ଖୋର୍ଦ୍ଧା: ଆଜି ମଲ୍ଲିପୁର ପଞ୍ଚାୟତରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ବାଣ୍ଟିବା ବେଳେ ନିର୍ଦ୍ଧାରିତ ଓଜନରୁ ୨ରୁ୩ କିଲୋଗ୍ରାମ ଚାଉଳ କମ ଦିଆଯାଉଥିବାକୁ କେନ୍ଦ୍ର କରି ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମଲ୍ଲିପୁର ପଞ୍ଚାୟତର ଚମ୍ପାପୁର ଗ୍ରାମବାସୀ ଉଭୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ଅଟକ ରଖିଛନ୍ତି। ଆଜି ଅପରାହ୍ନରେ ମଲ୍ଲିପୁର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ଅଧିକାରୀ ଗୋଲକ ବିହାରୀ ଶୁକ୍ଲ ହିତାଧିକାରୀଙ୍କୁ ଚାଉଳ ବାଣ୍ଟୁଥିଲେ। ଏହି ସମୟରେ ଚମ୍ପାପୁର ଗାଁର ହିତାଧିକାରୀ ମାନେ ନିଜ ଚାଉଳରୁ ଦେଢ଼ କିଲୋଗ୍ରାମରୁ ୨ କିଲୋଗ୍ରାମ ଚାଉଳ କମାଇ ଦିଆଯାଉଥିବା ଦେଖି ପଞ୍ଚାୟତ ଅଧିକାରୀଙ୍କୁ ପଚାରିଥିଲେ। ପଂଚାୟତ ଅଧିକାରୀ ଏହାର ଉତ୍ତର ଦେଇ ନ ପାରିବାରୁ ଉପସ୍ଥିତ ଶତାଧିକ ପୁରଷ ମହିଳା ପଞ୍ଚାୟତ ଅଧିକାରୀଙ୍କୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଅଟକ ରଖିଥିଲେ।
ଏହା ଶୁଣିବା ପରେ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏନେଇ ପୂର୍ବତନ ସରପଞ୍ଚ ବିଜୟ ଦାସ କହିଛନ୍ତି ଯେ, ଯଦି କୌଣସି ସମସ୍ୟା ପାଇଁ ଚାଉଳ କୋଟା କମାଇଛନ୍ତି ତେବେ କାରଣ ସମ୍ପର୍କରେ ପଞ୍ଚାୟତର ପ୍ରସ୍ତାବ ଆଗତ କରି ସମସ୍ତଙ୍କୁ ଜଣାଇଦେବା ଆବଶ୍ୟକ ଥିଲା। ଏହା ନକରି ସିଧାସଳଖ ଚାଉଳ ହ୍ରାସ କଲେ ଲୋକଙ୍କ ମଧ୍ୟରେ ସନ୍ଦେହ ନିଶ୍ଚିତ ଭାବେ ସୃଷ୍ଟି ହେବ। ଘଟଣା ସମ୍ପର୍କରେ ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଘଟଣା ସମ୍ପର୍କରେ ସେ ଶୁଣିଛନ୍ତି। ସହକାରୀ ଯୋଗାଣ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ଆସନ୍ତାକାଲି ରିପୋର୍ଟ ଦେବାକୁ କହିଛନ୍ତି। ରିପୋର୍ଟ ମିଳିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ମଲ୍ଲିପୁର ପଞ୍ଚାୟତରେ, ଖାଦ୍ୟ ସୁରକ୍ଷା ଯୋଜନାରେ ୧୭୪୨ଜଣ ହିତାଧିକାରୀ ଥିବା ବେଳେ ମୁଣ୍ଡପିିଛା ୫ କିଲୋଗ୍ରାମ ହିସାବରେ ୨୮୬୮୬ କିଲୋଗ୍ରାମ ଚାଉଳ ୫୦୮୯ କିଲୋଗ୍ରାମ ଗହମ ଯୋଗାଇ ଦିଆଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Mallipur-PDS-rice-issue-Khordha.jpg)