ଜାତୀୟ ରାଜନୀତିରେ ବଢ଼ୁଛି ପତିଆରା, କଂଗ୍ରେସର ବୈଦେଶିକ ବ୍ୟାପାର ଟିମରେ ସପ୍ତଗିରି

ରାୟଗଡ଼ା: କଂଗ୍ରେସର ବୈଦେଶିକ ବ୍ୟାପାର ଟିମରେ ସ୍ଥାନ ପାଇଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ଟିମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ଶଶୀ ଥରୁର, ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଓ ଆବାହକ ଭାବେ ସଲମାନ୍ ଖୁର୍ସିଦ ସ୍ଥାନ ପାଇଛନ୍ତି। ବିଭିନ୍ନ ଦେଶର ରାଜନୈତିକ ନୀତି ଉପରେ ଏହି କମିଟି ସମୀକ୍ଷା ଓ ତର୍ଜମା କରି ହାଇକମାଣ୍ଡଙ୍କୁ ରିପୋର୍ଟ ଦେବ। ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତିକ୍ରମେ ସାଧାରଣ ସଂପାଦକ କେ. ସି. ବେଣୁଗୋପାଳ ପ୍ରେସ୍ ବିବୃତ୍ତିରେ ଏ ନେଇ ସୂଚନା ଦେଇଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଥିବା ସପ୍ତଗିରି ଉଲାକା ଧୀରେ ଧୀରେ କଂଗ୍ରେସର ଜାତୀୟ ରାଜନୀତିରେ ନିଜର ଗୁରୁତ୍ବ ବଢ଼ାଇ ଚାଲିଛନ୍ତି। ଓଡ଼ିଶାରୁ କଂଗ୍ରେସର ଏକ ମାତ୍ର ସାଂସଦ ଭାବେ ସପ୍ତଗିରି ବିଜୟୀ ହୋଇଥିବାରୁ ଦଳ ସପ୍ତଗିରି ଉପରେ ଭରସା କରିବା ସହ ବିଭିନ୍ନ କମିଟିରେ ସ୍ଥାନ ଦେଉଛି। ସେହିପରି କେନ୍ଦ୍ର ସରକାରଙ୍କ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଖାଉଟି କଲ୍ୟାଣ ଓ ମିନିଷ୍ଟ୍ରି ଅଫ୍ ଷ୍ଟିଲରେ ସଦସ୍ୟ ଅଛନ୍ତି ସପ୍ତଗିରି। ସପ୍ତଗିରିଙ୍କୁ ନୂଆ ଦାୟିତ୍ବ ପରେ ଅବିଭକ୍ତ କୋରାପୁଟର କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଦେଖା ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗଙ୍କ ପରେ ସପ୍ତଗିରିଙ୍କ ପତିଆରା ବଢ଼ିବାରେ ଲାଗି ଥିବାରୁ ଅବିଭକ୍ତ କୋରାପୁଟ ଏବଂ ଓଡ଼ିଶା କଂଗ୍ରେସ ରାଜନୀତିରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ସପ୍ଟୱେୟାର ଇଂଜିନିୟର ଛାଡ଼ି ରାଜନୀତିରେ ପାଦ ଥାପିଥିବା ସପ୍ତଗିରି ସାଂସଦ ଭାବେ ନିର୍ବାଚିତ ହେବା ପରେ ସଂସଦରେ ନିଜ ନିର୍ବାଚନ ମଣ୍ଡଳୀ ଏବଂ ଓଡ଼ିଶା ସଂପର୍କିତ ବିଭିନ୍ନ ପ୍ରଶ୍ନ ଉଠାଇ ଲୋକପ୍ରିୟତା ହାସଲ କରିଛନ୍ତି। ଏହା ପୂର୍ବରୁ ନିର୍ବାଚିତ ଅନ୍ୟ କେଉଁ ସାଂସଦ ଲୋକସଭାର ପ୍ରଶ୍ନକାଳରେ ଓଡ଼ିଶା ଏବଂ ଅବିଭକ୍ତ କୋରାପୁଟର ସ୍ବାର୍ଥ ଓ ବିକାଶ ସଂପର୍କିତ ଏତେ ପ୍ରଶ୍ନ ପଚାରିନଥିବାର ନଜିର ଅଛି। ପ୍ରଶ୍ନ ଓ ଶୂନ୍ୟ କାଳରେ ରାୟଗଡ଼ାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା, କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବି ପୂରଣ, ନୂଆ ପାଠ୍ୟକ୍ରମ ଆରମ୍ଭ, ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, କୋଲାବ ଜଳ ଭଣ୍ଡାର ଉପରେ ହାଇଲେଭଲ୍ ପୋଲ ନିର୍ମାଣ ସହ ସାର କାରଖାନାର ପୁର୍ନଉଦ୍ଧାର, କାଶୀପୁର ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା, ପର୍ଯ୍ୟଟନର ବିକାଶ, ଜାତୀୟ ରାଜପଥର ବିକାଶ ଏମିତି ଅନେକ ପ୍ରଶ୍ନ ଉଠାଇବା ସହ ଏହାର କାର୍ଯ୍ୟକାରିତା ପାଇଁ ବାରମ୍ବାର କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ସାକ୍ଷାତ କରିଛନ୍ତି। ଯାହା ଅବିଭକ୍ତ କୋରାପୁଟବାସୀଙ୍କ ହୃଦୟକୁ ଛୁଇଁଛି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ୟ କୌଣସି ନିର୍ବାଚନରେ ଅଭିଜ୍ଞତା ରଖିନଥିବା ସପ୍ତଗିରି ଖୁବ୍ କମ୍ ଦିନରେ ଜଣେ ଅଭିଜ୍ଞ ରାଜନୀତିଜ୍ଞ ହେବା ସହ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦେଇ ଚାଲିଛନ୍ତି। ଯାହା ଆଗାମୀ ଦିନରେ ଓଡ଼ିଶା କଂଗ୍ରେସ ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ପାଇଁ ବରଦାନ ସଦୃଶ୍ୟ ହୋଇପାରେ। ଏକଦା କଂଗ୍ରେସର ଗଡ଼ ଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ବିଧାନସଭା ଆସନ ମଧ୍ୟରୁ କେବଳ ଜୟପୁର ଆସନରୁ କଂଗ୍ରେସ ବିଜୟୀ ହୋଇଛି। ସେହିପରି ଦୁଇ ସଂସଦୀୟ କ୍ଷେତ୍ର କୋରାପୁଟ, ନବରଙ୍ଗପୁର ମଧ୍ୟରୁ କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ବିଜୟୀ ହୋଇଛି। ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ିର କୌଶଲ୍ୟା ହିକକାଙ୍କୁ ପରାଜିତ କରି ସପ୍ତଗିରି ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର