ଶାରଳା ମନ୍ଦିରରେ ଦାନ ବାକ୍ସ କେତେ ସୁରକ୍ଷିତ? ୨୨ ସିସିଟିଭିରୁ ୬ ଅଚଳ, ପାଚେରି ନିଚା, ଷ୍ଟ୍ରଙ୍ଗ୍‌ରୁମ୍‌ ବି ଅସୁରକ୍ଷିତ

ବାଡ଼ିଧରା ରାତ୍ର ଜଗୁଆଳ ହାତରେ ସୁରକ୍ଷା, ମା’ଙ୍କ ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୃହ ଅସୁରକ୍ଷିତ, ମହିଳାଙ୍କ ପାଇଁ ନାହାନ୍ତି ପୁଲିସ୍‌ ଅବା ସୁରକ୍ଷା କର୍ମୀ

ଜଗତସିଂହପୁର: ଜିଲ୍ଲାର ପ୍ରସିଦ୍ଧ ଗୋରଖନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍ ଘଟଣାର ୩ ଦିନ ପରେ ବି ପୁଲିସର ହାତ ଖାଲି ରହିଛି। ଏମିତିକି ଏହି ମାମଲାରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରି ଏ ପର୍ଯ୍ୟନ୍ତ ଚୋର ନିକଟରେ ପହଞ୍ଚି ପାରିନାହିଁ। ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଶେଷକରି ପ୍ରସିଦ୍ଧ ଝଙ୍କଡ଼ପୀଠ ଶାରଳା ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ଅଙ୍ଗୁଳି ଉଠିଛି। ଏହି ମନ୍ଦିରରେ ମୋଟ ୨୨ଟି ସିସି କ୍ୟାମେରା ଖଞ୍ଜା ଯାଇଥିବା ବେଳେ ସେଥିରୁ ୬ଟି କ୍ୟାମେରା ଅଚଳ। କିନ୍ତୁ ମନିଟର୍‌ଟି ମଧ୍ୟ ଅଚଳ ହୋଇ ପଡ଼ିଥିବାରୁ ତାହା ଦୁଇ ଦିନ ତଳେ ମରାମତି ପାଇଁ ଦିଆଯାଇଛି। ମନ୍ଦିର ସଂଲଗ୍ନ ଫାଣ୍ଡିରେ ଜଣେ ହାବିଲଦାର, ଦୁଇ ଜଣ କନେଷ୍ଟବଳ ଥିଲେ ହେଁ କୌଣସି ମହିଳା କନେଷ୍ଟବଳକୁ ଏଠାରେ ନିଯୁକ୍ତି ଦିଆଯାଇ ନଥିବାରୁ ମହିଳା ଯାତ୍ରୀ ପର୍ଯ୍ୟାପ୍ତ ସୁରକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ରାତି ସମୟରେ ମନ୍ଦିର ବେଢ଼‌ା ଜଗିବାକୁ ଜଣେ ହେଲେ ନିରାପତ୍ତାରକ୍ଷୀଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଜଣେ ନିରସ୍ତ୍ର କର୍ମଚାରୀ ରାତ୍ରଜଗୁଆଳ କାମ ତୁଲାଉଥିବା ବେଳେ ମନ୍ଦିର ଭିତରର ୫ଟି ହୁଣ୍ଡିବାକ୍ସ ଓ ମା’ଙ୍କ ସ୍ବର୍ଣ୍ଣ, ‌ରୌପ୍ୟ ଅଳଙ୍କାର ଗଚ୍ଛିତ ଥିବା ଷ୍ଟଙ୍ଗ୍‌ରୁମ୍‌ ଅସୁରକ୍ଷିତ ଭାବେ ରହିଛି। ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଖୋଲାମେଲାରେ ଛାଡ଼ି ଦିଆଯାଇଛି। ଗୋରଖନାଥ ମନ୍ଦିରରେ ୩ ଜଣ ରାତ୍ରଜଗୁଆଳ ଥାଇ ୧୦ ଲକ୍ଷ ଟଙ୍କାର ହୁଣ୍ଡିବାକ୍ସ ଲୁଟ୍‌ ହେଲା। କିନ୍ତୁ ଶାରଳା ମନ୍ଦିରରେ ଜଣେ ହେଲେ ରାତ୍ର ଜଗୁଆଳ ନିଯୁକ୍ତ ନଥିବାରୁ କେବେ କୌଣସି ଏପରି ଅଘଟଣ ଘଟିଲେ କିଏ ଦାୟୀ ରହିବେ ବୋଲି ଏବେ ପ୍ରଶ୍ନ ହେଉଛି। ଗତ କିଛିମାସ ତଳେ ମନ୍ଦିର ଉନ୍ନୟନ କାମ ଚାଲିଥିବା ବେଳେ ଠିକାସଂସ୍ଥା ପଛପଟ ପାଚେରିକୁ ଏତେ ନୀଚ କରାଯାଇଛି ଯେ ଚୋର‌ ଡେଇଁ ଭିତରକୁ ପଶିବା ଏକଦମ୍‌ ସହଜ ହେବ। ଶାରଳା ରୋଡ୍‌, ରାହାମା ହାଟରେ ଥିବା ଦୁଇଟି ହୁଣ୍ଡିବାକ୍ସ ଖୋଲାମେଲ‌ାରେ ପଡ଼ିଛି। ସେହିପରି ମନ୍ଦିର ବାହାରେ ମହାବୀର ମନ୍ଦିର ପାର୍ଶ୍ବରେ ଓ ସିଂହଦ୍ବାର ନିକଟରେ ଦୁଇଟି ହୁଣ୍ଡିବାକ୍ସ ରଖାଯାଇଥିବା ବେଳେ ମନ୍ଦିର ବେଢ଼ା ଭିତରେ ୫ଟି ହୁଣ୍ଡିବାକ୍ସ ଖୋଲାମେଲାରେ ପଡ଼ିଛି।

