ଜଗତସିଂହପୁର: ଝଙ୍କଡ଼ ଶାରଳା ପୀଠର ନବୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପୂର୍ବରୁ କଚ୍ଛପ ଗତିରେ ଚାଲିଥିବା ଏହି କାର୍ଯ୍ୟ ୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ଏକପ୍ରକାର ଶେଷ କରିବା ପାଇଁ ଯୋଜନା କରାଯାଇଛି। ମନ୍ଦିରର ସୋଲ୍ ଟ୍ରଷ୍ଟି ତଥା ଜିଲ୍ଲାପାଳ ନିଜେ ଏହି କାର୍ଯ୍ୟର ତଦାରଖ କରୁଛନ୍ତି। ଫଳରେ ଏହି କାର୍ଯ୍ୟ ପାଇଁ ଜବରଦଖଲରେ ଥିବା ପ୍ରାୟ ୫୦ ଉଠାଦୋକାନକୁ ଉଚ୍ଛେଦ କରାଯାଇଛି। ସମସ୍ତଙ୍କୁ ପ୍ରତିଶ୍ରୁତି ଦିଆଯାଉଛି, ଖୁବ୍‌ଶୀଘ୍ର ଥଇଥାନ କରାଯିବ। ମାତ୍ର ପ୍ରଶାସନର ପୁରୁଣା ରେକର୍ଡକୁ ଦୃଷ୍ଟିରେ ରଖି ଏହି ଦୋକାନୀମାନେ ସେମାନଙ୍କ ପରିବାର କେମିତି ଚଳାଇବେ, ସେ ନେଇ ଚିନ୍ତାରେ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦୧୫ରେ ବଳଭଦ୍ରଙ୍କ ଦାରୁ ଚିହ୍ନଟ ସମୟରେ ୬୨ଟି ଦୋକାନ ଉଚ୍ଛେଦ କରାଯାଇଥିଲା। ସେମାନଙ୍କୁ ଖୁବ୍‌ଶୀଘ୍ର ଥଇଥାନ କରିବାକୁ ଯାଇ ନୂତନ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେମାନେ ଆଜିପର୍ଯ୍ୟନ୍ତ ଦୋକାନଟିଏ ପାଇଁ ଅପେକ୍ଷା କରି ରହିଛନ୍ତି। ଗତ ଜୁନ ୨ ତାରିଖରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୨କୋଟି ଟଙ୍କା ଆର୍ଥିକ ଅନୁଦାନ ଘୋଷଣା କରାଗଲା। ଫଳରେ ପୁଣିଥରେ ମନ୍ଦିରର ଉନ୍ନତୀକରଣ ପାଇଁ ଆଉ ୫୫ ଜଣ ଦୋକାନୀଙ୍କୁ ଉଚ୍ଛେଦ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଲା। ଅନ୍ୟପଟେ ଓଟିଡିସି ପକ୍ଷରୁ ନିର୍ମିତ ଏତେ ବଡ଼ ମାର୍କେଟ୍ କମ୍ପ୍ଲେକ୍ସ ଭୂତକୋଠି ହେବାକୁ ବସିଥିଲେ ମଧ୍ୟ ଏହାକୁ ଖୋଲିବା ଦିଗରେ କିଛି ବି ପଦକ୍ଷେପ ନିଆଯାଉ ନାହିଁ। ସବୁବେଳେ କୁହାଯାଉଛି ଖୁବ୍‌ଶୀଘ୍ର ଏହି ମାର୍କେଟ୍ କମ୍ପ୍ଲେକ୍ସ ଖୋଲାଯାଇ ଦୋକାନୀମାନଙ୍କୁ ଥଇଥାନ କରାଯିବ। ପ୍ରଶାସନର ଏମିତି ନିଷ୍ପତ୍ତିକୁ ଦୋକାନୀମାନେ ଚାତକ ପରି ଚାହିଁ ରହିଛନ୍ତି। କୌଣସି ଉନ୍ନତୀକରଣ କାର୍ଯ୍ୟ ହେଲେ ସ୍ବାଭାବିକ ଭାବେ କିଛି ଲୋକଙ୍କ ପେଟପାଟଣା ପ୍ରଭାବିତ ହୁଏ। ମାତ୍ର ସେମାନଙ୍କୁ ଥଇଥାନ କରିବାକୁ ଯଦି ପ୍ରଶାସନ ଭୁଲିଯାଏ, ଏହାକୁ ନେଇ ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକେ। ବର୍ତ୍ତମାନ ଶାରଳା ମନ୍ଦିରରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ବିନା ଥଇଥାନରେ ଉଚ୍ଛେଦ କରାଯିବା ଘଟଣାକୁ ନେଇ ଶ୍ରଦ୍ଧାଳୁମାନେ ମଧ୍ୟ ବେଶ୍ କଷ୍ଟ ଭୋଗୁଛନ୍ତି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାଣି କିମ୍ବା ମୃଦୁ ପାନୀୟ କିଣିବାକୁ ଦୋକାନଟିଏ ନାହିଁ। ସ୍ଥାନୀୟ ଲୋକମାନେ ମଧ୍ୟ ନାହିଁନଥିବା ସମସ୍ୟା ଭୋଗୁଛନ୍ତି। ଶାରଳା ମନ୍ଦିରରେ ସେବାୟତ ଓ ସ୍ଥାନୀୟ ବାସିନ୍ଦାମାନେ କନକପୁର ବଜାର ଉପରେ ନିର୍ଭରଶୀଳ। ମାତ୍ର ଏଠାରେ ଦୋକାନଟିଏ ନଥିବାରୁ ସମସ୍ତେ ହଇରାଣ ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ପୂର୍ବରୁ ଶାରଳା ମନ୍ଦିରର ନବୀକରଣ କାର୍ଯ୍ୟକ୍ରମକୁ ନେଇ ଉଭୟ ମନ୍ଦିର ଓ ଜିଲ୍ଲା ପ୍ରଶାସନ ସେତେଟା ଚଳଚଞ୍ଚଳ ଥିବା ଜଣାପଡ଼ୁନଥିଲା। ମାତ୍ର ୫-ଟି ସଚିବଙ୍କ ଗସ୍ତକୁ ଆଖିଆଗରେ ରଖି କାର୍ଯ୍ୟ କରାଯାଉଥିବାରୁ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା କୁହନ୍ତି ଯେ ବନ୍ଦ ପଡ଼ିଥିବା ମାର୍କେଟ୍ କମ୍ପ୍ଲେକ୍ସଟିର ନିର୍ମାଣ କାର୍ଯ୍ୟ ଏବେ ଓଟିଡିସି ଦ୍ବାରା କରାଯାଉଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରି ଓଟିଡିସି ଏହାକୁ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ। ଏହାପରେ ଉ‌‌ଚ୍ଛେଦ କରାଯାଇଥିବା ଦେକାନୀଙ୍କୁ ସେଠାରେ ଥଇଥାନ କରାଯିବ। ଯାହା ଅନୁମାନ କରାଯାଉଛି ଉଚ୍ଛେଦ ହୋଇଥିବା ସମସ୍ତ ଦୋକାନୀଙ୍କୁ ଏଠାରେ ଦୋକାନ ଘରେ ମିଳିପାରିବ।