ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ୯ଟି ପଞ୍ଚାୟତ ବିଛିନ୍ନାଞ୍ଚଳ ଭାବେ ରହିଥିଲା। ଏହି ୯ଟି ପଞ୍ଚାୟତକୁ ନକ୍ସଲ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରରେ ରଖିଥିଲେ। ଏଠାରେ କେବଳ ନକ୍ସଲଙ୍କ ଆଇନ କାନୁନ ଚାଲୁଥିଲା। ଦୀର୍ଘବର୍ଷ ଧରି ଏହି ଅଞ୍ଚଳର ଲୋକେ ଅଭିଶପ୍ତ ଜୀବନ କାଟୁଥିଲେ। କେହି ଯଦି ନକ୍ସଲଙ୍କୁ ବିରୋଧ କରି ବିକାଶ କାର୍ଯ୍ୟ ପାଇଁ ଆସନ୍ତି ସେମାନେ ନକ୍ସଲଙ୍କର ଟାର୍ଗେଟ ହେଉଥିଲେ। କିନ୍ତୁ ୨୦୧୨ ବେଳକୁ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅଣ୍ଡ୍ରାପାଲୀ ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ଭାବେ ଚନ୍ଦ୍ରମା ବିଷୋୟୀ ବିଜୟୀ ହୋଇଥିଲେ। ଚନ୍ଦ୍ରମା ସରପଞ୍ଚ ହେବା ପରେ କିନ୍ତୁ ନକ୍ସଲଙ୍କୁ ଖାତିରି ନକରି ଅଞ୍ଚଳର ବିକାଶ କାର୍ଯ୍ୟକୁ ତରାନ୍ବିତ କରି ଚାଲିଲେ। ଏପରିକି ସେ ଭଲ ଓଡିଆ କହି ପାରୁଥିବାରୁ ପ୍ରଶାସନିକ ଅଧିକାରୀଙ୍କ ସହ ସେ ସିଧାସଳଖ କଥାବାର୍ତ୍ତା ହେଉଥିଲେ। ତାଙ୍କ ନିଷ୍ଠା ଓ ସେବା ମନଭାବ ଯୋଗୁଁ ସେ ଅଳ୍ପଦିନ ମଧ୍ୟରେ ଆଗଧାଡିର ନେତ୍ରୀ ଭାବେ ସ୍ବାଭିମାନ ଅଞ୍ଚଳରେ ପରିଚିତ ହୋଇ ପାରିଥିଲେ। ଅଞ୍ଚଳର ଦାୟୀତ୍ବକୁ ସେ ସୁରୁଖୁରୁରେ ପରିଚାଳନା କରି ବିକାଶ ପାଇଁ ବହୁ ପଦକ୍ଷେପ ନେଲେ। କିନ୍ତୁ ଚନ୍ଦ୍ରମାଙ୍କ କାମକୁ ହଜମ କରିପାରିନଥିଲା ନକ୍ସଲ। ବିକାଶ କାର୍ଯ୍ୟରୁ ନିବୃତ ରହିବା ପାଇଁ ତାଗିଦ କଲେ ନକ୍ସଲ। ନକ୍ସଲଙ୍କକ ତାଗିଦ ପରେ ମଧ୍ୟ ଚନ୍ଦ୍ରମା ପଛଘୁଞ୍ଚା ନଦେବାରୁ ପ୍ରଜାକୋର୍ଟ ବସିଲା ଚନ୍ଦ୍ରମାକୁ ଡକାଗଲା।
ଏହି ପ୍ରଜାକୋର୍ଟରେ ତାଙ୍କୁ କୁହାଯାଇଥିଲା ଯେ ସେ ସରକାରୀ ବାବୁଙ୍କ ସହ ମିଶି ଏହି ଅଞ୍ଚଳରେ ଖରାପ ପ୍ରଭାବ ପକାଉଛ। ପୁଲିସ ସହ ମିଶି ନକ୍ସଲ ଗତିବିଧିକୁ ରୋକିବାକୁ ଚାହୁଁଛ। ଏଥିରୁ ତୁରନ୍ତ ଦୁରେଇ ଯାଅ, ନଚେତ ପରିଣାମ ଭୋଗିବ। ତଥାପି ଭୟବୀତ ନହୋଇ ଏହି ଦୃଢମନା ମହିଳା ଜଣକ ନିଜ କାର୍ଯ୍ୟକୁ ଜାରି ରଖିଲେ। ଯାହାକି ନକ୍ସଲଙ୍କୁ କ୍ଷୁବ୍ଧ କରିଥିଲା। ଦିନେ ରାତିରେ ନକ୍ସଲ ଚନ୍ଦ୍ରମାଙ୍କ ଘରେ ପଶି ଚନ୍ଦ୍ରମାଙ୍କୁ ଘରୁ ଟାଣି ନେଇଥିଲେ। ତା’ ପରଦିନ ପ୍ରଜାକୋର୍ଟରେ ସମସ୍ତଙ୍କ ସାମ୍ନାରେ ନିର୍ଦ୍ଧୁମ ପିଟିଥିଲେ। ଚେତା ହରାଇ ଚନ୍ଦ୍ରମା ସେଠାରେ ଟଳି ପଡିବା ପରେ ନକ୍ସଲ ଜଙ୍ଗଲରେ ଚନ୍ଦ୍ରମାକୁ ଛାଡି ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ଚନ୍ଦ୍ରମାଙ୍କୁ ଗାଁ ଲୋକେ ମେଡିକାଲ ନେଇ ଚିକିତ୍ସିତ କରାଇଥିଲେ। କିଛିଦିନ ସେ ଶଯ୍ୟାଶାୟୀ ହୋଇଥିଲେ। କିନ୍ତୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଘରେ ଚୁପ ହୋଇ ବସିବେ ବୋଲି ସମସ୍ତେ ଭାବିଥିଲେ। ହେଲେ ସେ କିନ୍ତୁ ଏଠାରେ ବୀପରିତ ପ୍ରତିକ୍ରିୟା ଦେଖାଇଥିଲେ।
ପୂର୍ବଭଳି ଲୋକଙ୍କ ସହ ମିଳାମିଶା କରି ସମସ୍ୟା ଗୁଡିକର ସମାଧାନ କରିବାକୁ ପ୍ରୟାସ ଆରମ୍ଭ କଲେ। ଗାଁ ଲୋକଙ୍କ ମୌଳିକ ସୁବିଧା ପାଇଁ ପ୍ରଶାସନକୁ ଅବଗତ କରାଇଲେ। ପୁଣି ନକ୍ସଲ ଏହା ଜାଣିବା ପରେ ତାଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବାକୁ ଚାହିଁଥିଲେ। କିନ୍ତୁ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ନକ୍ସଲ ତାଙ୍କୁ ଛାଡି ଦେଇଥିଲେ। ତିନି ତିନି ଥର ନକ୍ସଲଙ୍କର ଆକ୍ରମଣର ଶିକାର ହେବା ପରେ ସେ ଆଉ ଗ୍ରାମରେ ରହିବେ ନାହିଁ ବୋଲି ଚିନ୍ତା କରି ଚିତ୍ରକୋଣ୍ଡାରେ ଆସି ରହିଲେ। ୨୦୧୩ରେ ସେ ଚିତ୍ରକୋଣ୍ଡାରେ ରହି ଲୋକଙ୍କ ସେବା ଜାରି ରଖିଲେ। ତାଙ୍କର ସମର୍ପିତ ସେବା ମନଭାବ ଯୋଗୁଁ ଲୋକେ କିନ୍ତୁ ତାଙ୍କୁ ଭୁଲିଲେ ନାହିଁ। ନିଜ ନିଜର ସମସ୍ୟା ନେଇ ଲୋକେ ଚିତ୍ରକୋଣ୍ଡା ଆସି ଚନ୍ଦ୍ରମାଙ୍କୁ ଭେଟିଲେ। ଚନ୍ଦ୍ରମା ମଧ୍ୟ ନିଶ୍ବାର୍ଥପର ଭାବେ ଲୋକଙ୍କୁ ନେଇ ବିଭିନ୍ନ କାର୍ଯ୍ୟାଳୟ ପହଞ୍ଚିବା ସହ ସେମାନଙ୍କର ସମସ୍ୟାର ସମାଧାନ କରାଇ ପୂର୍ବଭଳି ସମ୍ମାନ ପାଉଥିଲେ।
ଲୋକଙ୍କ ସମସ୍ୟା ନେଇ ସିଧାସଳଖ ଜିଲ୍ଲାପାଳଙ୍କ ନିକଟକୁ ଯାଇ ସମାଧାନ କରୁଥିଲେ। ତାଙ୍କ ସ୍ବାମୀ ଧନୀ ବିଷୋୟୀ ମଧ୍ୟ ତାଙ୍କୁ ଏଥିରେ ସହଯୋଗ କରୁଥିଲେ। ସେତେବେଳେ ସେ ନକ୍ସଲଙ୍କୁ ଭୟକରି ଲୋକଙ୍କ କାମ କରିବା ଛାଡିବି ନାହିଁ ବୋଲି ଦୃଢ ଭାବରେ କହୁଥିଲେ। ଏବେ ଚନ୍ଦ୍ରମା କେଉଁଠି ଅଛନ୍ତି। ଏବେ ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ପାଲଟିଥିବା ୯ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ନକ୍ସଲଙ୍କ ଦବଦବା ଆଉ ନାହିଁ। ଆସନ୍ତା ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ହେବ ବୋଲି ପ୍ରଶାସନ ଏବଂ ପୁଲିସ ଆଶା ବାନ୍ଧିଛି। ଏଥର ସମସ୍ତ ୯ଟି ପଞ୍ଚାୟତରେ ଲୋକ ପ୍ରତିନିଧି ନିର୍ବାଚିତ ହେବେ। ତେବେ ଚନ୍ଦ୍ରମା ବିଷୋୟୀ କଣ ଏଥର ମଧ୍ୟ ଅଣ୍ଡ୍ରାପାଲୀ ପଞ୍ଚାୟତର ସରପଞ୍ଚ ହେବେ କି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କାରଣ ଲୋକେ ଏବେ ବି ତାଙ୍କୁ ଝୁରୁଛନ୍ତି। ତାଙ୍କର ରୋକଠୋକ କଥାବାର୍ତ୍ତା ଏବଂ ଲୋକଙ୍କ ପାଇଁ ଜୀବନ ଦେବା ମନଭାବେ ତାଙ୍କୁ ଆଜି ସ୍ବାଭିମାନ ଅଞ୍ଚଳରେ ବେଶ ପରିଚିତ କରାଇଛି। ସ୍ବାଭିମାନ ଅଞ୍ଚଳବାସୀ ଏବେ ବି ଚନ୍ଦ୍ରମାଙ୍କୁ ସେମାନଙ୍କର ନେତା ହୁଅନ୍ତୁ ବୋଲି ଦାବି କରୁଛନ୍ତି।