ରୋଜଗାର ନୁହେଁ, ଗରିବଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି ସଂଗୀତା

ଭଦ୍ରକ: ଟଙ୍କା ରୋଜଗାର କରିବା ମୋର ଲକ୍ଷ୍ୟ ନୁହେଁ। କରୋନା ଭୂତାଣୁର ଭୟ ସମଗ୍ର ବିଶ୍ବକୁ ଡରାଇ ଦେଇଥିବା ବେଳେ ଲୋକ ପ୍ରତିମୂହୁର୍ତ୍ତରେ ଶଙ୍କାଗ୍ରସ୍ତ ରହିଛନ୍ତି। କରୋନା ପାଇଁ ଲୋକଙ୍କୁ ସରକାର ସବୁକ୍ଷେତ୍ରରେ ସହଯୋଗ କରି ଆସୁଥିବା ବେଳେ ଡାକ୍ତର ନର୍ସମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଛନ୍ତି। କରୋନା ପାଇଁ କୌଣସି ଔଷଧ ନାହିଁ। ସଂଗରୋଧ ଓ ମୁହଁରେ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟ କରିବା ପରେ ମୋ ମନକୁ କାହିଁକି ଆସିଲା, ଯେଉଁମାନେ ଗରିବ ଲୋକ ସେମାନେ ମାସ୍କ କେଉଁଠୁ ଆଣିବେ।

ସହର ବଜାରକୁ ତ ସେମାନେ ଲକ୍ ଡାଉନ୍ ସମୟରେ ଯାଇପାରୁ ନାହାନ୍ତି। ତେଣୁ ମୋ ଦ୍ବାରା ଓ ଆମ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଯାହା କିଛି ଲୋକଙ୍କୁ ସହାୟତା ଦେଇହେବ। ତାହା ଚିନ୍ତାକରି ଗରିବ ଲୋକଙ୍କୁ କିଭଳି ମାଗଣାରେ ମାସ୍କ ତିଆରି କରି ଦେଇ ପାରିବୁ। ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତର ଚୂନିଦା ଗାଁର ‌ଚନ୍ଦନେଶ୍ବର ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଂପାଦିକା ସଂଗୀତା ମହାରଣା ଓ ତାଙ୍କ ସ୍ବାମୀ ନାରାୟଣ ମହାରଣାଙ୍କ ଉଦ୍ୟମରେ ୨ଟି ଟେଲର ମେସିନରେ ମାସ୍କ ତିଆରି କରିବା ଆରମ୍ଭ କରି ଆଜକୁ ୧୧ ଦିନ ହେବ ନିକଟସ୍ଥ ଗ୍ରାମର ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟି ଦେଉଛନ୍ତି।

ଗୋଟିଏ ମାସ୍କ ତିଆରି କରିବା ପାଇଁ ସେମାନଙ୍କୁ କପଡା ଓ ସିଲେଇ ମଜୁରୀ ସହ ୧୦ଟଙ୍କା ପାଖାପାଖି ଖର୍ଚ୍ଚ ହେଉଛି। ଏବେ ସୁଦ୍ଧା ଏଇ ଏସଏସଜି ଗ୍ରୁପ୍ ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ୍ବ ମାସ୍କ ତିଆରି କରି ଗରିବ ଲୋକଙ୍କୁ ଦିଆଯାଇଛି। ସେହିପରି ପ୍ରତିଦିନ ବିକ୍ରି ପାଇଁ ମଧ୍ୟ ୫ ଶହରୁ ଉର୍ଦ୍ଧ୍ବ ମାସ୍କର ଅଡର ଆସୁଛି। ବଜାରରେ ଏଇ ମାସ୍କକୁ ୧୫ଟଙ୍କାରେ ବିକ୍ରି କରାଯାଉଛି। ମାସ୍କ ବିକ୍ରି କରିବା ଆମର ମୂଳ ଉଦ୍ଦେଶ୍ୟ ନୁହେଁ। ଯେତେ ଗରିବ ଲୋକ ଆମଦ୍ବାରା‌ ଉପକୃତ ହେବେ ଆମର ଶ୍ରମ ସାର୍ଥକ ହେବ ବୋଲି ସଂଗୀତା ସମ୍ବାଦକୁ ସାକ୍ଷାତକାରରେ କହିଛନ୍ତି।

ସଂଗୀତାଙ୍କ ସହ ତାଙ୍କ ଗୃପର ଅନ୍ୟ ସଦସ୍ୟମାନେ ମଧ୍ୟ ତାଙ୍କୁ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତ। କେବଳ ମାସ୍କ ତିଆରି କଥା ନୁହେଁ, ଲୋକଙ୍କୁ ମଧ୍ୟ ହାତ ଧୂଆ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବୁଝାଉଛି। ସଂଗୀତାଙ୍କର ଏଇ ମହତ କାମ ପାଇଁ ତାଙ୍କୁ ବିଭିନ୍ନ ବର୍ଗରୁ ଅଭିନନ୍ଦନ ଜଣାଯାଇଛି।

ସମ୍ବନ୍ଧିତ ଖବର