ପାର୍ବଣ ପାଇଁ ଶାରଳା ମନ୍ଦିରରେ ପ୍ରାଶାସନିକ ପ୍ରସ୍ତୁତି, ଅଟକିଲା ‘ମଣ୍ଡା’ ନି‌ଷ୍ପତ୍ତି

ଜଗତସିଂହପୁର/ ତିର୍ତୋଲ: ପାର୍ବଣ ଋତୁ ପାଇଁ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ମା’ଙ୍କ ଏହି ପାର୍ବଣଯାତ୍ରାର ମୁଖ୍ୟ ଆକର୍ଷଣ ‘ମଣ୍ଡା ପିଠା’ର ବିକ୍ରି ନେଇ ନିଷ୍ପତ୍ତି ଅଟକିଛି। ପ୍ରତିବର୍ଷ ଭଳି ପଣ୍ଡାସେବକଙ୍କ ପାଳି ପ୍ରାପ୍ୟ ଓ ସର୍ବସାଧାରଣଙ୍କୁ ମଣ୍ଡା ବିକ୍ରି ପାଇଁ ପ୍ରାୟ ୫ଶହ ମଣ୍ଡା ପ୍ରସ୍ତୁତ ନେଇ ମନ୍ଦିର ପ୍ରଶାସନ ପଛଘୁଞ୍ଚା ଦେଇଛି। ଏନେଇ କିଛି ସମୟ ବାଦାନୁବାଦ ପରେ ଶ୍ରଦ୍ଧାଳୁଙ୍କୁ ମଣ୍ଡା ବିକ୍ରି ପାଇଁ ମଣ୍ଡା ପ୍ରସ୍ତୁତି ବାବଦ ନିଷ୍ପତ୍ତିକୁ କିଛି ଦିନ ଭିତରେ ଚୂଡ଼ାନ୍ତ କରାଯିବ ବୋଲି କୁହାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଜଗତସିଂହପୁର ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଶହରା ପାର୍ବଣ ପ୍ରସ୍ତୁତିର ଗୁରୁତ୍ବପୂର୍ଣ୍ଣ ବୈଠକରେ ୮ଟି ଦିଗ ନୀତି ନିର୍ଘଣ୍ଟ, ପୂଜା ପାଇଁ ଖର୍ଚ୍ଚର ବଜେଟ୍, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା, ପଣ୍ଡା ଓ ସେବକମାନଙ୍କ ମଧ୍ୟରେ ଶୃଙ୍ଖଳିତ ମଣ୍ଡା ଭୋଗ ବଣ୍ଟନ ସହ ଦର ଧାର୍ଯ୍ୟ, ବେଢ଼ାରେ ମଣ୍ଡା ବିକ୍ରି ଓ ଶେଷରେ ମହାଷ୍ଟମୀ ଦିନ ଗାଡ଼ି ପାର୍କିଂ ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବୈଠକରେ ଉପସ୍ଥିତ ପଣ୍ଡା ଓ ସେବକମାନେ ନିଜର ମତାମତ ରଖିଥିଲେ। ନିର୍ଦ୍ଧାରିତ ପୂଜା ନିର୍ଘଣ୍ଟ ଅନୁସାରେ ଆସନ୍ତା ମୂଳାଷ୍ଟମୀ ୧୭ ତାରିଖରୁ ପୀଠରେ ଶାରଳାଙ୍କର ପୂଜା ଆରମ୍ଭ ହୋଇ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ୮ ଲକ୍ଷ ୯୬ ହଜାର ୯୨୫ ଟଙ୍କାର ବ୍ୟୟ ବରାଦ ରଖଯାଇଛି ବୋଲି ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ବଜେଟ୍‌ ଉପସ୍ଥାପନ କରିଥିଲେ। ମାତ୍ର ପୂଜା ପାଇଁ ତିଆରି ‌ମଣ୍ଡା ଭୋଗ ନିମନ୍ତେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ପଣ୍ଡା ଓ ସେବକମାନଙ୍କୁ ପ୍ରାୟ ୨ଶହ ମଣ୍ଡା ପାଳି ପ୍ରାପ୍ୟ ଦିଆଯାଏ। ଶ୍ରଦ୍ଧାଳୁଙ୍କୁ ବିକ୍ରି ପାଇଁ ମନ୍ଦିର ପକ୍ଷରୁ ଅବଶିଷ୍ଟ ୩ଶହ ମଣ୍ଡା ପ୍ରସ୍ତୁତ ହୋଇଥାଏ। କିନ୍ତୁ ଏତେ ପରିମାଣର ମଣ୍ଡା ପ୍ରସ୍ତୁତ ପାଇଁ ମନ୍ଦିର ପ୍ରଶାସନ ପଛଘୁଞ୍ଚା ଦେବାରୁ ଆଲୋଚନା ସରଗରମ ହୋଇଥିଲା।

