ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ସପ୍ତଗିରି, ୧୨୦ ପଞ୍ଚାୟତରେ ନାହିଁ ମୋବାଇଲ୍ ନେଟୱାର୍କ

ରାୟଗଡ଼ା: କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ୧୨୦ ପଞ୍ଚାୟତରେ ନାହିଁ ମୋବାଇଲ୍ ନେଟୱାର୍କ। ଗତ ୩ ବର୍ଷରେ ବିଏସ୍‌ଏନଏଲ୍ ଗୋଟିଏ ମାତ୍ର ଟାୱାର୍ ତିଆରି କରିଛି। ନେଟୱାର୍କ ନଥିବାରୁ ଆଦିବାସୀ ଇଲାକାରେ ଅନଲାଇନ୍ ପାଠପଢ଼ାରୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିବା ବେଳେ ବ୍ୟାଙ୍କିଂ ସୁବିଧା ଅପହଞ୍ଚ ପାଲଟିଛି। କେନ୍ଦ୍ର ସରକାର ଓ ବିଭାଗୀୟ ମନ୍ତ୍ରୀ ତ୍ବରିତ ପଦକ୍ଷେପ ନେବାକୁ ସଂସଦରେ ଦାବି ଉପସ୍ଥାପନା ହୋଇଛି। ଶୀତ ଅଧିବେଶନ ପୂର୍ବରୁ ଟାୱାର୍ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନ ନେଲେ ସଂସଦରେ ପ୍ରତିବାଦ ସହିତ କଳାପତାକା ପଦର୍ଶନ ହେବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାୟଗଡ଼ା ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏପରି ଚେତାବନୀ ଦେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା।

କେନ୍ଦ୍ରମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ ସଂପୂର୍ଣ୍ଣ ଭାବେ ଦଳୀୟ ଏବଂ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଗସ୍ତରେ ଆସୁଥିବାରୁ କଂଗ୍ରେସ ବିରୋଧ କରିବାକୁ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି ବୋଲି ଶ୍ରୀ ଉଲାକା କହିଛନ୍ତି। ଶୀତ ଅଧିବେଶନ ପୂର୍ବରୁ କୋରାପୁଟ ସଂସଦୀୟ କ୍ଷେତ୍ରରେ ବିକାଶ ପାଇଁ ଉପସ୍ଥାପନ ହୋଇଥିବା ଦାବିକୁ ବିଚାରକୁ ନେଇ ତ୍ବରାନିତ ନ କଲେ ଆଗାମୀ ଦିନରେ ତୀବ୍ର ବିରୋଧ କରିବାକୁ ସାଂସଦ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରାୟଗଡ଼ା ଗସ୍ତରେ ଆସୁଥିବାରୁ ଗୁଣପୁର-ଥେରୁବାଲି ରେଳ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ସାଂସଦ ଦାବି କରିଛନ୍ତି। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫୦ ପ୍ରତିଶତ ଅନୁଦାନ ସହ ମାଗଣାରେ ରାଜ୍ୟ ସରକାରଙ୍କୁ ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା ସରକାର ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ ମଧ୍ୟ ଅନୁଦାନ ଦେବାକୁ ସମ୍ମତି ଦେଇନାହାଁନ୍ତି। ଫଳରେ ପ୍ରକଳ୍ପ କାର୍ଯ୍ୟ ଅଟକିଛି। କେନ୍ଦ୍ରମନ୍ତ୍ରୀ ଓଡ଼ିଶାରୁ ନିର୍ବାଚିତ ହୋଇଥିବାରୁ ଏହି ଦାବିକୁ ଯଥାର୍ଥ ମନେ କରି ପୂରଣ କରିବାକୁ ଦାବି ହୋଇଛି।

ସେହିପରି ନୂଆ ରେଳ ଡିଭିଜନ୍ କାର୍ଯ୍ୟକାରୀରେ ବିଳମ୍ବ ହେଉଥିବାରୁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସାଂସଦ ଦାବି କରିଛନ୍ତି। ନୂଆ ଡିଭିଜନ୍ କାର୍ଯ୍ୟକ୍ଷମ ହେଲେ ରାୟଗଡ଼ାରେ ନୂତନ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କଂସାରିଗୁଡା ପ୍ରକଳ୍ପକୁ ନେଇ ମଧ୍ୟ ସାଂସଦ ମତ ରଖିଛନ୍ତି। ବିଳମ୍ବରେ ହେଲେ ସୁଦ୍ଧା ରାଜ୍ୟ ସରକାର କମ୍ପାନି ପ୍ରତିଷ୍ଠା ପାଇଁ ଜନଶୁଣାଣି ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି। ଜନଶୁଣାଣିକୁ ଅଞ୍ଚଳବାସୀ ସମର୍ଥନ କରି କମ୍ପାନୀ ପ୍ରତିଷ୍ଠା ପାଇଁ ଦାବି କରିବେ। ଯାହା ଦ୍ବାରା ଲୋକେ କର୍ମ ନିଯୁକ୍ତି ପାଇବା ସହ ଅଞ୍ଚଳର ବିକାଶ ମଧ୍ୟ ହେବ ବୋଲି ସାଂସଦ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ଝୁନା ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଆପଲସ୍ବାମୀ କାଡ୍ରକା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର