ଭକ୍ତଙ୍କୁ ଭରସା ଝଙ୍କଡ଼ବାସିନୀ, ଏବେ କାହା ଭରସାରେ ମା’ ଶାରଳା ପୀଠ?

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଓ ତାଙ୍କ ମନ୍ଦିର ପ୍ରତି ଅବହେଳାର ସୀମା ଟପିଲାଣି। ମନ୍ଦିରର ପାରିପାର୍ଶ୍ବିକ ଅବସ୍ଥା ସାଂଘାତିକ ଭାବେ ବିଗିଡ଼ିଲାଣି। ଜିଲ୍ଲା ପ୍ରଶାସନ ଏ ଦିଗରେ ମୁଣ୍ଡ ପୂରାଉନାହିଁ। ମନ୍ଦିର ଦାୟିତ୍ବରେ ଥିବା ଅଧିକାରୀଙ୍କର ମଧ୍ୟ ଦେଖା ମିଳୁନି। ସିଂହଦ୍ବାର ଠାରୁ ଆରମ୍ଭ କରି ଦୀପ ଓ ଭୋଗ ଦୋକାନ ପର୍ଯ୍ୟନ୍ତ ସବୁ ଛାତ ଫାଟି ଆଁ ହେଲାଣି। ସେଥିରୁ ପୁଳାପୁଳା ସିମେଣ୍ଟ ଶ୍ରଦ୍ଧାଳୁଙ୍କ ଉପରେ ଖସୁଛି। ମରାମତି ହେଉନାହିଁ କି ଚୂନ ଲଗାଯାଉନାହିଁ। ଏବେ କୋଟିକୋଟି ଶ୍ରଦ୍ଧାଳୁଙ୍କ ବିଶ୍ବାସ ଓ ଭରସା ଥିବା ମା’ ଶାରଳାଙ୍କ ପୀଠ କାହା ଭରସାରେ ବୋଲି ଭକ୍ତ ପ୍ରଶ୍ନ କରୁଛନ୍ତି। ମନ୍ଦିର ପରିଚାଳନା ଚରମ ଦୁର୍ଦ୍ଦିନରେ ପହଞ୍ଚିଛି।

କୋଟିଏ ଟଙ୍କା ଖର୍ଚ୍ଚ ହେଲା କେମିତି ଓ କେଉଁଠି?
ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ତତ୍‌କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକ୍‌ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ୧ କୋଟି ଟଙ୍କାର ଅନୁଦାନ ଘୋଷଣାକରି ଭୋଟରଙ୍କ ମନ ଜିଣିଲେ। ପୂର୍ବତନ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ତାଙ୍କ ସମୟରେ ଆସିଥିବା ଏହି ଟଙ୍କା କେମିତି ଓ କେଉଁଠି ଖର୍ଚ୍ଚ ହେଲା ତାର ହିସାବ କାହା ପାଖରେ ନାହିଁ। ବିବାଦୀୟ ପରିସ୍ଥିତିରେ ମନ୍ଦିର ସାମ୍ନାରେ ଦାରୁ ସ୍ମୃତିରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ବଡ଼ ଠାକୁର ବଳଭଦ୍ରଙ୍କ ଏକ ମନ୍ଦିର ନିର୍ମାଣ କରାଗଲା। ସେହି ମନ୍ଦିରରେ ଏବେ ବି ତାଲା ଝୁଲୁଛି। ମନ୍ଦିର ନିର୍ମାଣ କେବଳ ଠିକାଦାର ସ୍ବାର୍ଥରେ କରାଗଲା ବୋଲି ସମାଲୋଚନା ହେଉଛି। ଯେଉଁ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ପାଇଁ ୫୦ରୁ ଅଧିକ ଦୋକାନୀଙ୍କୁ ଉଚ୍ଛେଦ କରି ସେମାନଙ୍କ ଜୀବନଜୀବିକା ବିପନ୍ନ କରାଗଲା ସେଠାରେ ତାଲା ପଡ଼ି ରହିଥିବା ମନ୍ଦିର ଉପହାସ ସଦୃଶ ଠିଆ ହୋଇ ରହିଛି। ମନ୍ଦିର ଭିତରେ ବଳଭଦ୍ରଙ୍କ ରଥ ଚକକୁ ରଖାଯାଇ ତାଲା ପକା ଯାଇଛି। ମନ୍ଦିର କେବେ ପ୍ରତିଷ୍ଠା ହେବ ତାର ଉତ୍ତର କାହା ପାଖ‌ରେ ନାହିଁ।

