ଆଳି: ପେନ୍‌ସିଲ ଖଣ୍ଡେ ଧରିଦେଲେ କାଗଜ ଜୀବନ୍ତ ହୋଇଉଠେ। ନିର୍ଜୀବ କାଗଜ କଥା କୁହେ ତାଙ୍କ ଯାଦୁକରି ହାତର ସ୍ପର୍ଶରେ। ପଶୁପକ୍ଷୀ, କାର୍ଟୁନଠୁ ଆରମ୍ଭ କରି ସିନେ କଳାକାରମାନଙ୍କ ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରି ଦେଉଛନ୍ତି। ଯେ କୌଣସି ବ୍ୟକ୍ତିଙ୍କୁ ଦେଖି ତାଙ୍କର ଅବିକଳ ଚିତ୍ର କାଗଜରେ ତୋଳି ଧରୁଛନ୍ତି ଅବିଳମ୍ବେ। ଏହିସବୁ କୃତୀକୁ ଯିଏ ଥରୁଟିଏ ଦେଖୁଛି ଆଖି ତା’ର ଲାଖି ରହୁଛି। ଏଭଳି ଜଣେ କୁନି ପ୍ରତିଭା ହେଉଛନ୍ତି ଶାରଦା ସୁମନ ସାହୁ। ଘର ତାଙ୍କର ଆଳି ବ୍ଲକ ଦେମାଳ ପଞ୍ଚାୟତରେ। ଆଳି ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି ସେ। ଛୋଟ ବେଳୁ ଚିତ୍ରକଳାରେ ରୁଚି ରଖିଥିଲେ। ପାଠ ପଢା ପାଇଁ ଅଧାରୁ କିନ୍ତୁ ଏହି ଆଗ୍ରହରେ ଡ଼ୋରି ବାନ୍ଧି ଦେଇଥିଲେ ଶାରଦା ସୁମନ। କରୋନା କଟକଣାରେ ଦୀର୍ଘ ଦିନଧରି ସ୍କୁଲ ବନ୍ଦ ରହିଲା। ବହୁ ଛାତ୍ରଛାତ୍ରୀ ଖେଳକୁଦ, ମୋବାଇଲରେ ସମୟ ନଷ୍ଟ କଲେ। ଶାରଦା ସୁମନ କିନ୍ତୁ ଏହି କଟକଣାକୁ ଅପୂର୍ବ ସୁଯୋଗ ଭାବେ ଧରି ନେଲେ। ସମୟର ଦୁରୂପଯୋଗ ନ କରି ଘରେ ପାଠପଢା ସହିତ ମନ ଦେଇଥିଲେ ଚିତ୍ରକଳାରେ।

Advertisment

ପେନ୍‌ସିଲରେ ମହାପୁରୁଷ, ପଶୁ, ପକ୍ଷୀ ଓ ସିନେକଳାକାରମାନଙ୍କ ଅବିକଳ ଚିତ୍ର ଆଙ୍କି ସେ ଜଣେ ଚିତ୍ରଶିଳ୍ପୀର ପରିଚୟ ସୃଷ୍ଟି କରିଛନ୍ତି। ଏହି ପ୍ରତିଭା ପାଇଁ ଶିକ୍ଷକ, ସହପାଠୀ ଓ ଦେଖଣାହାରୀ ସମସ୍ତେ ଏବେ ତାଙ୍କର ପ୍ରଶଂସା କରୁଛନ୍ତି। ଏବେ ଗୋଟିଏ ପରେ ଗୋଟିଏ ଚିତ୍ର କରି ଆଗକୁ ଆଗେଇ ଚାଲିଛନ୍ତି ସେ। ବଡ଼ ହୋଇ ଜଣେ ସଫଳ ଚିତ୍ର ଶିଳ୍ପୀ ହେବା ସହିତ ଲିମ୍‌କା ବୁକ୍ ଅଫ୍ ରେକର୍ଡ୍ସ ଓ ଗିନିଜ୍ ବୁକ୍‌ରେ ସ୍ଥାନିତ ହେବା ପାଇଁ ଶାରଦା ସୁମନ ଲକ୍ଷ୍ୟ ରଖିଛନ୍ତି। ଖାଲି ସେତିକି ନୁହଁ, ଭଲ ପାଠ ବି ପଢୁଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚିତ୍ରକଳାଗୁଡିକୁ ପ୍ରଦର୍ଶିତ କରି ବେଶ୍ ପ୍ରଶଂସା ସାଉଁଟୁଛନ୍ତି। ରାଜ୍ୟ ଓ ଦେଶ ବାହାରେ ରହୁଥିବା ଲୋକମାନେ ଫଟୋ ଚିତ୍ର ଆଙ୍କିବା ପାଇଁ ତାଙ୍କ ସହ ଯୋଗାଯୋଗ କରୁଛନ୍ତି। ଅନ୍ୟପଟେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସରକାରଙ୍କ  ସହାୟତା ମିଳିଲେ ଭଲ ଆର୍ଟ କଲେଜରେ ପଢି ଝିଅ ଅଞ୍ଚଳ, ଜିଲ୍ଲା ତଥା ଓଡ଼ିଶାର ସୁନାମ ଆଣିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି ବାପା ସୁଶାନ୍ତ ସାହୁ।