ବିଦାୟ ନେଲେ ଶାନ୍ତିରାଜ, ଜନ୍ମଭୂମିରେ ଅନ୍ତିମ ସଂସ୍କାର

ଜୟପୁର: ଓଡିଶାର ‌ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା  ଅନ୍ତିମ ସଂସ୍କାର ଜନ୍ମମାଟି କୋରାପୁଟ ଜିଲ୍ଲା ଜୟପୁର ଠାରେ ଶେଷ ‌ହୋଇଛି। କରୋନା ମାହମାରୀ ସହ ଲଢ଼େଇ କରି ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସମସ୍ତଙ୍କ ନିବେଦନ କ୍ରମେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କର ପାର୍ଥୀବ ଶରୀର ଗତକାଲି ରାତି ସାଢ଼େ ଗୋଟାଏରେ ଜୟପୁର ଠାରେ ପହଞ୍ଚିଥିଲା। ତାଙ୍କର ପାର୍ଥିବ ଶରୀର ସ୍ଥାନୀୟ ଜେଇଏଲ୍‌ସି ବେରିଅଲ୍ ଗ୍ରାଉଣ୍ଡ (ସିମେଟ୍ରି ) ଠା‌ରେ ରଖାଯାଇଥିଲା। ପରିବାର ଓ ସମ୍ପର୍କୀୟମାନେ ଶେଷ ଦର୍ଶନ ପାଇଁ ଅପେକ୍ଷା କରିଥିଲେ କିନ୍ତୁ କୋଭିଡ୍ ନିୟମ ଅନୁସାରେ କିଛି ବ୍ୟକ୍ତି ହିଁ ପିପିଇ କିଟ୍ ପିନ୍ଧି ‌ଶେଷ ଦର୍ଶନ କରିଥିଲେ। ଜେଇଏଲ୍‌ସି ଚର୍ଚ୍ଚର ବିଶପ୍, ଜୟପୁର ଚର୍ଚ୍ଚ ଓ ମାଲକାନଗିରି ଚର୍ଚ୍ଚର ଡିନ୍ ସେଠାରେ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସେଠାରେ ପ୍ରାର୍ଥନା କରାଯାଇଥିଲା। କୋଭିଡ୍ ନିୟମ ଅନୁଯାୟୀ ପାର୍ଥବୀ ଶରୀରକୁ ସେଠାରେ କବର୍ ଦିଆଯାଇଥିଲା ବ‌ୋଲି ଭଣଜା ସ୍ବରୂପନାଥ ଭତ୍ରା କହିଛନ୍ତି।

          ଚର୍ଚ୍ଚିତ ଚେହେରା ଶାନ୍ତିରାଜ ଖେସଲା ଯାହାଙ୍କ ପ୍ରକୃତ ନାମ ଅନନ୍ତ ଶାନ୍ତିରାଜ ଖୋସଲା। ସ୍ଥାନୀୟ ଖ୍ରୀଷ୍ଟିଆନ୍ ପେଟା ଠା‌ରେ ରହୁଥିବା ବେଳେ ଘର ନିକଟସ୍ଥ ଜେଇଏଲ୍‌ସି ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ଜେଇଏଲ୍‌ସି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରି ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ମହାବିଦ୍ୟାଳୟରେ ସ‌େ ନାଟ୍ୟ ସଂସଦର ସମ୍ପାଦକ ମଧ୍ୟ ରହିଥିଲେ। ଏହାପରେ ଜୟପୁର ଆଇନ ମହାବିଦ୍ୟାଳୟରେ ଆଇନ ବିଭାଗରେ ସ୍ନାତ୍ତକ ହାସଲ କରିଥିଲେ। ପିଲାଟି ଦିନରୁ ଗୀତ ପ୍ରତି ତାଙ୍କର ରୁଚି ରହିଥିଲା। ଚର୍ଚ୍ଚରେ ଗୀତାର ବଜାଉଥିବା ବେଳେ ‌ଗୀତ ଗାଇବା ପ୍ରତି ମଧ୍ୟ ତାଙ୍କର ଆଗ୍ରହ ବଢ଼ିଥିଲା। ନିଜର ବଡ ଭାଇ ଅକ୍ଷୟଙ୍କ ଠାରୁ ଗୀତାର ବଜାଇବା ଶିକ୍ଷାଲାଭ କରିଥିଲେ। ଜୟପୁର ଆକାଶବାଣୀ କେନ୍ଦ୍ରରେ ସେ ସ୍ବୀକୃତି ପ୍ରାପ୍ତ କଳାକାର ଭାବେ କାର୍ଯ୍ୟ କରିଛନ୍ତି। କେବଳ ଯେ ଗୀତାର ବଜାଇବା ନୁହେଁ ନିଜେ ଗୀତ ଲେଖିବା, ଗାଇବା ତାହାକୁ ସଂଯୋଜନା କରିବା ଓ ମାଣ୍ଡୋଲିନ୍ ବଜାଇବା ତାଙ୍କର ନିଆରା ପ୍ରତିଭା ଥିଲା। ସଙ୍ଗୀତକୁ ସାଧନା କରି ହିନ୍ଦୁସ୍ତାନୀ ଓ କ୍ଲାସିକାଲ ଶିକ୍ଷିବାକୁ ଲାଗିଲେ। ଏହାପରେ ସେ କଟକ ଯାଇଥ‌ିଲେ ସେଠାରୁ କେବେ ପଛକୁ ଫେରି ନଥିଲେ।

          ଓଡିଆ ଆଲବମ୍ ହେଉ ବା ଭଜନ, ସିନେମା ଆଦିରେ ତାଙ୍କର ନିର୍ଦ୍ଦେଶିତ ସଙ୍ଗୀତ ବେଶ୍ ଲୋକପ୍ରିୟ ହୋଇପାରିଛି। ସେ ‘ରଙ୍ଗ୍ ନମ୍ବର’ ଚଳଚିତ୍ରରୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳ ଏହାପରେ ତୋ ବିନା ମ‌ୋ କାହାଣୀ ଅଧା, ଧନରେ ରଖିବୁ ଶପଥ ମୋର, ମୁଁ ସପନର ‌ସୌଦାଗର, ମୋତେ ଆଣିଦେଲା ଲକ୍ଷେ ଫଗୁଣ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ଡନ୍, ବାଇଶି ପାହାଚେ ଖେଳିବ ମୀନ, ଏସ୍‌ପି ରଣବୀର ଓ ଫେରିଆ ଭଳି ବହୁ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

          ସିନେମା ସହିତ ଓଡିଆ ଆଲବମ୍ ହେ ସମୟ ବୟସକୁ ମୋର ନେଲୁ ଚୋରେଇ, ମୋର ପିଲାଦିନ ଦେ ଫେରାଇ,,,, ଡେଉଁଛି ମୋର ବାଁ ଆଖି ଆଜି କିଏ ଆସିବକି,,,,, ତମକୁ ଦେଖିଲା ପରେ ଲାଗୁଲା ଏମିତି, ଆଗରୁ କେଉଁଠି ଦେଖା ହୋଇଥିଲା ଯେମିତି,,,, ଭଳି ବହୁ ସଙ୍ଗୀତରେ ସ‌େ ନିର୍ଦ୍ଦେଶନା ଦେଇଛନ୍ତି। ଦେଶାତ୍ମକବୋଧ ସଙ୍ଗୀତ ‘ସଲାମ୍ ଭାରତ ମା’ ବହୁତ ଲୋକପ୍ରିୟ ହୋଇଥିଲା। ଓଡିଆ ସହିତ ବଙ୍ଗଳୀ ଫିଲ୍ମ୍ ‘ବନ୍ଧୁ’ ଚଳଚିତ୍ରରେ ସଙ୍ଗୀତ ସଂଯୋଜନା କରିଛନ୍ତି। ବଲିଓଡ୍‌ର କୁମାର ସାନୁ, ବାବୁଲ ସୁପ୍ରିୟ, ସାନ୍‌ ଭଳି ବହୁ କଣ୍ଠଶିଳ୍ପୀ ତାଙ୍କର ସଙ୍ଗୀତ ନ‌ିର୍ଦ୍ଦେଶନାରେ ଗୀତ ଗାଇଛନ୍ତି। ସେ ଓଡିଆ ଗୀତକୁ ଲୋକପ୍ରିୟ କରାଇବାରେ ସବୁ‌ବେଳେ ଚେଷ୍ଟା କରି ଆସୁଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ତାଙ୍କର ବିୟୋଗରେ ଶୋକର ଛାୟା ଖେଳିଯାଇଛି। ବହୁ କଳକାରମାନେ ନିଜର ଶୋକବାର୍ତ୍ତା ପଠାଇଛନ୍ତି, ତାଙ୍କର ଦେହାନ୍ତ ଓଡିଆ ସଙ୍ଗୀତର ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର