ଜାନୁଆରି ୩ରୁ ଖୋଲିବ ଜଗତସିଂହପୁରର ମା’ ଶାରଳା ଓ ଗୋରେଖନାଥ ମନ୍ଦିର

ଜଗତସିଂହପୁର ଟାଉନ୍: ଦୀର୍ଘ ଦଶ ମାସ ପରେ ମା ଶାରଳା ଓ ପ୍ରଭୁ ଗୋରେଖନାଥଙ୍କ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆଜି ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସୂଚନା ଦେଇଛନ୍ତି। ମନ୍ଦିର ଖୋଲୁଥିଲେ ହେଁ ଅନେକ ଗୁଡ଼ିଏ କଟକଣା ରଖାଯାଇଛି। ପୂର୍ବପରି ଭକ୍ତ ମନଇଚ୍ଛା ଦର୍ଶନ କରି ପାରିବେ ନାହିଁ। କିମ୍ବା ଯେତେ ବେଳେ ଇଚ୍ଛା ସେତେବେଳେ ଦର୍ଶନ କରି ପାରିବେ ନାହିଁ। ଅନ୍ୟପଟେ ଏହି ଦୁଇ ମନ୍ଦିର ଖୋଲିଥିଲେ ହେଁ ଜିଲ୍ଲା ଅନ୍ୟ ମଠ ମନ୍ଦିର ଖୋଲିବାକୁ ଅନୁମତି ମିଳି ପାରି ନାହିଁ।

ଜିଲ୍ଲାପାଳ ଶ୍ରୀମିଶ୍ରଙ୍କ ସୂଚନା ଅନୁସାରେ ଆସନ୍ତା ୨୦୨୧ ଜାନୁଆରି ୩ ତାରିଖ ଠାରୁ ମା ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲାରହିବ। ହେଲେ ମକର ସଂକ୍ରାନ୍ତି ଦିନ ଭିଡ଼କୁ ଲକ୍ଷ୍ୟ ରଖି ଉଭୟ ମନ୍ଦିର ବନ୍ଦ ରହିବ। ପ୍ରତ୍ୟେକ ଦିନ ସକାଳ ୮ ଟାରୁ ୧୨ ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିବ।

କିନ୍ତୁ ଏହି ସମୟ ମଧ୍ୟରେ ମୋଟ ୫ ଶହ ଭକ୍ତ ଦର୍ଶନ କରିବାର ସୁଯୋଗ ଦିଆଯିବ। ପ୍ରତ୍ୟେକ ଦର୍ଶନାର୍ଥୀଙ୍କ ଥର୍ମାଲ ସ୍କାନିଂ, ହାତ ସାନିଟାଇଜ କରାଯିବ। ଏଥି ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହେବ। ତେବେ ନିର୍ଦ୍ଦିଷ୍ଟ ସମୟ ଏବଂ ଦର୍ଶନାର୍ଥୀଙ୍କୁ ସଂଖ୍ୟାରେ ଗଣନା କରିବା ମନ୍ଦିରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସହ ଭିଡ଼ ଅଧିକ ହୋଇ ପାରେ ବୋଲି କିଛି ସେବାୟତ ଆଶଙ୍କା ପ୍ରକାଶ କରିଥିଲେ। ୬୫ ବର୍ଷରୁ ଊର୍ଦ୍ଧ୍ବ ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଦର୍ଶନ ସଯୋଗ ମିଳିବ ନାହିଁ। ପଣ୍ତା ଓ ସେବାୟତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ପ୍ରତ୍ୟେକ ଭକ୍ତ ଦର୍ଶନ ପୂର୍ବରୁ ପରିଚୟପତ୍ର ଓ ବୟସ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଜଗତସିଂହପୁର ଜିଲ୍ଲା ବାହାର ଦର୍ଶନାର୍ଥୀଙ୍କୁ ୫ ଦିନ ମଧ୍ୟରେ କୋଭିଡ଼ ଟେଷ୍ଟ ନେଗେଟିଭ୍ ଦେଖାଇବା ବାଧ୍ୟତାମୂଳକ।

ସମସ୍ତ ପୂଜକ ଓ ସେବାୟତ ମାନଙ୍କର କୋଭିଡ଼ ଟେଷ୍ଟ କରାଯିବା ସହିତ ୨ ସପ୍ତାହ ପରେ ପୁନଶ୍ଚ ଟେଷ୍ଟ କରାଯିବ। ମନ୍ଦିରକୁ ଗୋଟିଏ ପଟେ ପ୍ରବେଶ ଓ ଗୋଟିଏ ପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ। ଭୋଗଦେକାନ ଓ ମନ୍ଦିର ବାହାରେ ଯେପରି ଗହଳି ନହୁଏ ସେଥିପାଇଁ କଠୋର ଏନଫୋର୍ସମେଣ୍ଟ୍‌ ବ୍ୟବସ୍ଥା କରାଯିବ। ତହସିଲଦାର, ଆରକ୍ଷୀ ନିରୀକ୍ଷକ, ପୂର୍ତବିଭାଗ ଓ ମନ୍ଦିର ନିର୍ବାହୀ ଅଧିକାରୀ, ଗାଡ଼ି ପାର୍କିଂ ସ୍ଥାନ, ଭକ୍ତମାନଙ୍କ ପାଇଁ ବ୍ୟାରିକେଡ ବ୍ୟବସ୍ଥା, ସାମାଜିକ ଦୂରତା ନିମନ୍ତେ ଗୋଲେଇ ଚିହ୍ନ, ଫ୍ଲେକ୍ସ ମାଧ୍ୟମରେ ନିୟମାବଳୀ ପ୍ରଦର୍ଶନ ନିମନ୍ତେ ୩ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଚିନ୍ମୟୀ ବିଶ୍ବାଳ, ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଉପ–ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସିଡିଏମଓ ଡା. ବିଜୟା ପଣ୍ତା, ଏଡିଏମଓ ଶତ୍ରୁଘ୍ନ ଦାଶ, ଶାରଳା ମନ୍ଦିର ଓ ଗୋରେଖ ନାଥ ମନ୍ଦିର ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଂଜନ ପରିଡା, ସହକାରୀ ଜିଲ୍ଲାପାଳ(ଜରୁରୀ) ଶାଶ୍ବତ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର