ରୁପ୍ରା: କଳାହାଣ୍ତି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁର ପଞ୍ଚାୟତର ସରପଞ୍ଚ ଋତିକା କୁମାରଙ୍କ ଆଜି ଦୁଃଖଦ ମୃତ୍ୟୁ ଘଟିଛି। ୨୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ଆଜି ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଏମ୍ସକୁ ନିଆଯାଉ ଥିବାବେଳେ ମଦନପୁର ରାମପୁର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ଫେରାଇ ଆଣି ଆଜି ସନ୍ଧ୍ୟାରେ ଗାଁ ମଶାଣିରେ ଏକ ଦୁଃଖଦ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
ସୂଚନାଯୋଗ୍ୟ, ଋତିକା ଗତବର୍ଷ ପଞ୍ଚାୟତିରାଜ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଶାନ୍ତପୁର ପଞ୍ଚାୟତରେ ଅବତୀର୍ଣ୍ଣ ହୋଇଥିଲେ। ସେ ନିକଟତମ ପ୍ରାର୍ଥୀ ଭାରତୀ ହରପାଲଙ୍କୁ ୩୬୯ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ। ଋତିକାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ବିବାହ କରି ନଥିଲେ। ସେ ହେଉଛନ୍ତି ତାଙ୍କ ବାପା ବ୍ରଜମୋହନ କୁମାରଙ୍କ ବଡ଼ ଝିଅ। ତାଙ୍କ ପରିବାରରେ ବାପା, ମା’, ୨ଟି ଭଉଣୀ ଓ ଗୋଟିଏ ଭାଇ ଅଛନ୍ତି। ଋତିକା ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇ ରାଜନୀତିରେ ପ୍ରବେଶ କରିଥିଲେ।
ତାଙ୍କ ଅକାଳ ବିୟୋଗରେ ନର୍ଲା ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ନର୍ଲା ବିଧାୟକ ଭୂପିନ୍ଦର ସିଂହ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବିଡିଓ ବାସନ୍ତୀ ସେଠୀ, ଜିପିଇଓ କ୍ଷିତୀଶ ଚନ୍ଦ୍ର ନାଏକ, ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମିତି ସଭ୍ୟାଙ୍କ ପ୍ରତିନିଧି ନିର୍ମଳ ସେଠୀ, ସର୍ଗିଗୁଡ଼ା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ବଡ଼ଧାରପୁର ସରପଞ୍ଚ ପର୍ଶୁରାମ ହରପାଲ, ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ, ଶାନ୍ତପୁର ସମିତିସଭ୍ୟ ଜୟ ମେହେର, ରୁପ୍ରା ସରପଞ୍ଚ ଡଲି ବେହେରା, ସମିତି ସଭ୍ୟା ସସ୍ମିତା ବିଶ୍ଵାଳ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଯୋଷୀ, ପୂର୍ବତନ ସରପଞ୍ଚ ଲୋକନାଥ ସା, ଟିକେଧର ସାହୁ, ସମସ୍ତ ୱାର୍ଡସଭ୍ୟ/ସଭ୍ୟା, ଉଲିକୁପା ସରପଞ୍ଚ ପ୍ରତିନିଧି ଚିତ୍ରସେନ ଶବର, ନିଶାଣପୁର ସରପଞ୍ଚ ପ୍ରତିନିଧି ମନୋଜ କରୁଆଁ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର, ଉପଦେଷ୍ଟା ପ୍ରକାଶ ସାଗର, ଉପସଭାପତି ତଥା ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ, ନର୍ଲା ବ୍ଲକ ଉପଦେଷ୍ଟା ବଳରାମ ହରପାଲ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶୀଲ କୁମାର ବାଗ, ଗୋବିନ୍ଦ ତାଣ୍ଡି, ମୂରଲୀ ସୁନା, ସମାଜସେବୀ ରୁଦ୍ରପ୍ରସାଦ ସାହୁ, ସତ୍ୟବାଦୀ ସାହୁ, ଚଣ୍ଡିଦାସ ସାହୁ, ସୁଦର୍ଶନ ଦୋରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ନର୍ଲା ପ୍ରେସ୍ ଏସୋସିଏସନ ତରଫରୁ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକାକୂଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତାଙ୍କ ଶବାଧାରରେ ବହୁବିଶିଷ୍ଟ ବ୍ୟକ୍ତିଙ୍କ ସମେତ ପରିବାର, ବନ୍ଧୁବର୍ଗ ଓ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ନିଜ ପ୍ରତିନିଧିଙ୍କୁ ଶେଷଦର୍ଶନ କରିଥିଲେ।