ଖିଲିମିସିଗୁଡ଼ାରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ, ଷ୍ଟେସନ୍ ସର୍ଭେ କଲା ଖଣି ଓ ଭୂତତ୍ତ୍ବ ବିଭାଗ

ରାଜସ୍ବ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଲା ଚେକଗେଟ୍, ମୁତୟନ ହେଲେ ବିଭାଗୀୟ ଅଧିକାରୀ, ପୁଲିସ୍ କର୍ମଚାରୀ

ରାୟଗଡ଼ା: ରାୟଗଡ଼ା ତହସିଲ ଖିଲିମିସିଗୁଡା ବାଲିଘାଟରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖଣି ଓ ଭୂତତ୍ତ୍ବ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେସନ ସର୍ଭେରେ ଲିଜ୍ ଅଞ୍ଚଳରୁ ଚୁକ୍ତି ଅନୁଯାୟୀ ବାଲି ଉଠିଛି ନା ବାଲି ଉଠାଣରେ ଅନିୟମିତତା ହୋଇଛି ସେ ନେଇ ବୈଷୟିକ ତଦନ୍ତ କରୁଛି ଟିମ୍। ତଦନ୍ତ ଟିମରେ ଭୂତତ୍ତ୍ବ ବିଭାଗ ଉପନିର୍ଦେଶକ ମନୋଜ କୁମାର ଓରାମ୍, ଖଣି ବିଭାଗ ଆରକ୍ୟୁପି (ରିର୍ସୋସ କ୍ବାଲଟି ପର୍ସନ୍) ଅମୀୟ ବରାଳଙ୍କ ସହ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ସାମିଲ୍ ହୋଇଛନ୍ତି।

୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୩-୨୪ ପର୍ଯ୍ୟନ୍ତ ଏହି ବାଲିଘାଟକୁ ଲିଜ୍ ଆକାରରେ ପ୍ରଦାନ କରାଯାଇଛି। ୫ ବର୍ଷରେ ଲିଜଧାରୀ ୪୨ ହଜାର ୮୭୩ କ୍ୟୁବିକ ମିଟର ବାଲି ଉଠାଇବାକୁ ଚୁକ୍ତି ହୋଇଛି। ପ୍ରତି ବର୍ଷ ଲିଜଧାରୀ ସର୍ବାଧିକ ୭ ହଜାର ୮୫୬ କ୍ୟୁବିକ ମିଟର ବାଲି ଉଠାଇବାର ନିୟମ ରହିଛି। ତେବେ ଚୁକ୍ତିନାମାର ଉଲ୍ଲଂଘନ କରି ନଦୀଶର୍ଯ୍ୟାରୁ ମାସକ ମଧ୍ୟରେ ଲିଜଧାରୀ ଜେସିବି ମେସିନ୍ ସାହାର୍ଯ୍ୟରେ ହଜାର ହଜାର କ୍ୟୁବିକ ମିଟର୍ ବାଲି ଉଠାଇ ଆନ୍ଧ୍ରକୁ ଚୋରା ଚାଲାଣ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପ‌ାଇଥିଲା।

ଖବର ପ୍ରକାଶ ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ବାଲି ଚୋରା ଚାଲାଣର ତଦନ୍ତ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ବେଆଇନ ବାଲି ଚାଲାଣର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପରେ ଷ୍ଟେସନ ସର୍ଭେ ପାଇଁ ସରକାର ନିର୍ଦେଶ ଦେଇଥିଲେ।

ତଦନ୍ତକାରୀ ଟିମ୍ ଖିଲିମିସିଗୁଡା ବାଲିଘାଟରେ ପହଞ୍ଚି ଲିଜ୍ ଚୁକ୍ତିନାମା ପରଠୁ ଲିଜଧାରୀ କେତେ ପରିମାଣର ବାଲି ଉଠାଇଛନ୍ତି, ନଦୀଶର୍ଯ୍ୟା ଓ ଘାଟରୁ ଉଠିଥିବା ବାଲି କେଉଁ ଅଞ୍ଚଳକୁ ଚାଲାଣ ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି। ତଦନ୍ତ ସମୟରେ ଲିଜଧାରୀଙ୍କ ସମେତ ରାଜସ୍ବ ନୀରିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ଷ୍ଟେସନ ସର୍ଭେ ପୂର୍ବରୁ ପଦକ୍ଷେପ ସ୍ବରୂପ ତହସିଲ ପକ୍ଷରୁ ବାଲି ଚୋରା ଚାଲାଣ ରୋକିବାକୁ ବାଲିଘାଟକୁ ସ‌ଂଯୋଗ ହୋଇଥିବା ରାସ୍ତାରେ ଚେକ୍ ଗେଟ୍ ନିର୍ମାଣ କରାଯାଇଛି। ଚେକ୍ ଗେଟରେ ରାଜସ୍ବ ବିଭାଗର ଜଣେ ଅଧିକାରୀ, ପୁଲିସ୍ କର୍ମଚାରୀ ସହ ଲିଜଧାରୀଙ୍କ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି। ଘାଟରୁ ବାଲି ଲୋଡ୍ କରି ଆସୁଥିବା ପ୍ରତ୍ୟେକ ଗାଡ଼ିର ୱାଇ୍ ଫର୍ମ ଯାଞ୍ଚ ପରେ ହିଁ ଗାଡ଼ି ଗୁଡ଼ିକୁ ଯିବାକୁ ଅନୁମତି ମିଳୁଛି।

ସୂଚନାଯୋଗ୍ୟ, ଲକଡାଉନ୍ ସମୟରେ ଲିଜଧାରୀ ରାତି ଅଧିଆ ଘାଟରୁ ବାଲି ଉଠାଇ ଆନ୍ଧ୍ରକୁ ‌ଚୋରା ଚାଲାଣ କରିଥିବାର ଅଭିଯୋଗ ହୋଇଥିଲା। ଏପରିକି ଚଞ୍ଚକତା କରି ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ତହସିଲର ଜାଲ୍ ୱାଇ ଫର୍ମ ଜରିଆରେ ଶହ ଶହ ଟ୍ରକ୍ ବାଲି ଆନ୍ଧ୍ରକୁ ଚାଲାଣ ହୋଇଛି। ଜାଲ୍ ୱାଇ ଫର୍ମ ଆନ୍ଧ୍ରରେ ଧରା ପଡ଼ିବା ପରେ ଏ ନେଇ ଗୋଲମୁଣ୍ଡା ତହସିଲଦାର ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର