ବିଶ୍ୱକୁ ଏକତାର ସୂତ୍ର‌ରେ ବାନ୍ଧିବାକୁ ଶିଶୁ ମନ୍ଦିର ଏକ ମାଧ୍ୟମ: ରାଜ୍ୟପାଳ

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ

ଛତ୍ରପୁର: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବସମାଜର ହୃଦୟକୁ ପୁଷ୍ପ ତା’ର ସୁଗନ୍ଧରେ ଭରିଦିଏ। ଠିକ୍ ସେହିପରି ଶିକ୍ଷା ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। କିନ୍ତୁ ନିଜ ଭିତରେ ଆହରଣ କରିଥିବା ଜ୍ଞାନକୁ ସୀମିତ ନ ରଖି ପୁଷ୍ପର ସୁଗନ୍ଧ ଭଳି ଏହା ଅନ୍ୟ ମାନଙ୍କୁ ବାଣ୍ଟିଲେ ଶିକ୍ଷାର ବିକାଶ ହୋଇପାରିବ। ଭାରତୀୟ ସ˚ସ୍କୃତି ଏକ ପୁଷ୍ପ ଭଳି। ଯାହାକି ଭାରତକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଶାନ୍ତିସମୃଦ୍ଧ ଭାରତ ବର୍ତ୍ତମାନ ବିଶ୍ୱବନ୍ଦନୀୟ ଭାବେ ପରିଣତ ହେବାକୁ ଅଗ୍ରସର ହେଉଛି। ଆଉ ସାଂପ୍ରତିକ ପରିସ୍ଥିତିରେ ଶିଶୁ ମନ୍ଦିର ଭଳି ଶିକ୍ଷାନୁଷ୍ଠାନ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ବିଶ୍ବକୁ ଏକତାର ସୂତ୍ରରେ ବାନ୍ଧି ରଖିବାକୁ ଏଭଳି ଅନୁଷ୍ଠାନ ଏକ ମାଧ୍ୟମ। ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ଉତ୍ସବର ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ‌ଦେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି।

ସ୍ଥାନୀୟ ଅନ୍‌ସ୍ଲୋ ହାଇସ୍କୁଲ୍ ପଡ଼ିଆରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଜନୀକାନ୍ତ ପଟ୍ଟନାୟକ ସଭାପତିତ୍ତ୍ୱ କରିଥିଲେ। ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାର ଉଦ୍‌ଘାଟନ କରି ଉଦବୋଧନ ଦେଇଥିଲେ। ବିଭିନ୍ନ ପୌରାଣିକ କଥାର ଉଦାହରଣ ଦେଇ ସମାଜରେ ଝିଅ ମାନଙ୍କ ସ୍ଥାନ ମର୍ଯ୍ୟାଦାପୂର୍ଣ୍ଣ ବୋଲି କହିଥିଲେ।

ରାଜ୍ୟପାଳ ନିଜର ଅଭିଭାଷଣ ପୂର୍ବରୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସର୍ବସାଧାରଣଙ୍କୁ ତିନିଟି ପ୍ରଶ୍ନ କରିଥିବା ସହ ଗୋଟିଏ ପ୍ରଶ୍ନର ମଧ୍ୟ ସଠିକ୍ ଉତ୍ତର ଦେଲେ ୧୦ ହଜାର ଟଙ୍କା ‌ନଗଦ ପୁରସ୍କାର ଘୋଷଣା କରିଥିଲେ। ‘ଓମ୍’, ‘ଭାରତ ମାତାକି ଜୟ’ ଓ ‘ଗଛରେ ଫୁଲଫୁଟି ଝଲସୁଥିବା’ ଏହି ୩ଟି ଶଦ୍ଦର ଅର୍ଥ ରାଜ୍ୟପାଳ ପଚାରିଥିଲେ। ପୂର୍ବତନ ଛାତ୍ରୀ ତଥା ସିଆରସିସି ମନୋଜ କୁମାର ତ୍ରିପାଠୀଙ୍କ କନ୍ୟା ସ୍ମୃତିରୂପା ତ୍ରିପାଠୀ ଏବ˚ ସୌମ୍ୟା ସ˚ଘମିତ୍ରା ପାଳ ସଠିକ୍‌ ଉତ୍ତର ଦେଇଥିବାରୁ ଉଭୟଙ୍କୁ ୧୦ ହଜାର ଲେଖାଏଁ ନଗଦ ପୁରସ୍କାର ରାଜ୍ୟପାଳ ପ୍ରଦାନ କରିଥିଲେ।

 

ସମ୍ବନ୍ଧିତ ଖବର