ଜଗତସିଂହପୁର: ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଅଧୀନରେ ସ୍ମାର୍ଟ ହାଇସ୍କୁଲ ଭାବେ ଉଦଘାଟିତ ଶତାୟୁ ଶାରଦା ଏକାଡେମିର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗତ ୧୨ ତାରିଖରେ ‘ସମ୍ବାଦ’ରେ ଏହି ସ୍ମାର୍ଟ ସ୍କୁଲରେ ତିନି ଶ୍ରେଣୀର ଛାତ୍ରଛାତ୍ରୀ ଡେସ୍କ ବେଞ୍ଚ ଅଭାବରୁ ତଳେ ବସି ପାଠ ପଢ଼ୁଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳ ଓ ସ୍କୁଲର ପୁରାତନ ଛାତ୍ର ସଂଗଠନର ସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମାତ୍ର ବର୍ତ୍ତମାନ ସ୍କୁଲର ଏହି ପରିସ୍ଥିତି କେମିତି ସୁଧୁରିବ, ଏ ନେଇ କେହି ବି ପଦକ୍ଷେପ ନେଉଥିବା ପରି ମନେ ହେଉ ନାହିଁ। ଏହି ସ୍କୁଲରେ ଆଭ୍ୟନ୍ତରୀଣ ରାଜନୀତି ପ୍ରବଳ ଥିବା ଚର୍ଚ୍ଚା ଚାଲିଛି। ସ୍କୁଲ ପରିଚାଳନା କମିଟି ଗତ ୪ ବର୍ଷ ହେଲା ନାହିଁ। କିଛିଦିନ ତଳେ ଏ ନେଇ କମିଟି ଗଠନ ପାଇଁ ନିର୍ବାଚନ ହୋଇଥିଲା। ମାତ୍ର କିଛି ସମସ୍ୟା ଯୋଗୁଁ ବ୍ଲକ୍ ଶିକ୍ଷା ଅଧିକାରୀ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଫଳରେ ଆଉ କମିଟି ଗଠନ ହୋଇପାରି ନଥିଲା। ଯାହାର ସିଧାସଳଖ ପ୍ରଭାବ ଏବେ ସ୍କୁଲ ଉପରେ ପଡ଼ିଛି। ସ୍କୁଲ ପରିଚାଳନା କମିଟି ଆକାଉଣ୍ଟରେ ପ୍ରାୟ ୯.୭୫ ଲକ୍ଷ ଟଙ୍କା ରହିଛି। ଯେହେତୁ କମିଟି ଗଠନ ହୋଇନାହିଁ, ସେଥିପାଇଁ ଏହି ଆକାଉଣ୍ଟରୁ ଟଙ୍କାଟିଏ ବି ଖର୍ଚ୍ଚ ପାଇଁ ଉଠିପାରୁ ନାହିଁ। ଫଳରେ ଦିନକୁ ଦିନ ସ୍କୁଲର ଅବସ୍ଥା ସାଂଘାତିକ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ କିଛି ବି ପଦକ୍ଷେପ ନେଇପାରୁ ନାହାନ୍ତି।
ଅନ୍ୟପଟେ ବ୍ଲକ୍ ଶିକ୍ଷା ଅଧିକାରୀ ଏହି କମିଟିକୁ ଭାଙ୍ଗି ଦେଇ ଏ ଦିଗରେ କିଛି ବି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। ଯଦି କମିଟି ଗଠନ ହୋଇପାରୁ ନାହିଁ, ଜିଲ୍ଲାପାଳଙ୍କ ନଜରକୁ ଏହି ଘଟଣା ଆଣି ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଖର୍ଚ୍ଚ କରାଯାଇପାରିବ ବୋଲି ନିୟମ ରହିଛି। ମାତ୍ର ଏ ଦିଗରେ ବ୍ଲକ୍ ଶିକ୍ଷା ଅଧିକାରୀ କିଛି ବି ପଦକ୍ଷେପ ନେଉ ନାହାନ୍ତି। କେବଳ ନାଁ ନେବା ପାଇଁ ସ୍କୁଲଟିକୁ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରି ନେଇ ନିଜ ଦାୟିତ୍ବ ଶେଷ କରି ଦେଇଛନ୍ତି। ଏମିତିକି ଖବର ପ୍ରକାଶ ପାଇବା ପରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଯୋଗଯୋଗ କରିବାକୁ ଯେତେ ପ୍ରୟାସ କରୁଥିଲେ ମଧ୍ୟ ସେ ଉତ୍ତର ରଖୁନାହାନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ସ୍କୁଲଟିକୁ ଦୁଇ ପ୍ରାଶାସନିକ ଅଧିକାରୀ ଜ୍ଞାନରଞ୍ଜନ ଦାସ ଓ ଅଜିତ ବର୍ଦ୍ଧନ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ମାତ୍ର ସ୍କୁଲଟିର ଭାଗ୍ୟ ସୁଧୁରିବା ବଦଳରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ସ୍କୁଲର ଅବସ୍ଥା ଯେ ଏତେ ସାଂଘାତିକ, ଏ ସମ୍ପର୍କରେ ସେମାନେ ବୋଧହୁଏ ଜାଣିନାହାନ୍ତି। ଏହି ସ୍କୁଲରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୪୯୮ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୬ଷ୍ଠ ଶ୍ରେଣୀରେ ୫୩ ଜଣ, ୭ମରେ ୫୭ ଜଣ, ୮ମରେ ୧୧୫ ଜଣ, ୯ମରେ ୯୮ ଜଣ ଓ ୧୦ମ ଶ୍ରେଣୀରେ ୧୨୪ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସ୍କୁଲର ତିନି ଶ୍ରେଣୀ ୬ଷ୍ଠ, ୭ମ ଓ ୮ମର ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଡେସ୍କ ବେଞ୍ଚ ନଥିବାରୁ ସେମାନେ ଦୀର୍ଘଦିନ ହେଲା ତଳେ ବସି ପାଠ ପଢ଼ୁଛନ୍ତି।