ଜଗତସିଂହପୁର: ପ୍ରସିଦ୍ଧ ଝଙ୍କଡ଼ ଶାରଳାପୀଠର ନବୀକରଣ କାର୍ଯ୍ୟ ଯେଉଁ ଢଙ୍ଗରେ ଚାଲିଛି ତାହା କେବଳ ଅସନ୍ତୋଷର ବୀଜ ବୁଣି ଚାଲିଛି। ସ୍ଥାନୀୟ ବ୍ୟବସାୟୀ, ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ନିର୍ମାଣକାରୀ ସଂସ୍ଥା ବେଧଡ଼କ ଭାବେ କରୁଣା ନିବାସ ଧର୍ମଶାଳା, କୁବେରପୁତ୍ର ଧର୍ମଶାଳା, ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସ ଓ ମନ୍ଦିର ବେଢ଼ା ସଂଲଗ୍ନ ପୁଲିସ ଫାଣ୍ଡି ଓ ପାଚେରି, ୪ଟି ମାର୍କେଟ୍‌ କମ୍ପ୍ଲେକ୍ସ ମାଟିରେ ମିଶାଇ ଦେଲା। ଜିଲ୍ଲାପାଳଙ୍କୁ ଅନ୍ଧାରରେ ରଖି ନିର୍ମାଣକାରୀ ସଂସ୍ଥା ସବୁ କାମ ତ୍ବରାନ୍ବିତ କରିବ ବୋଲି କହିଲା। ବ୍ୟବସାୟୀଙ୍କ ଦୁଃଖ ବୁଝି ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ପ୍ରାୟ ୧୫ ଦିନ ପୂର୍ବେ ନିର୍ମାଣକାରୀ ସଂସ୍ଥା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ କର୍ତୃପକ୍ଷଙ୍କୁ ଅଗ୍ରାଧିକାରୀ ଭିତ୍ତିରେ ବ୍ୟବସାୟୀଙ୍କୁ ଥଇଥାନ, ପୀଠ ପାଇଁ ବିକଳ୍ପ ରାସ୍ତା ଓ ଶାରଳା ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପରେ ପଡ଼ିଥିବା ଭଙ୍ଗାଇଟା, ପଥର, ରଡ୍‌ସବୁ ସଫା କରିବାକୁ ନିର୍ଦ୍ଦେଶ ଦେଇଗଲେ। ବାରମ୍ବାର ଦାବି ପରେ ଭଙ୍ଗା ସାମଗ୍ରୀସବୁ କାଢ଼ି ସଫା କରିବାରେ ସମର୍ଥ ହୋଇଥିଲେ ହେଁ ୧୦ ଦିନ ହେଲା ଆଉ କାହାରି ଦେଖା ମିଳିନାହିଁ। କିନ୍ତୁ ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ନିର୍ମାଣକାରୀ ସଂସ୍ଥା ବେଢ଼ା ଚାରିପାଖକୁ ଦସ୍ତା ଚାଦରରେ ଘୋଡ଼ାଇ ଦେଇ ନିଜ ଦାୟିତ୍ବ ସାରି ଦେଇଛି। ଉଚ୍ଛେଦ ଦୋକାନୀ ବସିବାକୁ ସ୍ଥାନ ନାହିଁ। କନକପୁର ବଜାର ଉପରେ ନର୍ଭର କରୁଥିବା ବାସିନ୍ଦାମାନେ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଅଧିକାଂଶ ବ୍ୟବସାୟୀ ନିଜ ନିଜ ଗାଁକୁ ଫେରିଯାଇଥିବା ବେଳେ ଆଉ କିଛି ଘରେ ବିକ୍ରି କରୁଛନ୍ତି। ମା’ଙ୍କ ନୀତିକାନ୍ତି ପାଇଁ ଖୋଦ୍ ପରିଚ୍ଛା ଓ ସେବାୟତମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

Advertisment

ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ଦିରର ଟ୍ରଷ୍ଟି ଖୋଦ୍‌ ଜିଲ୍ଲାପାଳ। କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବି ନିର୍ମାଣାକାରୀ ସଂସ୍ଥା ମାନୁନଥିବା ଅଭିଯୋଗ ହୋଇଛି। ମନ୍ଦିରର ଉତ୍ତର ଦ୍ବାର ପଟ ପାଚେରିକଣ ରାମା ଘର ପାର୍ଶ୍ବରୁ ପଟ୍ଟନାକିଆ ପର୍ଯ୍ୟନ୍ତ ଏକ ପାଦଚଲା ବାଇପାସ୍‌ ରାସ୍ତା ଛଡ଼ା ଗଲେ ମନ୍ଦିର ପାଖକୁ ଯାତ୍ରୀବାହୀ, ଟୁରିଷ୍ଟ୍‌ ବସ୍‌ ଓ ଶ୍ରଦ୍ଧାଳୁଙ୍କ ଯାତାୟାତନରେ ସମସ୍ୟା ରୁହନ୍ତା ନାହିଁ। ଏହାଛଡ଼ା ଗୋଟଏ ପାର୍ଶ୍ବରେ ନିର୍ମାଣ କାମ ସୁରୁଖୁରୁରେ ଚାଲି ପାରନ୍ତା ବୋଲି ବରି‌ଷ୍ଠ ସେବାୟତ ଲକ୍ଷ୍ମୀଧର ନାୟକ ମତ ଦେଇଛନ୍ତି। ଅନ୍ତତଃପକ୍ଷେ ବ୍ୟବସାୟୀମାନେ ଥଇଥାନ ହେବା ପର୍ଯ୍ୟନ୍ତ ଏହି ବାଇପାସ୍‌ ରାସ୍ତାର ଦୁଇ ପାଖରେ ବ୍ୟବସାୟ ଚଳାଇ ଉପକୃତ ହୁଅନ୍ତେ। କିନ୍ତୁ ସେଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ପ୍ରଥମ ପର୍ଯ୍ୟାୟରେ ଅନୁଦାନ ଆସିବା ପରେ ୧୮ ମାସ ମଧ୍ୟରେ ମା’ଙ୍କ ଦେଉଳ ସହ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ କୁହାଯାଇଥିଲା। ମାତ୍ର ବର୍ତ୍ତମାନ ୭ ମାସ ବିତି ଯାଇଥିଲେ ମଧ୍ୟ ଉଭୟ ମନ୍ଦିର ଓ ଜିଲ୍ଲା ପ୍ରଶାସନର ପଦେକ୍ଷପକୁ ଶ୍ରଦ୍ଧାଳୁ ଓ ସାଧାରଣ ଲୋକେ ଗ୍ରହଣ କରିପାରୁ ନାହାନ୍ତି। ଏବେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ମନ୍ଦିର ପରିଚ୍ଛା ଓ ସେବାୟତମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଓବିସିସିର କନିଷ୍ଠ ଯନ୍ତ୍ରୀ ଦୁର୍ଗା ମାରାଣ୍ଡି କହିଛନ୍ତି ଏହି ନିର୍ମାଣ କାମ ନିମନ୍ତେ ଆଜି ବିଭାଗର କଟକ ଡିଭିଜନ କାର୍ଯ୍ୟାଳୟରେ ଏକ ବୈଠକ ବସିଛି। ବିଭାଗୀୟ ମହାପ୍ରବନ୍ଧକ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଆଗାମୀ ୧୦-୧୫ ଦିନ ମଧ୍ୟରେ ନିର୍ମାଣ କାମ ଆରମ୍ଭ ହେବ। ଇତି ମଧ୍ୟରେ ଓଟିଡିସି ପକ୍ଷରୁ ନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସକୁ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।