ଜୟପୁର: ଜୟପୁରରେ ମହାରାଜା ସଂସ୍କୃତ ବିଦ୍ୟାଳୟ ଦୀର୍ଘ ବର୍ଷ ତଳେ ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟ ଅଧୀନରେ ଆରମ୍ଭ ହୋଇଥିଲା। ମହାରାଜା ବିକ୍ରମ ଦେବ ବର୍ମାଙ୍କ ସମୟରେ ତାଙ୍କ ପୃଷ୍ଠପୋଷକତାରେ ଆରମ୍ଭ ହୋଇଥିଲା ଏବଂ ସ୍ବର୍ଗତ ହରିହର ନନ୍ଦ ପ୍ରଧାନାଚାର୍ଯ୍ୟ ଏହି ବିଦ୍ୟାଳୟକୁ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମା ଓ ମଧ୍ୟମା ଥିଲେ ହେଁ ପ୍ରଥମା ପଢ଼ାଯାଉଥିଲା। ପରବର୍ତ୍ତୀ ସମୟରେ କବିରାଜ କୃଷ୍ଣଚନ୍ଦ୍ର ଅଚାର୍ଯ୍ୟ ପ୍ରଧାନଆଚାର୍ଯ୍ୟ ଦାୟିତ୍ବ ନେବା ପରେ ତତ୍କାଳୀନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କୁ ସେ ସ୍କୁଲ ସଂପର୍କରେ ଅବଗତ କରିଥିଲେ। ରାଜ୍ୟସରକାରଙ୍କ ଠାରୁ ଅନୁମତି ଅଣାଯାଇ ମଧ୍ୟମା ବି ଆରମ୍ଭ ହୋଇଥିଲା। ହେଲେ ଏବେ ଅବହେଳା କାରଣରୁ ବିଦ୍ୟାଳୟ ନିଜର ଅସ୍ତିତ୍ବ ସଙ୍କଟରେ ପଡିଛି ।

Advertisment

୨୦୦୦ ମସିହାରୁ ରାଜ୍ୟ ସରକାଙ୍କ ମାଧ୍ୟମିକ ଶିକ୍ଷାପରିଷଦ ହାତକୁ ଯାଇଥିଲା । ହେଲେ ଶହ ଶହ କିଲୋମିଟର ଦୂରରୁ ପିଲା ଆସି ପଢୁଥିବା ଏହି ବିଦ୍ୟାଳୟଟି ବିଭିନ୍ନ କାରଣରୁ ଏବେ ଆବଶ୍ୟକ ମାତ୍ରାରେ ପିଲା ଅଭାବରୁ ବନ୍ଦ ହୋଇଯିବା ସ୍ଥିତିରେ । ଏବେ ଆଉ ପ୍ରଥମା ପଢ଼ାଯାଉନି। କେବଳ ଅଷ୍ଠମରୁ ଦଶମ ପର୍ଯ୍ୟନ୍ତ ମଧ୍ୟମା ହିଁଏଠାରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ଦିନ ଥିଲା ଏଠାରେ ସଂସ୍କୃତ ପଢ଼ି ବିଶାରଦ ହାସଲ କରିଥିଲେ ବହୁ ପଣ୍ଡିତ। ହେଲେ ଶିକ୍ଷକ ଅଭାବ ଓ ବିଦ୍ୟାଳୟ ପରିଚାଳନାରେ ଅନିୟମିତତା କାରଣରୁ ଶହ ଶହ ଛାତ୍ରଛାତ୍ରୀ ପଢୁଥିବା ସ୍କୁଲଟି ଏବେ ପିଲା ଶୂନ୍ୟ ପଲଟିଛି । ଏବେ ଦଶମ ଶ୍ରେଣୀରେ ମଧ୍ୟ ଯେଉଁ ୬ ଜଣ ପିଲା ପଢୁଛନ୍ତି ସେମାନଙ୍କୁ ପଢାଇବା ପାଇଁ ଶିକ୍ଷକ ଅଭାବ ଦେଖାଦେଇଛି। ମାତ୍ର ତିନୋଟି ଟିଣ ଛପର ଘରେ ଏହି ସ୍କୁଲ ଚାଳିଛି। ସଦ୍ୟ ସରିଥିବା ମାଟ୍ରୀକ ପରୀକ୍ଷାରେ ୨୦ଜଣ ପିଲା ମଧ୍ୟମା ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ଅଥଚ ଅଧିକାଂଶ ଛାତ୍ର ଛାତ୍ରୀ ପରୀକ୍ଷା ଦେଉନାହାନ୍ତି । ଏହି ସ୍କୁଲ କେବଳ କେବଳ ନାଁକୁ ମାତ୍ର ରହିଛି। ନା ଅଛି ଭିତ୍ତିଭୂମି ନା ରହିଛି ଛାତ୍ର ଛାତ୍ରୀଙ୍କ ଲାଗି ପଢିବା ସୁବିଧା । ସ୍କୁଲରେ ଛାତ୍ର ଛାତ୍ରୀ ନାମ ନଲେଖାଇଲେ ବନ୍ଦ ହୋଇଯିବ ବୋଲି କେତେକ ଶିକ୍ଷକ ସହରର ବସ୍ତି ଓ ଆଖାପାଖ ଗାଁକୁ ଯାଉଛନ୍ତି। ଯେଉଁମାନେ କୌଣସି କାରଣରୁ ପାଠ ଛାଡିଦେଇଛନ୍ତି, ଲେଖାଇ ପାଠ ପଢିବାର ଆଗ୍ରହ ଏବଂ ଯେଉଁମାନେ ସ୍କୁଲକୁ ନ ଆସି ପରୀକ୍ଷା ଦେବାକୁ ଚାହୁଁ ଛନ୍ତି ସେଭଳି ପିଲାଙ୍କୁ ଚିହ୍ନଟ କରୁଛନ୍ତି। ଅଭିଭାବକଙ୍କ ସହ ଆଲୋଚନା କରୁଛନ୍ତି ।

ସ୍କୁଲ ନଆସିଲେ ମଧ୍ୟ ସହଜରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ ଏବଂ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ବୁଝାଉଉଛନ୍ତି। ଯେଉଁ ଅଭିଭାବକ ରାଜି ହୋଇଯାଉଛନ୍ତି, ସେମାନଙ୍କ ପିଲାଙ୍କୁ ନିୟମ ଅନୁସାରେ ଅଷ୍ଟମରୁ ଆରମ୍ଭ କରି ଦଶମ ପର୍ଯ୍ୟନ୍ତ ଶ୍ରେଣୀରେ ନାମ ଲେଖାଇଦେଉଛନ୍ତି । ସେମାନେ ଏହି ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ କେବେ ଆସନ୍ତି ନାହିଁ । କାଁ ଭାଁ ବୁଲିବା ଭଳି ସ୍କୁଲକୁ ଆସିଥାନ୍ତି। ସଚେତନତାର ଅଭାବ ଯୋଗୁ ଅନେକ ପରୀକ୍ଷା ଦେଉନାହାନ୍ତି। ବିଦ୍ୟାଳୟଟି ଯଦିଓ ପୁରୀର ସଂସ୍କୃତ ବିଶ୍ବବିଦ୍ୟାଳୟ ଅଧିନରେ ଚାଲୁଛି। ତେବେ ରାଜ୍ୟ ସରକାର ସ୍କୁଲର ଶିକ୍ଷକଙ୍କ ଦରମା ସହ ଭତ୍ତା ଦେଉଛନ୍ତି ବୋଲି କହିଛନ୍ତି ବିଇଓ ଚନ୍ଦନ ନାୟକ। ଭିତ୍ତିଭୂମି ଠିକ ନଥିବା ଏବଂ ସ୍କୁଲ ପିଲା ପଢ଼ିବା ଭଳି ପରିବେଶ ନାହିଁ ବୋଲି କହିଛନ୍ତି ବିଇଓ। ଏବର୍ଷ ମାଟ୍ରିକ ପରୀକ୍ଷାର ମଧ୍ୟମାରେ ୨୦ଜଣଙ୍କ ମଧ୍ୟରୁ କିଛି ଜଣ ଅନୁପସ୍ଥିତ ରହିଥିଲେ ବୋଲି କହିଛନ୍ତି ବିଇଓ। ସେ ପୁଣିଥରେ ଗସ୍ତ କରି ଏହି ବିଦ୍ୟାଳୟର ଅବସ୍ଥାକୁ ନେଇ ତଦାରଖ କରିବେ ବୋଲି କହିଛନ୍ତି ବିଇଓ। ତୁରନ୍ତ ଏହି ସର୍ବପୁରାତନ ସଂସ୍କୃତ ବିଦ୍ୟାଳୟର ପୁନଃରୁଦ୍ଧାର କରି ଏହାର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଭବାନୀ ଆଚାର୍ଯ୍ୟ, ନବକୃଷ୍ଣ ରଥ, ହରିହର କରସୁଧା ପଟ୍ଟନାୟକ ପ୍ରମୁଖ ଦାବି କରିଛନ୍ତି।