Sambad

ପାଚେରି ନିର୍ମାଣ କାହା ସ୍ବାର୍ଥରେ ?
ମନ୍ଦିରର ଜମିକୁ ଜବରଦଖଲମୁକ୍ତ କରିବା ଉଦ୍ଦେଶ୍ୟରେ ମାପଚୁପ କରି ପୁରୁଣା ମେଘନାଦ ପାଚେରି ଭଙ୍ଗାଯିବା ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟିହେଲା। ଏପର୍ଯ୍ୟନ୍ତ ମନ୍ଦିର ପଛପାଖରେ ଥିବା ଠାକୁରାଣୀଙ୍କ ଜମି ଅନ୍ୟ ଲୋକଙ୍କ ଦଖଲରେ ରହିଛି। କାହିଁକି ପାଚେରି ଭଙ୍ଗା ଯାଇଥିଲା ତାର କୌଣସି ସନ୍ତୋଷଜନକ ଉତ୍ତର ନପାଇ ପୂଜକଙ୍କ ଭିତରେ ଅସନ୍ତୋଷ ତୀବ୍ର ହୋଇଛି। ମନ୍ଦିରର ଉନ୍ନତୀକରଣ ପାଇଁ କୋଟିଏ ଟଙ୍କାର ଖର୍ଚ୍ଚକୁ ନେଇ ବଢ଼ିଥିବା ସନ୍ଦେହ ଏବେ ଅସନ୍ତୋଷର ମଞ୍ଜି ବୁଣିଛି। ମନ୍ଦିରର ସୌନ୍ଦର୍ଯ୍ୟ ରସାତଳକୁ ଯାଉଥିବା ବେଳେ କୋଟିଏ ଟଙ୍କାର ଅନୁଦାନ ଅର୍ଥ ଖର୍ଚ୍ଚ ଧର୍ମକୁ ଆଖିଠାର ସଦୃଶ ହୋଇଛି।

ପ୍ରାଶାସନିକ ଅଧିକାରୀଙ୍କ ପାଦ ପଡ଼ୁ ନାହିଁ
ଜିଲ୍ଲାପାଳ ଭାବେ ପାରୁଲ ପଟ୍ଟୱାରୀ ଯୋଗ ଦେବାର କିଛି ଦିନ ପରେ ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏହାପରେ ମନ୍ଦିରକୁ ସେ ସମ୍ପୂର୍ଣ୍ଣ ଭୁଲି ଗଲାଭଳି ମନେ ହୁଏ। ମାର୍ଚ୍ଚମାସ ଶେଷ ସପ୍ତାହରେ ଏଠାକୁ ଜିଲ୍ଲାପାଳ ଆସି ସପ୍ତାହକ ମଧ୍ୟରେ ସବୁ ସମସ୍ୟାର ସମାଧାନ କରାଯିବ କହି ଚୁପ୍‌ ରହିଛନ୍ତି। ମନ୍ଦିର ପାରିପାର୍ଶ୍ବିକ ବ୍ୟବସ୍ଥା ବିଗୁଡ଼ୁଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସତ୍ତ୍ବେ ସମସ୍ତ ପ୍ରାଶାସନିକ ଅଧିକାରୀ ନିଦାବିଷ୍ଣୁ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଂଜନ ପରିଜାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁ ନାହିଁ। ଦୁଇ ମାସରୁ ଅଧିକ ହେବ ତାଙ୍କର ଏଠାରେ ଦେଖାଦର୍ଶନ ନାହିଁ। ଅବୈତନିକ ଭାବେ ନିୟୋଜିତ ଏହି ଅଧିକାରୀ ରୁହନ୍ତି ଭୁବନେଶ୍ବରରେ। ଖର୍ଚ୍ଚାନ୍ତ ହୋଇ ଏଠାକୁ ଆସି ଦୈନନ୍ଦିନ କାର୍ଯ୍ୟ ତୁଲାଇବା ସମ୍ଭବ ହେଉନାହିଁ।