ଏଥର ୫ ଶହ ସ୍ଥାନରେ ମାତ୍ର ୫୦ଟି ମଣ୍ଡା ପ୍ରସ୍ତୁତ ନିମନ୍ତେ ମନ୍ଦିର କର୍ତୃପକ୍ଷ ପ୍ରସ୍ତାବ ରଖିବାରୁ କେତେ ଜଣ ପଣ୍ଡାସେବକ ବିରୋଧ କରିଥିଲେ। ମଣ୍ଡା ପ୍ରସ୍ତୁତ କରୁଥିବା କାରଗିରଙ୍କ ମଜୁରି ବୃଦ୍ଧି କରାଯାଉ ନଥିବାରୁ ସେମାନେ ଅମଙ୍ଗ ହେଉଛନ୍ତି। କିନ୍ତୁ ସେମାନଙ୍କ ପ୍ରାପ୍ୟ ବୃଦ୍ଧି କରାଗଲେ ଅଧିକ ସଂଖ୍ୟକ ମଣ୍ଡା ପ୍ରସ୍ତୁତିରେ କୌଣସି ସମସ୍ୟା ରହିବ ନାହିଁ ବୋଲି ସେମାନେ ମତ ଦେଇଥିଲେ। ଶେଷକୁ ଏ ନେଇ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଆସନ୍ତା ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ଦିର କର୍ତୃପକ୍ଷ ସୂଚନା ଦେଇଛନ୍ତି। କୋଭିଡ୍ ପୂର୍ବରୁ ହୋଇଥିବା ଏହି ପୂଜା ପାଇଁ ୭ ଲକ୍ଷ ଖର୍ଚ୍ଚ ‌ହୋଇଥିଲା। ଏଣୁ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ କରିବାକୁ ମନ୍ଦିର ପ୍ରଶାସନ ଆଲୋଚନା କରିଥିଲା। ବିଶେଷ କରି ସୁରକ୍ଷା, ପାର୍କିଂ ଓ ଶୃଙ୍ଖଳିତ ଦର୍ଶନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ବର୍ତ୍ତମାନ ଉଭୟ ତିର୍ତ୍ତୋଲ ଏସ୍‌ଡିପିଓ ଓ ଥାନା ଇନ୍‌ସପେକ୍ଟର ନୂତନ ଭାବେ ଯୋଗଦେଇଥିବାରୁ ସେମାନେ ଏହି ପୂଜା ପରିଚାଳନାରେ ସେତେଟା ଅଭିଜ୍ଞତା ହାସଲ କରି ନାହାନ୍ତି। ତଥାପି ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଇନ୍‌ସପକ୍ଟେର ଯୁଗଳ କିଶୋର ଦାସ କହିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ତିନିଟା ସ୍ଥାନରେ ପାର୍କିଂ ନିଷ୍ପତ୍ତି ହୋଇଛି। ଏନେଇ ଖୁବଶୀଘ୍ର ଟେଣ୍ଡର କରାଯିବ। ଏହାକୁ ବାଦ୍ ଦେଲେ ଦର୍ଶନ ବ୍ୟବସ୍ଥାକୁ ନେଇ କିଛି ସମୟ କଥାକଟାକଟି ହୋଇଥିଲା। ବଡ଼ପଣ୍ଡା ରଂଜନ କୁମାର ପଣ୍ଡା, ପରିଚ୍ଛା ସୁକାନ୍ତ ପଣ୍ଡା, ହରିଚରଣ ରାଉଳ, ବିଶ୍ବରଂଜନ ରାଉଳ, ତ୍ରିଲୋଚନ ରାଉଳ, ସଚ୍ଚିଦାନନ୍ଦ ନାୟକ, ହରେକୃଷ୍ଣ ନାୟକଙ୍କ ସହ ଆଲୋଚନା ପରେ ପୂର୍ବ ବ୍ୟବସ୍ଥା ଅନୁସାରେ କାର୍ଯ୍ୟବିଧି ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ବାଇଁ, ତହସିଲଦାର ସୁଜାତା ପାତ୍ର, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶୁଭ୍ରଜ୍ୟୋତି ମହାନ୍ତି, ତିର୍ତ୍ତୋଲ ଅଗ୍ନିଶମ ଅଧିକାରୀ କାର୍ତ୍ତିକ ବିଶ୍ୱାଳ, ଆର୍‌ଡବ୍ଲୁଏସ୍‌ଏସ୍‌ ଅଧିକାରୀ, ବିଦ୍ୟୁତବିଭାଗ ଅଧିକାରୀଙ୍କ ସମେତ କନକପୁର ପୋଲିସ ଫାଣ୍ଡି ଅଧିକାରୀ ଦୁଃଖିଶ୍ୟାମ ସେଠୀ, ମନ୍ଦିର ଫାଣ୍ଡି ଅଧିକାରୀ ଭରତ ଚନ୍ଦ୍ର ମାହାଳି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର