ବାରିପଦା: ବଜାରରେ ବର୍ତ୍ତମାନ ହ୍ୟାଣ୍ଡ୍ ସାନିଟାଇଜର୍ର ଅଭାବ ଦେଖାଦେଇଛି। ମାତ୍ର ହସ୍ପିଟାଲରେ କର୍ତ୍ତବ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ କିନ୍ତୁ ଏହାର ଆବଶ୍ୟକତା ଢେର୍ ରହିଛି। ସେଥିପାଇଁ ଏହି ଅଭାବକୁ ଦୂର କରିବାକୁ ଆଗେଇ ଆସିଛି ପିଆର୍ଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ଫାର୍ମାକୋଲୋଜି ବିଭାଗ। ଏହି ବିଭାଗ ମୁଖ୍ୟ ପ୍ରଫେସର୍ ଡ. କାଳିପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ବରେଏହି ବିଭାଗର ଚିକିତ୍ସକ ଓ ଛାତ୍ରଛାତ୍ରୀ ଡବ୍ଲ୍ୟୁଏଚ୍ଓ ଫର୍ମୁଲା-୧ ଅନୁସାରେ ହ୍ୟାଣ୍ଡ୍ ସାନିଟାଇଜର୍ ପ୍ରସ୍ତୁତ କରିଛନ୍ତି। ଏଥି ନିମନ୍ତେ ଆବଶ୍ୟକ ଉପାଦାନ ପିଆରଏମ୍ ଡିନ୍ ଏବଂ ଅଧୀକ୍ଷକଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଷ୍ଟୋର୍ ମେଡିକାଲ୍ ଅଧିକାରୀଙ୍କ ପକ୍ଷରୁ ଯୋଗାଇଦିଆଯାଇଥିଲା।
ଦୁଇ ଦିନରେ ଏହି ସାନିଟାଇଜର୍କୁ ପ୍ରସ୍ତୁତ କରାଯାଇଛି। ପ୍ରସ୍ତୁତିର ୭୨ ଘଣ୍ଟା ଅର୍ଥାତ ତିନି ଦିନ ପରେ ଏହାକୁ ବ୍ୟବହାର କରାଯାଇପାରିବ। ପ୍ରଥମ ପଦକ୍ଷେପରେ ସାଢ଼େ ତିନି ଲିଟର ସାନିଟାଇଜର୍ ପ୍ରସ୍ତୁତ କରାଯାଇଛି। ୯୬ ପ୍ରତିଶତ ଇଥାଇଲ୍ ଆଲ୍କହଲ୍, ୩ ପ୍ରତିଶତ ହାଇଡ୍ରୋଜେନ୍ ପେରକ୍ସସାଇଡ୍ ୩, ୯୮ ପ୍ରତିଶତ ଗ୍ଲିସେରିନ୍ ଏବଂ ଡିସ୍ଟେଲ ୱାଟର୍ର ଉପଯୁକ୍ତ ସମ୍ମିଶ୍ରଣରେ ଏହି ଉତ୍ପାଦ ପ୍ରସ୍ତୁତ କରାଯାଇପାରିଥିବା ଜଣାପଡ଼ିଛି। ତେବେ ଏହା କେବଳ ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ବ୍ୟବହାର କରାଯିବ।
ଏହାକୁ ବାହାରେ ବ୍ୟବହାର କରାଯାଇପାରିବ ନାହଁ। ଏହି ସାନିଟାଇଜର୍ ପ୍ରସ୍ତୁତିରେ ବାୟୋକେମିଷ୍ଟ୍ରି ଏବଂ ପାଥୋଲୋଜି ବିଭାଗ ମଧ୍ୟ ସହଯୋଗ କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଜରୁରୀକାଳିନ ପରିସ୍ଥିତିରେ ସାନିଟାଇଜର୍ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ ଉପାଦାନ ଯୋଗାଇଦିଆଗଲେ ପିଆର୍ଏମ ନିମନ୍ତେ ଆବଶ୍ୟକ ସାନିଟାଇଜର୍ ପ୍ରସ୍ତୁତ କରାଯାଇପାରିବ। ଡବ୍ଲ୍ୟୁଏଚ୍ଓ ପକ୍ଷରୁ ପ୍ରଦତ୍ତ ସମସ୍ତ ତଥ୍ୟ ଅଧ୍ୟୟନ ଏବଂ ଅନୁଧ୍ୟାନ କଲାପରେ ଏହାକୁ ପ୍ରସ୍ତୁତ କରାଯାଇଛି।
ବାରିପଦାର ପିଆରଏମ ମେଡିକାଲ୍ରେ ନିଜସ୍ବ ଆବଶ୍ୟକତାକୁ ପୂରଣ କରିବାକୁ ସ୍ବକୀୟ ଭାବେ ସାନିଟାଇଜର୍ ପ୍ରସ୍ତୁତି ଉତ୍ସାହ ଆଣିଦେଇଛି। କାରଣ ଏହି ଲକ୍ଡାଉନ ଏବଂ କରୋନାର ପ୍ରଭାବ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ରହିବ । ଏହା ଅନ୍ତତଃ ସ୍ବାସ୍ଥ୍ୟକର୍ମୀ ଏବଂ ଚିକିତ୍ସକଙ୍କ ସାନିଟାଇଜର୍ ଆବଶ୍ୟକତାକୁ ପୂରଣ କରିପାରିବ। ଯାହାକି ବର୍ତ୍ତମାନ ପରିସ୍ଥିତି ପରିପ୍ରେକ୍ଷୀରେ ନିହାତି ଉତ୍ସାହଜନକ ଘଟଣା ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/bpd1.jpg)