ରାଜନଗର: ଡ୍ରେନେଜ ବିଭାଗ ପକ୍ଷରୁ କେନାଲ ଖୋଳାଯିବା ସହ ପାଇଲ ଫୁଟ ବ୍ରିଜ ଓ ଡବଲ ବକ୍ସ କଲଭର୍ଟ ନିର୍ମାଣ କରାଯାଉଛି। ଘଡିଆମାଳ ଖୋଳା ଯୋରଠୁ ଦାରୁଓରା ଯାଏ ଡ୍ରେନ ଖୋଳାଯିବା ସହ ଦାରୁଓରା ନିକଟରେ ବକ୍ସ କଲଭର୍ଟ ନିର୍ମାଣ କରାଯାଉଛି। ନିମ୍ନମାନର କଲଭର୍ଟ ନିର୍ମାଣ କରାଯାଉଥିବାରୁ ଏବଂ ପଙ୍କ ଉପରେ ମୂଳଦୁଆ ଢଳେଇ ପଡୁଥିବା ସମୟରେ ସରପଂଚ ଓ ସ୍ଥାନୀୟ ଲୋକେ ବିଲ ମଝିରେ ପହଞ୍ଚି କାମ ବନ୍ଦ କରିଥିଲେ। ଡ୍ରେନେଜ ବିଭାଗର କୌଣସି କର୍ମଚାରୀ କିମ୍ବା ଯନ୍ତ୍ରୀ ଉପସ୍ଥିତ ନ ଥିବା ବେଳେ କିପରି କଲଭର୍ଟ ନିର୍ମାଣ ପାଇଁ ବେସ ଢଳେଇ ପଙ୍କ ଉପରେ ପକାଯାଉଥିଲା, ତାହା ଅଂଚଳବାସୀଙ୍କୁ ତାଜୁବ କରିଛି।
ଡ୍ରେନେଜ ବିଭାଗ ପକ୍ଷରୁ ଦିଘି–ଜୁନୁସନଗର, ରିଘାଗଡ-ରାଜବିଜୟନଗର ଭାୟା ବାର୍ହାପିଟା, ଈଶ୍ବରପୁରରୁ ଡାଲଖାଇ ଡିସି, ଘଡିଆମାଳ ଖୋଳା ଯୋରଠୁ ଦାରୁଓରା, ତାଳଚୁଆ ପଂଚାୟତ ଅଫିସଠାରୁ ରାଜେନ୍ଦ୍ରନଗର, ଢାଗୁଆ ରୁ ମଙ୍ଗରାଜପୁର କେନାଲ ଖୋଳାଯାଉଛି। କେନାଲ ସହିତ ପାଇଲ ଫୁଟ ବ୍ରିଜ ଓ ବକ୍ସ କଲଭର୍ଟ ନିର୍ମାଣ ପାଇଁ ବ୍ୟୟ ବରାଦ ରହିଛି। ୫ କୋଟି ୩୪ ଲକ୍ଷ ୭୮ ହଜାର ୭୮୨ଟଙ୍କା ବ୍ୟୟରେ ଏହି କେନାଲ ପୁନରୁଦ୍ଧାର କରାଯାଉଛି। ଏହି ୬ଟି କେନାଲ ମଧ୍ୟରୁ ଏବେ ଘଡିଆମାଳ ଖୋଳା ଯୋରଠୁ ଦାରୁଓରା ଯାଏ କେନାଲ ଖନନ କରାଯାଉଛି। ଏହି କେନାଲର ଦାରୁଓରା ଗାଁ ନିକଟରେ ଡବଲ ବକ୍ସ କଲଭର୍ଟ ନିର୍ମାଣ କରାଯାଉଛି। ବିଲ ଭିତରେ ଏହି ବକ୍ସ କଲଭର୍ଟ ନିର୍ମାଣ କରାଯାଉଥିବାରୁ ଏହି ସ୍ଥାନକୁ ସାଧାରଣ ଲୋକଙ୍କ ଯା’ ଆସ ନାହିଁ। କାମ ନିମ୍ନମାନର ହେଉଥିବା ଖବରପାଇ ଘଡିଆମାଳ ସରପଂଚ ଶୈଳେନ୍ଦ୍ର ମିଶ୍ର, ଚାଷୀ ନିର୍ମଳ ପ୍ରଧାନ, ନୀଳମଣି ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପଙ୍କ ଉପରେ ଢଳେଇ ପକାଯାଉଥିବା ଦେଖିଥିଲେ। ରାତିଅଧିଆ ୧୯ଟି ପାଇଲ୍‌ ଖୁଂଟ ଛିଡା କରାଯାଇଛି। ପାଇଲ ଖୁଂଟ ଉପରେ ପଙ୍କ କାଦୁଅ ଉପରେ ଆଜି ଜାଲି ପକାଯାଇ ଢଳେଇ ପକାଯାଉଥିଲା। ଗୋଟିଏ ସିମେଂଟ, ୬ଟି ବାଲି ଓ ୬ଟି ଗୋଡି ଭାଗରେ ଏହି ଢଳେଇ ପଡୁଥିଲା। ମୂଳଦୁଆ ଢଳେଇ ପାଇଁ ୧୦ ଓ ୧୨ ଏମଏମ ରଡରେ ଜାଲି ବନ୍ଧା ଯାଇ ଢଳେଇ ପଡୁଥିଲା। ଜାଲିଗୁଡିକ ୧୦ ଇଂଚ ବ୍ୟବଧାନରେ ବନ୍ଧା ଯାଇଥିଲା। ଏପରିକି ମୂଳଦୁଆରୁ ଅନ୍ୟ ପାଇଲ ଖୁଂଟକୁ ବିମ୍‌ ପକାଯିବା ପାଇଁ ୧୨ ଏମଏମ ରଡରେ ବକ୍ସ ବନ୍ଧାଯାଇଥିଲା। ସରପଂଚ ଓ ସ୍ଥାନୀୟ ଲୋକେ ଢଳେଇ ପଡୁଥିବା ସ୍ଥାନରେ ତଳୁ ପଙ୍କ ଓ କାଦୁଅ ବାହାରୁଥିବା ଦେଖିଥିଲେ। ଏଷ୍ଟିମେଟ ମୁତାବକ ପାଇଲ ଉଠିବା ପରେ ବକ୍ସ କଲଭର୍ଟ ନିର୍ମାଣ ହେଉଥିବା ସ୍ଥାନରେ ବାଲି ପଡିବା କଥା। ବାଲି ଉପରେ ମେଟାଲିଂ ହେବ ଏବଂ ମେଟାଲିଂ ଉପରେ ୧୬ ଏମଏମ ରଡରେ ଜାଲି ବନ୍ଧାଯାଇ ମୂଳଦୁଆ ଢଳେଇ ପକାଯିବା କଥା।

Advertisment

ମାତ୍ର ବାଲି ନପକାଇ, ମେଟାଲିଂ ନକରି ପଙ୍କ କାଦୁଅରେ ର’ଠ ଭାବେ ରଡରେ ଜାଲି ବାନ୍ଧି ଏହି ବେସ ଢଳେଇ କାମକୁ ସରପଂଚ ବନ୍ଦ କରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ଏହି ସ୍ଥାନକୁ ଆସି ଏଷ୍ଟିମେଟ ଦେଖାଇବା ପରେ କାମ ହେବ ବୋଲି ସେଠାରେ ଥିବା ଶ୍ରମିକ ଓ ସୁପରଭାଇଜରଙ୍କୁ କହି କାମ ବନ୍ଦ କରାଇଥିଲେ। ଅନ୍ୟପକ୍ଷରେ ମୂଳଦୁଆ ଢଳେଇ ପାଇଁ ଜାଲି ବନ୍ଧାଯିବା ପରେ କନିଷ୍ଠଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଏହାକୁ ଯାଞ୍ଚ କରିବା କଥା। ଏହାପରେ ଯନ୍ତ୍ରୀଙ୍କ ଉପସ୍ଥିତିରେ ଢଳେଇ ପଡିବା କଥା। ଡ୍ରେନେଜ ବିଭାଗର ଯନ୍ତ୍ରୀ ଦୂରର କଥା, କୌଣସି କର୍ମଚାରୀଙ୍କ ଅନୁପସ୍ଥିତିରେ କିପରି ଢଳେଇ ପଡୁଥିଲା, ୧୬ ଏମଏମ ବଦଳରେ ୧୨ ଓ ୧୦ ଏମଏମ ରଡରେ ବେସ ଢଳେଇ ପକାଇବା ପାଇଁ କିଏ ଅନୁମତି ଦେଇଥିଲା? ଢଳେଇ ତଳୁ ବାଲି ଓ ମେଣ୍ଟାଲିଂ କିପରି ଗାଏବ ହୋଇଗଲା? ଏହି ନିମ୍ନ ମାନର କଲଭର୍ଟ ଚାଷୀଙ୍କୁ କେତେଦିନ ଯାଏ ସେବା ଯୋଗାଇବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଦାୟିତ୍ବରେ ଥିବା ଠିକାଦାରଙ୍କ ସୁପର ଭାଇଜର ସୁଦର୍ଶନ ମଣ୍ତଳ କହିଛନ୍ତି, ଠିକାଦାରଙ୍କ କହିବା ମୁତାବକ ଆମେ ୧୦ ଓ ୧୨ ଏମଏମ ରଡ୍‌ରେ ମୂଳଦୁଆ ପାଇଁ ଜାଲି ବାନ୍ଧିଛୁ। ଜେଇ ଆମକୁ ଢଳେଇ ପକାଅ ମୁଁ ଯାଇଁ ପହଞ୍ଚିବି ବୋଲି କହିଥିଲେ, ଏଯାଏ ଆସି ନାହାନ୍ତି ବୋଲି କହିଛନ୍ତି। ଏ ସଂପର୍କରେ ଅଧିକ୍ଷଣ ଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରୁ ଫଟୋ ଦେଖିଛି, ଅଫିସକୁ ଗଲେ ଜେଇଙ୍କୁ ଡାକି ପଚାରିବି ବୋଲି କହିଛନ୍ତି। ବକ୍ସ କଲଭର୍ଟ କିପରି ନିର୍ମାଣ ହୁଏ, ତାହା ଅଧିକ୍ଷଣ ଯନ୍ତ୍ରୀ ଜାଣିଥିବେ।