ଜଗତସିଂହପୁର: ପବିତ୍ର ଅକ୍ଷୟ ତୃତୀୟା ଆଉ ଗୋଟିଏ ଦିନ(ବୁଧବାର) ବାକି ଥିବା ବେଳେ ପରିବର୍ତନର ଆଭାସ ଦେଇଥିବା ଶାରଳାପୀଠ ସଂପ୍ରସାରଣ କାର୍ଯ୍ୟ ନିମନ୍ତେ ଚଳଚଞ୍ଚଳ ହୋଇ ଉଠିଛି। ଏଠାରୁ ଦାରୁ ସଂଗ୍ରହ ବେଳେ ୨୦୧୫ରେ ପ୍ରଶାସନର ଯେପରି ତତ୍ପରତା ପ୍ରକାଶ ପାଇଥିଲା ଏଥର ମଧ୍ୟ ୫-ଟି ସଚିବଙ୍କ ଗସ୍ତକୁ ଆଖି ଆଗରେ ରଖି ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ପାଇଁ ଯୋଜନାର ରୂପରେଖ ପ୍ରସ୍ତୁତ କରୁଛି ଜିଲ୍ଲାପ୍ରଶାସନ। ମା’ ମନ୍ଦିରରୁ ବାହାରି ଆଜି ଠାରୁ ଚନ୍ଦନପୋଖରୀରେ ଚାପ ଖେଳିବେ। ୨୧ ଦିନ ପର୍ଯ୍ୟନ୍ତ ଏହି ଚାପଖେଳ ଚାଲିବାକୁ ଥିବାରୁ ମନ୍ଦିର ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ପୁଣିଥରେ ଏଥର ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସ୍ବାର୍ଥକୁ ଆଖି ବୁଜି ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଚନ୍ଦନ ପୋଖରୀ ସାମ୍ନାରେ ମା’ଙ୍କ ବିରାଜମାନ ମଣ୍ଡପର ପ୍ରସ୍ତୁତି ଚାଲିଥିବା ବେଳେ ପୂରା ଚନ୍ଦନପୋଖରୀ ସାମ୍ନାରେ ପସରା ମେଲିଛି କେତେକ ବ୍ୟବସାୟୀଙ୍କ ଦୋକାନ। ଯାହା ଚନ୍ଦନଯାତ୍ରା ଦେଖିବାରେ ଶ୍ରଦ୍ଧାଳୁଙ୍କ ବାଧକ ସାଜବ ବୋଲି ଅଭିଯୋଗ ହୋଇଛି।
ତେବେ ଶ୍ରଦ୍ଧାଳୁମାନେ ଚନ୍ଦନ ଯାତ୍ରା ନଦେଖି କଣ ଦହି, ଲସି ସରବତ୍ ଦୋକାନକୁ ଦେଖିବେ କି ବୋଲି ପ୍ରଶ୍ନ ହୋଇଛି। ତେବେ ଚନ୍ଦନଯାତ୍ରା ପୂର୍ବରୁ ଏସବୁ ଦୋକାନୀଙ୍କୁ ସେଠାରେ ପସରା ମେଲାଇବାକୁ କିଏ ଦେଲା ଅନୁମତି ? ମନ୍ଦିର ପ୍ରଶାସନ ଯେଉଁ ୫ ଲକ୍ଷ ଟଙ୍କାର ବ୍ୟୟବରାଦ କଲେ ଓ ଯେଉଁମାନେ ପ୍ରସ୍ତୁତି ବୈଠକରେ ସାମିଲ ହେଲେ ସେମାନେ ଏନେଇ କାହିଁକି ପ୍ରଶ୍ନ ଉଠାଇଲେ ନାହିଁ ? ତେଣୁ ଚନ୍ଦନଯାତ୍ରା ଦେଖିବାକୁ ଆସୁଥିବା ଭକ୍ତମାନେ ଏଠାରୁ କି ଅଭିଜ୍ଞତା ନେଇ ଫେରିବେ ବୋଲି ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଚନ୍ଦନପୋଖରୀର ୪ ପାଖକୁ ଏପର୍ଯ୍ୟନ୍ତ ଉଜ୍ଜ୍ବଳ ଆଲୋକୀକରଣ କରାଯାଇନାହିଁ। ୪ ପାଖ ସଫାସୁତୁରା କରାଯାଉ ନାହିଁ। ଦୋକାନୀ ପକାଉଥିବା ଆବର୍ଜନା ପୋଖରୀରେ ଗଦା ହେଉଛି। ଏପର୍ଯ୍ୟନ୍ତ ଅପରିଷ୍କାର ପାଣି ବାହାର କରାଯାଇ ବିଶୋଧନ ହୋଇ ପାରିଲା ନାହିଁ।
ମନ୍ଦିରର ୩ଟି ପ୍ରବେଶପଥକୁ ପ୍ରଶସ୍ତ ପାଇଁ ମାଷ୍ଟରପ୍ଲାନ୍ ହେଉ
ଶାରଳାପୀଠର ଗୁରୁତ୍ବକୁ ଉପଲବ୍ଧି କରି ରାଜ୍ୟ ସରକାର ଏହାର ସଂପ୍ରସାରଣ ପାଇଁ ଯୋଜନା ଆରମ୍ଭ କରିଥିବା ସ୍ବାଗତଯୋଗ୍ୟ। ଏହି ପୀଠକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଥିବା କଣ୍ଟାପଡ଼ା ପାର୍ଶ୍ବର ରାସ୍ତା, ଜଗତସିହପୁର ଓ ଗୋରଖନାଥ ପୀଠକୁ ସଂଯୋଗ କରୁଥିବା ମୂଳିସିଂହ-ହରିପୁର- କନକପୁର ରାସ୍ତା ଏବଂ ଶାରଳାରୋଡ୍, ମୁନିଗୋସେଇଁ ମଠକୁ ସଂଯୋଗ କରୁଥିବା ମନ୍ଦିର ସାମ୍ନାର ମୁଖ୍ୟ ରାସ୍ତା ଅତ୍ୟଧିକ ଅଣଓସାରିଆ। ତେଣୁ ଗାଡ଼ିମଟର ନେଇ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ହଇରାଣ ହେଉଛନ୍ତି ଓ କେତେକ ଫେରିଯାଉଛନ୍ତି। ତେଣୁ ପ୍ରଶାସନ ଏହି ୩ଟି ରାସ୍ତାର ନବୀକରଣ ଓ ପ୍ରଶସ୍ତୀକରଣକୁ ପ୍ରାଥମିକତା ଦେଇ କାମ କରାଯାଉ। ଆପେ ଅନେକ ସମସ୍ୟାର ସମାଧାନ ବାହାରିଯିବ।
କୃଷ୍ଣଚନ୍ଦ୍ର ସାହୁ
ବିଶିଷ୍ଟ ଶିକ୍ଷାବିତ୍, ଅବସରପ୍ରାପ୍ତ ଅଧ୍ୟକ୍ଷ, ତିର୍ତୋଲ କଲେଜ
ଚନ୍ଦନ ପୋଖରୀକୁ ଜବରଦଖଲମୁକ୍ତ କରାଯାଉ
ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ବାଣୀକ୍ଷେତ୍ରକୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଆଗମନ ହେବ। କିନ୍ତୁ ଚନ୍ଦନପୋଖରୀର ୪ ପାଖରେ ଭକ୍ତମାନେ ବସି ଏହି ଯାତ୍ରାକୁ ଉପଭୋଗ କରିବାର କୌଣସି ବ୍ୟବସ୍ଥା ନାହିଁ। ମା’ଙ୍କର ଏହି ଶୃଙ୍ଖଳିତ ଓ ସୁଶୋଭିତ ଯାତ୍ରାକୁ ଉପଭୋଗ କରିବାର ସୁଯୋଗ ମିଳିବା ଉଚିତ। ବାହାରର ଭକ୍ତ ଏଠାରୁ ଯେପରି ଅଭତିଜ୍ଞତା ନେଇ ଫେରିବେ ସେ ଅନୁସାରେ ଆମ ପୀଠର ଗୁରୁତ୍ବ ବଢ଼ିବ। ଅଧିକ ଶ୍ରଦ୍ଧାଳୁ ଆକର୍ଷିତ ହେବେ। ତେଣୁ ପ୍ରଶାସନ ମନ୍ଦ ଚାରି ପାଖକୁ ଉନ୍ମୁକ୍ତ ରଖିବା ସହ ଅଯଥା ପସରା ମେଲାଇଥିବା ଦୋକାନୀଙ୍କୁ ବିକଳ୍ପ ସ୍ଥାନରେ ଥଇଥାନ କରିବା ଦିଗରେ ପଦକ୍ଷେପ ନେଉ। ଏହା ଦ୍ବାରା ମନ୍ଦିର ଓ ଯାତ୍ରାର ସୌନ୍ଦର୍ଯ୍ୟ, ମର୍ଯ୍ୟାଦା ହାନି ହେଉଛି।
ଧୀରେନ୍ଦ୍ର କୁମାର ସାହୁ (ବ୍ୟବସାୟୀ)
ଜଳନିଷ୍କାସନର ବ୍ୟବସ୍ଥା ନାହିଁ
ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍ଙ୍କ ଦୂରଦୃଷ୍ଟିସଂପନ୍ନ ପରାମର୍ଶ ତୁରନ୍ତ କାର୍ଯ୍ୟକାରୀ ହେଲେ ମନ୍ଦିରର ମର୍ଯ୍ୟାଦା ଅନେକାଂଶରେ ବଢ଼ିଯିବ। ତେବେ ମନ୍ଦିର ପ୍ରଶାସନ ମନ୍ଦିର ଭିତରର ଉଦ୍ବୃ୍ତ୍ତ ପାଣିକୁ ନିଷ୍କାସନ ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ସମସ୍ୟା ବଢ଼ୁଛି। ବର୍ଷା ହେଲେ ମନ୍ଦିର ଭିତର ପାଣି ବାହାରକୁ ଯାଇ ପାରୁନାହିଁ। ବରଂ ବଜାରରେ ଜମା ହେଉଥିବା ଆବର୍ଜନା ପାଣି ଡ୍ରେନ୍ବାଟେ ମନ୍ଦିର ବେଢ଼ାରେ ପଶୁଛି। ତେଣୁ ମନ୍ଦିର ୪ ପାଖରେ ଯୋଜନାବଦ୍ଧ ଡ୍ରେନେଜ୍ ସିଷ୍ଟମ୍କୁ ବିକଶିତ କରାଯିବା ଜରୁରୀ। ମନ୍ଦିର ପ୍ରଶାସନ ସ୍ଥାନୀୟ ମୁରବି, ବୁଦ୍ଧିଜୀବୀ, ସେବାୟତଙ୍କ ସହ ଏନେଇ ଆଲୋଚନା କରି ପଦକ୍ଷେପ ନେଉ। ଅନୁରୂପ ଭାବେ ଚନ୍ଦନଯାତ୍ରା ପାଇଁ ପୋଖରୀର ଜଳ ବିଶୋଧନ ଓ ଚାରି ପାଖକୁ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ରଖିବା ଦିଗରେ ପଦକ୍ଷେପ ନେବା କରୁରୀ।
ସଚ୍ଚିଦାନନ୍ଦ ନାୟକ, ବରିଷ୍ଠ ସେବାୟତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/CHANDAN-POKHARIKU-DOKANINKA-DAKHAL101943.jpg)