଉଥିଲା। ପ୍ରତିଦିନ ବାଲି ଚାଲାଣ ହେଉଥିଲେ ମଧ୍ୟ ବିଭାଗ ନିରବରେ ବସି ରହୁଥିବାରୁ ବିଭାଗୀୟ କାର୍ଯ୍ୟଶୈଳୀକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ବାଲିଘାଟକୁ ଜାଣିଶୁଣି ନିଲାମ କରାଯାଇ ନଥିବାରୁ ଏହାର ସୁଯୋଗ ନେଇ ବାଲି ମାଫିଆମାନେ ପୋକଲିନ ମେସିନରେ ବାଲି ଉଠାଇ ହାଇୱାରେ ସୁନ୍ଦରଗଡ଼, ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ ଏପରିକି ବହୁ ଦୂର ରାଜ୍ୟକୁ ମଧ୍ୟ ଚଢ଼ା ଦରରେ ଚାଲାଣ କରି ମାଲାମାଲ ହେଉଥିବା ଚର୍ଚ୍ଚା ହେଉଥିଲା।

ଗତ ସେପ୍ଟେଟରରେ ଗିଲକୁଦର ଠାରେ ଲୋକେ ବାଲି ଚୋରିକୁ ବିରୋଧ କରି ପୋକଲିନ ଓ ହାଇୱାକୁ ଅଟକ ରଖି ତହସିଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। କିନ୍ତୁ ତହସିଲ କର୍ତ୍ତୃପକ୍ଷ ନାମକୁ ମାତ୍ର ଜରିମାନା କରି ଗାଡ଼ିଗୁଡ଼ିକୁ ଛାଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ବହୁ ଦାବି ହେବା ପରେ ସବଡେଗା ତହସିଲ ପକ୍ଷରୁ ଉକ୍ତ ବାଲିଘାଟିଗୁଡ଼ିକର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତଥାପି ଇବ୍‌ ନଦୀରେ ବାଲି ଚୋରି ବେଧଡ଼କ ଚାଲିଛି।

ସମ୍ବନ୍ଧିତ ଖବର