ବନ୍ଦ ରହିଛି ଯାତ୍ରୀ ବିଶ୍ରାମାଗାର
ସେହିପରି ମନ୍ଦିର ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯାତ୍ରୀ ନିବାସ ନିର୍ମାଣ କରାଯାଇଥିବା ବେଳେ ତାହା ବନ୍ଦ ରହିଛି। ଏହି ଯାତ୍ରୀ ନିବାସ ନ ଖୋଲିବା ପଛରେ କିଛି ମୁଷ୍ଟିମେୟ ଲୋକଙ୍କ ହାତ ରହିଥିବା କୁହାଯାଉଛି। ଯାତ୍ରୀନିବାସକୁ ଲାଗି ଥିବା ଏକ ଘରୋଇ ସଂସ୍ଥାର ବେପାର ବଢ଼ିବା ବେଳେ ମନ୍ଦରର ଯାତ୍ରୀନିବାସଟି ଅବ୍ୟବହୃତ ଅବସ୍ଥାରେ ପଡ଼ିଛି କାହିଁକି ? କିଏ ତାର ପରଚାଳନା କରିବ ଅବା କିଏ କାହାକୁ ଦାୟିତ୍ବ ଦେବ ତାର ନିର୍ଦ୍ଦିଷ୍ଟ ନିୟମାବଳୀ ନାହିଁ।

ଖସୁଛି ସିମେଣ୍ଟ ପଲସ୍ତରା
ପ୍ରାୟ ୫ଶହ ବର୍ଷ ପୂର୍ବେ ନିର୍ମିତ ଏହି ମନ୍ଦିରର କୋଠା ଅସୁରକ୍ଷିତ ହୋଇପଡ଼ିଛି। ସିଂହଦ୍ବାର, ଦୀପ ଓ ଭୋଗ ଦୋକାନ, ମନ୍ଦିର କାର୍ଯ୍ୟାଳୟ ଛାତରୁ ପୁଳା ପୁଳା ସିମେଣ୍ଟ ଖସୁଛି। ଶ୍ରଦ୍ଧାଳୁଙ୍କ ଉପରେ ଏହା ଖସି ପଡ଼ୁଥିବାରୁ ମନ୍ଦିରକୁ ଆସିବାକୁ ସେମାନେ ଭୟ ‌କଲେଣି। ମନ୍ଦିର ଯାହା ବି ନିର୍ମାଣ କାମ ଆରମ୍ଭ ହୋଇଥିଲା, ତାହା ଅଧାପନ୍ତରିଆ ହୋଇ ରହିଛି।

ମନ୍ଦିର ପ୍ରଶାସନ ବୈଠକ ତୁରନ୍ତ ଡକାଯିବ
ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା କହିଛନ୍ତି ମନ୍ଦିର ପ୍ରଶାସନ ବୈଠକ ତୁରନ୍ତ ଡକାଯିବ। ତେବେ ମନ୍ଦିର ପରଚାଳନା କ୍ଷମତା ସଂକୁଚିତ ପଛରେ ପ୍ରଶାସନ ହସ୍ତକ୍ଷେପର ଅଭାବକୁ ସେ ଖୋଲାଖୋଲି ଭାବେ ସମଲୋଚନା କରି ନଥିଲେ ହେଁ ପରୋକ୍ଷରେ ସମସ୍ତ ଅବ୍ୟବସ୍ଥା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ବୈଠକ ଡକାଯାଉ ନାହିଁ କି କୌଣସି ଅର୍ଥ ମଧ୍ୟ ଦିଆଯାଉ ନାହିଁ। ଏମିତିକି ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାର ଦେଇଥିବା ଅନୁଦାନ କେମିତି ଖର୍ଚ୍ଚ ହେଲା, ସେ ବି ଜାଣନ୍ତି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର