ଦୁର୍ବଳ ହେଉଛି ମା’ ଶାରଳାଙ୍କ ମନ୍ଦିର!

୪ ବର୍ଷ ହେବ ରଙ୍ଗ ଛଡ଼େଇ ପ୍ରତ୍ନତତ୍ତ୍ବ ବିଭାଗ ଚୁପ୍‌, ହାତ ଟେକି ଦେଇଛି ମନ୍ଦିର ପ୍ରଶାସନ

ଜଗତସିଂହପୁର ଟାଉନ୍: ଦୁର୍ବଳ ହେଉଛି ୫ଶହ ବର୍ଷ ପୁରୁଣା ପ୍ରସିଦ୍ଧ ପୀଠ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିର। ବର୍ତ୍ତମାନର ପାରିପାର୍ଶ୍ବିକ ସ୍ଥିତି ଏଭଳି କିଛି ସନ୍ଦେହକୁ ଦୃଢ଼ୀଭୂତ କରୁଛି। ଶହଶହ ବର୍ଷ ତଳର ଏହି ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଯେମିତି କାହାର ନିଘା ନାହିଁ। ଚାରି ବର୍ଷରୁ ଊର୍ଦ୍ଧ୍ବ ହେବ ମା’ଙ୍କ ମନ୍ଦିର କିଛି ଅଂଶ ରଙ୍ଗ(ରାସାୟନିକ ପ୍ରଲେପ)କୁ ସଫା କରାଯାଇ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଖରା, ବର୍ଷାରେ ପଥରଗୁଡ଼ିକ ଦୁର୍ବଳ ହେଉଛି, ଯାହାକୁ ନେଇ ମନ୍ଦିର ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି।

ଶହ ଶହ ବର୍ଷର ପୁରୁଣା ମନ୍ଦିର ହୋଇଥିବାରୁ ମନ୍ଦିରର ସଠିକ୍ ଭାବେ ରକ୍ଷଣାବେକ୍ଷଣ କରିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ ଜରୁରି। କିଛି ବର୍ଷ ପୂର୍ବେ ଜଣେ ଶ୍ରଦ୍ଧାଳୁ ମନ୍ଦିରରେ ରଂଗ ଦେଇଥିଲେ। ତେବେ ପ୍ରାୟ ୪ ବର୍ଷ ତଳେ ମା’ଙ୍କ ମନ୍ଦିର ମୁଖଶାଳା ଓ ମୁଖ୍ୟମନ୍ଦିରରେ ଫାଟ ସୃଷ୍ଟି ହୋଇ ପାଣି ଗଳିଥିଲା। ମନ୍ଦିର ବାହାର ପାର୍ଶ୍ବର କିଛି କାରୁକାର୍ଯ୍ୟ ଭାଙ୍ଗି ଯାଇଥିଲା। ସେତେବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଏକ ପ୍ରତିନିଧି ଦଳ ପହଞ୍ଚି ମନ୍ଦିରରେ ନାମକୁମାତ୍ର ମରାମତି କରିଥିଲେ। ତେବେ ମନ୍ଦିରରୁ ସମ୍ପୂର୍ଣ୍ଣ ଭାବେ ରଙ୍ଗ ଛଡ଼ା ଯାଇ ପଥର ଯୋଡ଼ା ହୋଇଥିବା ସ୍ଥାନରେ ଏକ ପ୍ରକାର କେମିକାଲ ଦେଇ ତାହାକୁ ସୁଦୃଢ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ମନ୍ଦିରର ସମ୍ମୁଖ ଭାଗକୁ ଛାଡ଼ି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ପାଖର ପ୍ରାୟ ୧୫ ଫୁଟ ଉଚ୍ଚତା ଯାଏ ରଙ୍ଗଛଡ଼ା ହୋଇଛି।

ଆଶ୍ଚର୍ଯ୍ୟର କଥା ଚାରି ବର୍ଷ ହେବ ରଙ୍ଗ ଛଡ଼ା ହେଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇ ନାହିଁ।  ଏହି କାର୍ଯ୍ୟ ପ୍ରତ୍ନତତ୍ତ୍ବ ବିଭାଗ କରୁଥିଲେ ହେଁ କାର୍ଯ୍ୟ ତଦାରଖ କିଏ କରୁଛନ୍ତି ତାହା ଅନ୍ଧାରରେ। ମନ୍ଦିର ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ନିରବ। ଯେଉଁ ଠିକାଦାର ବାବୁ କାମ କରୁଥିଲେ ସେ କାମକୁ ଅଧା କରି ଛାଡ଼ି ଦେଇଛନ୍ତି। ଖାଲି ଏତିକି ନୁହେଁ ମନ୍ଦିର ଚାରିପାଖ ଚଟାଣରେ ପକା ଯାଇଥିବା ମାର୍ବଲକୁ ଉଠାଯାଇ  ପଥର ପକା ଯାଉଛି। ସେ କାମ ବି ଅଧା ପଡ଼ିଛି।

ଏନେଇ ମନ୍ଦିରର କାର୍ଯ୍ୟନିର୍ବାହୀ ସୌର୍ଯ୍ୟରଂଜନ ପରିଜା କହିଛନ୍ତି ପ୍ରତ୍ନତତ୍ତ୍ବ ବିଭାଗ ଏହି କାର୍ଯ୍ୟ କରୁଛି। ଏହା ଛଡ଼ା ସେ କିଛି ଜାଣି ନାହାନ୍ତି। ତେବେ ମନ୍ଦିର କାମ କରିବା ପୂର୍ବରୁ ପ୍ରତ୍ନତତ୍ତ୍ବ ବିଭାଗ ମନ୍ଦିର ପରିଚାଳନା କମିଟିକୁ ଚିଠି କରିବା କଥା। ମନ୍ଦିରରେ କେଉଁ କେଉଁ କାର୍ଯ୍ୟ ହେବ। କେତେ ବ୍ୟୟ ଅଟକଳ। କାମ କେଉଁ ଠିକାଦାର କରିବେ, ଏହି ଦାୟିତ୍ବରେ କେଉଁ ଅଧିକାରୀ ରହିବେ ଏସବୁ ତଥ୍ୟ ମନ୍ଦିର ପରିଚାଳନା କମିଟିକୁ ଜଣାଇବା କଥା। ଯେହେତୁ ମନ୍ଦିରର କଣ କାମ ହେଉଛି କିଏ କାମ କରୁଛି ସେ ସମ୍ପର୍କରେ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଅବଗତ ନୁହନ୍ତି ତେବେ ଠିକାଦାର ବାବୁ ଐତିହ୍ୟପୂର୍ଣ୍ଣ ମନ୍ଦିରକୁ ମନଇଚ୍ଛା କାମ କରୁଛନ୍ତି କିପରି ? ଚାରି ବର୍ଷ ତଳୁ କାମ ଆରମ୍ଭ ହୋଇଥିଲେ ହେଁ କେବେ ସରିବ ତାର କୌଣସି ଠିକ୍ ଠିକଣା ନାହିଁ। ଠିକାଦାର ଉପରଠାଉରିଆ ଭାବେ କାମ କରି ମନ୍ଦିର ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ଲୁଟି ନେବାକୁ ବସିଥିବା ଅଭିଯୋଗ ହେଉଛି। ତେବେ ପ୍ରତ୍ବତତ୍ତ୍ବ ବିଭାଗ ପକ୍ଷରୁ କେଉଁ କେଉଁ କାମ କରାଯାଉଛି, ଏଥି ପାଇଁ କେତେ ବ୍ୟୟ ଅଟକଳ ରହିଛି ସେସବୁ ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରିବା ସହ ତୁରନ୍ତ କାମ ଶେଷ କରିବାକୁ ମନ୍ଦିର ସେବାୟତମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର