ବାରିପଦା: କରୋନା ଲଢ଼େଇରେ ନିଜର ଅବଦାନ ରଖିଛନ୍ତି ବାରିପଦା ବିଦ୍ୟୁତ ବିଭାଗରେ ଜଣେ ଲାଇନମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ବିଜେନ୍ଦ୍ର ଗିରି(୩୧)। ନିଜର ସମ୍ପର୍କୀୟ ଭାଇ ସୁରଜ କୁଅଁର(୨୫)ଙ୍କ ସହଯୋଗରେ ମାତ୍ର ଦେଢ଼ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚ ଏବଂ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିଛନ୍ତି ବିଶୋଧନାଗାର ଗୃହ। ଏହାର ନାମ ରଖିଛନ୍ତି ଦିଲ୍ ସେ ମୟୂରଭଞ୍ଜିଆ। ୭ଫୁଟ୍ ଉଚ୍ଚତା, ସାଢ଼େ୪ ଫୁଟ୍ ଚଉଡ଼ା ଏବଂ ୬ଫୁଟ୍ ଲମ୍ବରେ ନିର୍ମିତ ଏହି ସ୍ୱଦେଶୀ ବିଶୋଧନାଗାର ଗୃହକୁ ତିଆରି କରିବାରେ ମାତ୍ର ୮ହଜାର ୭ଶହ ଟଙ୍କା ଖର୍ଚ୍ଚ ହୋଇଛି।
ସ୍ଥାନୀୟ ବଜାରରେ ଉପଲବ୍ଧ ଅଳ୍ପକିଛି ଯନ୍ତ୍ରାଂଶ ଓ ଉପକରଣ ସହାୟତାରେ ନିର୍ମିତ ଏହି ବିଶୋଧନାଗାର ମେସିନ୍ କରୋନା କବଳରୁ ସାଧାରଣ ଲୋକଙ୍କୁ ରକ୍ଷା କରିବାରେ ବେଶ୍ ସହାୟକ ହୋଇପାରିବ ବୋଲି ବିଜେନ୍ଦ୍ର ଆଶାପ୍ରକଟ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ସରଳ ଲୋକମାନେ କରୋନା ସମୟରେ ନିଜକୁ ବିଶୋଧନ ରଖିବାନେଇ ବିଶେଷ ସଚେତନ ନୁହନ୍ତି । ସେମାନେ ତିଆରି କରିଥିବା ଏହି ଗୃହ କିନ୍ତୁ ଏଥିନିମନ୍ତେ ବିଶେଷ ସହାୟକ ହୋଇପାରିବ। ଏହା ଭିତରକୁ ଜଣେ ପଶିଲେ ମାତ୍ର ୧୦ସେକେଣ୍ଡ୍ ମଧ୍ୟରେ ବିଶୋଧନ ସ୍ପ୍ରେ ମାଧ୍ୟମରେ ସ୍ୱଚ୍ଛ ହୋଇପାରିବେ।
ଅଟୋମେଟିକ୍ କିମ୍ବା ମାନୁଆଲ୍ ଭାବେ ଏହାକୁ ପରିଚାଳନା କରାଯାଇପାରିବ। ମାନୁଆଲ୍ ଭାବେ ଏହି ଗୃହରେ ଏକ ଫୁଟ୍ ପେଡାଲ୍ ରଖାଯିବ। ଏହା ସହାୟତାରେ ଜଣେ ଏହା ଭିତରକୁ ଯାଇ ନିଜକୁ ପ୍ରଶାସନର ଅନୁମତିପ୍ରାପ୍ତ ଯେକୌଣସି ବିଶୋଧନଯୁକ୍ତ କେମିକାଲ୍ ସ୍ପ୍ରେ ମାଧ୍ୟମରେ ଶୋଧ କରିପାରିବେ। ଆଉ ଅଳ୍ପ କିଛି ଖର୍ଚ୍ଚ କରି ଏହି ବିଶୋଧନାଗାର ଗୃହରେ ଏକ ମୋସନ୍ ସେନ୍ସର ସଂଯୁକ୍ତ କଲେ ଏହାର ଉପଯୋଗିତା ଆହୁରି ବଢ଼ିଯିବବୋଲି ବିଜେନ୍ଦ୍ର ମତ ରଖିଛନ୍ତି। ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହାକୁ ହସ୍ପିଟାଲ କିମ୍ବା ଯେକୌଣସି ସର୍ବସାଧାରଣ ସ୍ଥାନରେ ରଖି ଏହାକୁ ବ୍ୟବହାର କରିବାକୁ ବିଜେନ୍ଦ୍ର ଅନୁରୋଧ କରିଛନ୍ତି। ଏଥିରେ ପ୍ରଶାସନ ପକ୍ଷରୁ ନିରାପଦ ଯେକୌଣସି ରାସାୟନିକ ଉପାଦାନ ବ୍ୟବହାର କରାଯାଇପାରିବ। ଏଥିନିମନ୍ତେ ଏହି ଗୃହରେ ଏକ ୨୦ ଲିଟର ବିଶିଷ୍ଟ ବାଲ୍ଟି ସଂଯୁକ୍ତ କରାଯାଇଛି।
ବିଜେନ୍ଦ୍ର ଆଇଟିଆଇ ପଢ଼ି ସାରି ବାରିପଦା ବିଦ୍ୟୁତ ବିଭାଗରେ ଜଣେ ଲାଇନମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ସହଯୋଗ କରିଥିବା ସୁରଜ ଫିଜିକାଲ୍ ଏଜୁକେସନ୍ ପାଠ ସମାପ୍ତ କରିଛନ୍ତି। ୟୁଟ୍ୟୁବ୍ରୁ ଦେଖି ସେମାନେ ଏହିପରି ଏକ ବିଶୋଧନ ଗୃହ ନିର୍ମାଣ କରିବାକୁ ମନସ୍ତ କରିଥିବା ବିଜେନ୍ଦ୍ର ପ୍ରକାଶ କରିଛନ୍ତି। ପ୍ରଶାସନ ତାଙ୍କୁ ସହଯୋଗ କଲେ ସେମାନେ ଆହୁରି ଅଧିକ ଏହିପରି ଗୃହ ତିଆରି କରିପାରିବେ। ଯାହାକି କରୋନା ସମୟରେ ମୟୂରଭଞ୍ଜ ଭଳି ଏକ ଜିଲ୍ଲାପାଇଁ ବିଶେଷ ସହାୟକ ହେବ ବୋଲି ଦୁଇ ଯୁବ ନିର୍ମାତା ଆଶାପୋଷଣ କରିଛନ୍ତି। ଲୋକସେବା ଭବନରେ ମଧ୍ୟ ଏହିପରି ଏକ ବିଶୋଧନ ଗୃହର ଉପଯୋଗ ହେଉଛି।