ଝଙ୍କଡ଼: ଶକ୍ତିପୀଠ ଝଙ୍କଡ଼ସ୍ଥିତ ମା’ ଶାରଳା ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ପୁଣି ଧିମେଇଯାଇଛି। ୫-ଟି ସଚିବଙ୍କ ଗସ୍ତ ପୂର୍ବରୁ କାମ ଧୀମେଇ ଯାଇଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ତେବେ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହେବାପରେ ଉନ୍ନତୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିଲା। ବର୍ତ୍ତମାନ ପୁଣି କାମ ଧିମେଇଛି। ଅନ୍ୟପକ୍ଷେ ମନ୍ଦିର ବେଢ଼ା ସମ୍ପ୍ରସାରଣ ପାଇଁ ଥିବା ପ୍ରସ୍ତାବ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ସେହିପରି ପ୍ରସ୍ତାବିତ ବାଇପାସ୍‌ ରାସ୍ତା ନିର୍ମାଣ କାମ ବିଳମ୍ବିତ ହେବାରେ ଲାଗିଛି। ଆଗାମୀ ଶହେ ବର୍ଷ ପାଇଁ ପରିକଳ୍ପିତ ଏହି ପ୍ରକଳ୍ପ ବାବଦ ଏକାଧିକ ପ୍ରସ୍ତାବ ଉପେକ୍ଷିତ ହେଉଛି। ଫଳରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଗତ ୨୬ ତାରିଖରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ, ନିର୍ମାଣକାରୀ ସଂସ୍ଥାର ମୁଖ୍ୟ, ସ୍ଥାନୀୟ ସେବାୟତଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମନ୍ଦିର ବେଢ଼ାର ସାମ୍ନା ପାର୍ଶ୍ୱ ଅନ୍ତତଃପକ୍ଷେ ୫୦ ମିଟର୍‌ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲେ ବେଢ଼ାରେ ହେଉଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରିତ ହୋଇପାରିବ। ସେହିପରି ମନ୍ଦିର ଉତ୍ତର ପାର୍ଶ୍ୱରେ ପଟ୍ଟନାକିଆ ପୋଖରୀ ବାଟେ ତୁରନ୍ତ ଏକ ବିକଳ୍ପ (ବାଇପାସ୍‌) ରାସ୍ତା ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ନିର୍ମାଣ ହେଲେ ମନ୍ଦିର ସାମ୍ନାରେ ଟ୍ରାଫିକ୍‌ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ପ୍ରସ୍ତାବ ରଖାଯାଇଥିଲା। ଏଦିଗରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ସଚିବ କହିବା ସହ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ବର୍ତ୍ତମାନ କାମର ଅଗ୍ରଗତିରୁ ଜଣାପଡ଼ୁଛି ଯେ ମନ୍ଦିର ସିଂହଦ୍ୱାରକୁ ମାତ୍ର କିଛି ହାତ ଦୂର ଅର୍ଥାତ ଦୋଳବେଦୀ ସଂଲଗ୍ନ ମହାବୀର ମନ୍ଦିର ପର୍ଯ୍ୟନ୍ତ ନିଆଯାଉଛି। ଯାହା ୨୦ ମିଟରରୁ ବି କମ୍‌ ହେବ।

Advertisment

ତେବେ ସିଂହଦ୍ବାରକୁ ୩୦ ମିଟର୍‌ ସାମ୍ନା ରାସ୍ତା ପାଖକୁ ସମ୍ପ୍ରସାରଣ କରାଗଲେ କିଛି ମାତ୍ରାରେ ବେଢ଼ା ସମ୍ପ୍ରସାରଣ ଉଦ୍ଦେଶ୍ୟ ସାଧିତ ହୁଅନ୍ତା ବୋଲି ଦାବି କରାଯାଇଛି। ସେହିପରି ମନ୍ଦିର ପଛପାଖ ପଶ୍ଚିମ ଦ୍ୱାର ପଟେ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ସେଠାରେ ସମ୍ପ୍ରସାରଣ ସମ୍ଭବ ହେଉନଥିବାରୁ ସାମ୍ନା ପାର୍ଶ୍ୱରେ ହିଁ ଅଧିକ ଧ୍ୟାନଦେଇ କାମ କରାଯିବା ଆବଶ୍ୟକ। ଜିଲ୍ଲାପାଳ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ଯିବାପରେ ଏହି ଦୁଇଟି କାର୍ଯ୍ୟ ସମ୍ପାଦନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଜନସାଧାରଣ ତଥା ଶ୍ରଦ୍ଧାଳୁଙ୍କ ଦାବିକୁ ଗୁରୁତ୍ୱ ଦିଆଯାଉ ନାହିଁ। ୪୨ କୋଟି ଟଙ୍କା ଅନୁଦାନରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୂଳ ନକ୍ସାକୁ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହେଉଛି। ତେଣୁ ପ୍ରକଳ୍ପର ଏକ ପ୍ରସ୍ତାବିତ ଚିତ୍ର ସେହି ସ୍ଥାନରେ ପ୍ରଦର୍ଶିତ କରିବାକୁ ଦାବି ହୋଇଛି। ତେବେ ପ୍ରକଳ୍ପ କାମ ନିର୍ଧାରିତ ସମୟରେ ଶେଷ କରିବା ପାଇଁ ଭକ୍ତ ଓ ସେବାୟତଙ୍କ ମହଲରେ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ସୁନ୍ଦର ଢଙ୍ଗରେ ଓ ଶ୍ରଦ୍ଧାଳୁଙ୍କ କଲ୍ୟାଣ ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଗଲେ ଏହା ରାଜ୍ୟ ତଥା ଦେଶର ଏକ ଆଦର୍ଶ ତୀର୍ଥ ତଥା ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହୋଇପାରନ୍ତା।