ଜିଲ୍ଲାର ଜିଲ୍ଲାପାଳ ମନ୍ଦିରର ଏକକ ଟ୍ରଷ୍ଟି ହୋଇଥିଲେ ହେଁ କୋଟି କୋଟି ଟଙ୍କାର ସମ୍ପତ୍ତିର ରକ୍ଷଣାବେକ୍ଷଣ ଦିଗରେ ଅଧସ୍ତନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଗଲେ ହୁଏତ ଗୋରଖନାଥ ହୁଣ୍ଡି ଲୁଟ୍‌ ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ। କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ରାଜ୍ୟର ଭକ୍ତଙ୍କ ଭାବାବେଗ ସହ ଶାରଳା ମନ୍ଦିର ଯୋଡ଼ି ହୋଇ ରହିଛି। କୋଭିଡ୍ କଟକଣା ଉଠିବା ପରେ ମନ୍ଦିରକୁ ଦୈନିକ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏଣୁ ଶ୍ରଦ୍ଧାଳୁମାନେ ଠାକୁରାଣୀଙ୍କୁ ଦର୍ଶନ କରିବା ସହ ଦାନବାକ୍ସରେ ହାତ ଖୋଲି ଦାନ କରୁଛନ୍ତି। ସେମାନଙ୍କ ଦାନରେ ମନ୍ଦିରର ଉନ୍ନତି ଓ ଠାକୁରାଣୀଙ୍କ ପୂଜା କାର୍ଯ୍ୟ ଚାଲୁଛି। ମାତ୍ର ଏହି ଦାନବାକ୍ସ ଯେ ଶତ ପ୍ରତିଶତ ସୁରକ୍ଷିତ ତାହା ମନ୍ଦିରର ଖୋଦ୍ ସେବାୟତ, ପରିଚ୍ଛା ଓ ପ୍ରଶାସନ ଦୃଢ଼ ଭାବେ କହିପାରୁ ନାହାନ୍ତି। ବର୍ଷକରେ ଥରେ ଖୋଲାଯାଉଥିବା ହୁଣ୍ଡିରେ ସୁରକ୍ଷା ଦାୟିତ୍ବରେ ଅବହେଳା ପାଇଁ ଉତ୍ତରଦାୟୀ କିଏ ହେବ ?
ଶାରଳା ମନ୍ଦିରକୁ ୫ଟି ସଚିବଙ୍କ ଗସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪୨ କୋଟି ଟଙ୍କାର ଅନୁଦାନ ଘୋଷଣା ପରେ ଏବେ ସମସ୍ତଙ୍କ ନଜର ଏହା ଉପରେ ରହୁଛି। ଦିନକୁ ଦିନ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ମନ୍ଦିର ପ୍ରଶାସନ ଏ ନେଇ ସଜାଗ ରହିବା ଉଚିତ୍। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଂଜନ ପରିଜା ମଧ୍ୟ ମନ୍ଦିରର ସୁରକ୍ଷା ଢିଲାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ‌ଯେ, ଗୋରଖନାଥ ମନ୍ଦିରରୁ ‌ଚୋରି ପରେ ବର୍ତ୍ତମାନ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଅଚଳ ସିସିଟିଭି ତୁରନ୍ତ ମରାମତି କରାଯିବ। ଆଗକୁ ମନ୍ଦିର ‌ବେଢ଼ା ସଂପ୍ରସାରଣ ହେବାକୁ ଥିବାରୁ ମନ୍ଦିର ପ୍ରଶାସନ କେତେକ ପଦକ୍ଷେପ ବିଷୟରେ ଯୋଜନା କରିଛି। ଜିଲ୍ଲା ପ୍ରଶାସନ ଏଦିଗରେ ସହଯୋଗ କଲେ ସୁରକ୍ଷା ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ ହୋଇ ପାରନ୍ତା।

ସମ୍ବନ୍ଧିତ ଖବର