ମାଓପ୍ରବଣ ସୁମରବନ୍ଧ ପଞ୍ଚାୟତ: ପାଞ୍ଚବର୍ଷ ଧରି ସରପଞ୍ଚଙ୍କୁ ଦେଖିନାହାନ୍ତି ଲୋକେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ର ଦୁର୍ଗମ ତଥା ମାଓପ୍ରବଣ ସୁମରବନ୍ଧ ପଞ୍ଚାୟତର ଅବସ୍ଥା ନ କହିବା ଭଲ। ମାଓବାଦୀଙ୍କ ଧମକ ଭୟରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ସୁମରବନ୍ଧ ଏହି ପଞ୍ଚାୟତରୁ ନିର୍ବାଚିତ ହୋଇଥିବା ସରପଞ୍ଚଙ୍କର ଦେଖା ମିଳୁନାହିଁ। ଅପରପକ୍ଷେ, ନୂଆକରି ଗଠନ ହୋଇଥିବା ସୁମରବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ବି ଆଜିଯାଏ ଶେଷ ହୋଇ ପାରୁନାହିଁ। ଫିରିଙ୍ଗିଆ ବ୍ଲକର ସାଡ଼ିଙ୍ଗିଆ ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଦୁର୍ଗମ ଇଲାକାରେ ଅବସ୍ଥିତ ସୁମରବନ୍ଧ ପଞ୍ଚାୟତ ଘୋଷିତ ହୋଇଥିଲେ ମଧ୍ୟ ଏହାର ମୁଖ୍ୟାଳୟ ମିଙ୍ଗୁନପଦରରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଶାସନର ନିଷ୍ପତ୍ତି ଅନୁସାରେ ପଞ୍ଚାୟତର ନାମ ସୁମରବନ୍ଧ ହୋଇଥିଲେ ମଧ୍ୟ ଅଫିସ ମିଙ୍ଗୁନପଦ‌ରରେ ସ୍ଥାପନ ଆରମ୍ଭ ହୋଇଥିଲା। ମାତ୍ର ଗତ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ ହୋଇଥିବା ଏହି ପଞ୍ଚାୟତ କାର୍ଯ୍ୟାଳୟ ଆଜି ଯାଏ ଶେଷ ହୋଇପାରିଲା ନାହିଁ। ଆଗକୁ ପୁଣି ଏକ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ଏକ ସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ସବୁଠୁ ବଡ଼ କଥା ହେଉଛି, ସୁମରବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ଏବେ କେଉଁଠି ଚାଲୁଛି, ତାହା ସ୍ଥାନୀୟ ଲୋକଙ୍କୁ ଜଣାନାହିଁ ବୋଲି କହନ୍ତି ସୁମରବନ୍ଧ ପଞ୍ଚାୟତ ଅନ୍ତର୍ଗତ ରତାମାସ୍କା ଗ୍ରାମର ବିଗ କହଁର। ସେହିଭଳି ଗତ ପାଞ୍ଚବର୍ଷ ଧରି ମାଓବାଦୀଙ୍କ ଧମକରେ ଡରିଯାଇ ଏଠାକାର ସରପଞ୍ଚଙ୍କର ମଧ୍ୟ ଦେଖାଦର୍ଶନ ନାହିଁ ବୋଲି କହନ୍ତି ରତାମାସ୍କା ଗ୍ରାମର ଡାକେଶ୍ବର କହଁର। ସୁମରବନ୍ଧ ପଞ୍ଚାୟତର ସ୍ଥାୟୀ କାର୍ଯ୍ୟାଳୟ ଗୃହ ନଥିବାରୁ ଅଫିସ ଏବେ କେଉଁଠି ଚାଲିଛି ତାହା ମଧ୍ୟ କେହି କହି ପାରୁନାହାଁନ୍ତି। ତେବେ ପଞ୍ଚାୟତର ସମସ୍ତ ପ୍ରକାର କାଗଜପତ୍ର ଫିରିଙ୍ଗିଆ ବ୍ଲକରେ ରହିଛି ଏବଂ ସେଠାରେ ହିଁ ପଞ୍ଚାୟତ ଚାଲିଛି ବୋଲି କୁହାଯାଉଛି।

ମାଓବାଦୀଙ୍କ ଭୟରେ ଏହି ପଞ୍ଚାୟତରେ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପାଦ ମଧ୍ୟ ଦିନେ ହେଲେ ଏଠାରେ ପଡ଼ିନାହିଁ। ପଞ୍ଚାୟତ କାର୍ଯ୍ୟାଳୟଟି ଅଧାପନ୍ତରିଆ ଅବସ୍ଥାରେ ପରିତ୍ୟକ୍ତ ହୋଇ ପଡ଼ି ରହିଛି। ମାତ୍ର, ନିକଟରେ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପଞ୍ଚାୟତ ନିର୍ବାଚନ ଚିଠା ତାଲିକା ଓ ଜିଲ୍ଲା ପରିଷଦ ନିର୍ବାଚନମଣ୍ଡଳୀ ଚିଠା ତାଲିକା ଅର୍ଦ୍ଧନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ମାରି ଦିଆଯାଇଛି। ତେବେ ଏହି ନୋଟିସ ଏକ ପରିତ୍ୟକ୍ତ ବିଲ୍‌ଡିଂ କାନ୍ଥରେ ଲଗାଇବାର ଉଦ୍ଦେଶ୍ୟ କ’ଣ ‌ହୋଇପାରେ ଏବଂ କାହା ପାଇଁ ଏସବୁ ନୋଟିସ ଲଗାଯାଇଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଗତ ନିର୍ବାଚନ ସମୟରେ ମାଓବାଦୀମାନେ ସୁମରବନ୍ଧ ଘାଟି ନିକଟରେ ଦୁଇଟି ସରକାରୀ ଗାଡ଼ି ପୋଡ଼ି ଦେଇଥିଲେ। ମାଓବାଦୀଙ୍କ ଭୟ ସତ୍ତ୍ବେ ଏଠାରେ ଗତ ପଞ୍ଚାୟତ ନିର୍ବାଚନ ହୋଇଥିଲା ଏବଂ ସରପଞ୍ଚ ନିର୍ବାଚିତ‌ ହୋଇଥିଲେ। ମାତ୍ର ମାଓ ଭୟରେ ନବନିର୍ବାଚିତ ସରପଞ୍ଚ ସମ୍ପୂର୍ଣ୍ଣ ଭାବେ ସ୍ଥାନୀୟ ଅଞ୍ଚଳ ଛାଡ଼ି ଚାଲି ଯାଇଛନ୍ତି। ବିଗତ ପାଞ୍ଚବର୍ଷ ଧରି ବିନା ସରପଞ୍ଚରେ ଏହି ପଞ୍ଚାୟତ କେମିତି ଚାଲିଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଏ ଅଞ୍ଚଳରେ ମାଓବାଦୀମାନେ ଅଧିକ ମାତ୍ରାରେ ସକ୍ରିୟ ରହିଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନ ମଧ୍ୟ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର