ରାଉରକେଲା: ରାଉରକେଲା ବିମାନ ସେବାକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା ଏବେ ତାହା ସତ୍ୟରେ ପରିଣତ ହୋଇଛି। ରାଉରକେଲା-ଭୁବନେଶ୍ବର‌ ମଧ୍ୟରେ ଚାଲିଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ହେଉ ବା ବିମାନବନ୍ଦରରେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌ (ଆଇଏଲ୍‌ଏସ୍‌) ନଥିବା ହେତୁ ହେଉ, ଉଡ଼ାଣ ବାତିଲ ହେବା ନିୟମିତ ଘଟଣା ପାଲଟି ଗଲାଣି। ଗତ ଦୁଇ ସପ୍ତାହ ଭିତରେ ୫ ଥର ବିମାନ ସେବାକୁ ବାତିଲ କରାଯାଇଛି। କେତେବେଳେ ବିମାନର କବାଟ, ଚକରେ ତ୍ରୁଟି ଦେଖିବାକୁ ମିଳୁଛି। ଆଉ କେତେବେଳେ ପାଗ ଖରାପ ହେଲେ ଆଇଏଲ୍‌ଏସ୍‌ ଯୋଗୁଁ ବିମାନର ଅବତରଣ ସମ୍ଭବ ହେଉନି। ପାଣିପାଗ ସାମାନ୍ୟ ବିଗିଡ଼ିଲେ ବିମାନ ବାତିଲ ହେଉଥିବାରୁ ଯାତ୍ରୀମାନେ ଏହି ବିମାନବନ୍ଦର ଉପରୁ ଆସ୍ଥା ହରାଉଛନ୍ତି।

Advertisment

ଶନିବାର କ୍ରମାଗତ ଦ୍ବିତୀୟ ଦିନ ପାଇଁ ବିମାନ ସେବା ବାତିଲ ହୋଇଛି। ଫଳରେ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଟିକେଟ୍‌ କାଟିଥିବା ୨୨ ଯାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଗତ ୭ ତାରିଖରେ ମଧ୍ୟ ବିମାନ ବାତିଲ ହୋଇଥିଲା। ଗତକାଲି ୩୦ ଜଣ ଯାତ୍ରୀ ଟିକେଟ୍‌ ସଂରକ୍ଷିତ କରିଥିଲେ। ବିମାନସେବା ପ୍ରଦାନକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌ ପକ୍ଷରୁ କବାଟରେ ବୈଷୟିକ ତ୍ରୁଟି ଦର୍ଶା ଯାଇଥିଲା। ଏହାର ଦୁଇଦିନ ପୂର୍ବରୁ  ଅର୍ଥାତ୍‌ ଗତ ୫ ତାରିଖରେ ମଧ୍ୟ ବିମାନ ଉଡ଼ିପାରି ନଥିଲା। ଉକ୍ତ ଦିନ ଯାତ୍ରା କରିବାକୁ ୩୭ ଜଣ ଟିକେଟ୍‌ କାଟିଥିଲେ। ବିମାନ ଚକରେ ମରାମତି ଆବଶ୍ୟକ ଦର୍ଶାଇ ସେବାକୁ ବାତିଲ କରାଯିବାରୁ ଯାତ୍ରୀଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିଭଳି ଜୁନ ଶେଷ ସପ୍ତାହରେ ମଧ୍ୟ ଦୁଇ ଦିନ ବିମାନ ବାତିଲ ହୋଇଥିଲା। ନିୟମିତ ବ୍ୟବଧାନରେ ବାତିଲ ହେଉଥିବାରୁ ଯାତ୍ରୀଙ୍କ ଭରସା ତୁଟିବାରେ ଲାଗିଛି। ପ୍ରକାଶଥାଉକି, ବିମାନ ସେବା ଆରମ୍ଭ ହେବା ବେଳକୁ ପାଖାପାଖି ୭୦% ସିଟ୍‌ ସଂରକ୍ଷିତ ରହୁଥିଲା। ଏବେ ଏହା ୩୦%କୁ ଖସିଲାଣି। ଭିନ୍ନଭିନ୍ନ କାରଣଦର୍ଶାଇ ବାତିଲ କରାଯାଉଥିବାରୁ ଲୋକେ ଟ୍ରେନ୍‌ରେ ଯାତ୍ରା କରିବାକୁ ପ୍ରାଥମିକତା ଦେଲେ‌ଣି। ଏହି ସମସ୍ୟାର ସମାଧାନ କରା ନଗଲେ, ଆଗାମୀ ଦିନରେ ଯାତ୍ରୀ ସଂଖ୍ୟା ଏକ ଅଙ୍କକୁ ଖସିବାର ଆଶଙ୍କା ରହିଛି।