ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରାଜନୀତି ଏବେ ସରଗରମ ହୋଇପଡିଛି। ଚିତ୍ରକୋଣ୍ଡା ବିଧାନସଭା ପ୍ରାର୍ଥୀ ବିଜେଡି ଓ କଂଗ୍ରେସ ଘୋଷଣା କରିପାରୁନଥିବା ବେଳେ କଂଗ୍ରେସ ତାର ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାଲା ମାଢି ପୂର୍ବରୁ ହିଁ ଏକ ମାତ୍ର ପ୍ରାର୍ଥୀ ରହିଥିବା ବେଳେ ଚିତ୍ରକୋଣ୍ଡା ବିଧାନସଭା ପାଇଁ ଶରତ ଚନ୍ଦ୍ର ବୁରୁଦା ଏବଂ ମଙ୍ଗୁ ଖିଲଙ୍କ ମଧ୍ୟରେ ଟକ୍କର ହେବ ବୋଲି ଚର୍ଚ୍ଚା ଚାଲିଥିଲା। ଜିଲ୍ଲା କଂଗ୍ରେସ ମଙ୍ଗୁ ଖିଲକୁ ଟିକଟ ଦେବାପାଇଁ ସୁପାରିଶ କରିଥିବା ବେଳେ ଶରତ ଚନ୍ଦ୍ର ବୁରୁଦା ମଧ୍ୟ ଟିକଟ ପାଇବା ନେଇ ଲବି ଚଲାଇଥିଲେ।

Advertisment

ତେବେ ଶରତଙ୍କ ଟିକଟ କାଟି ପିସିସି ମଙ୍ଗୁ ଖିଲଙ୍କୁ ଚିତ୍ରକୋଣ୍ଡା ବିଧାନସଭାର ପ୍ରାର୍ଥୀ କଲା। ଏହି ସମୟରେ ଶରତ ବୁରୁଦା ଓଡ଼ିଶା ପ୍ରଭାରୀ ଅଜୟ କୁମାର ତାଂକୁ ଟିକଟ ପାଇଁ ୪୦ ଲକ୍ଷ ଟଂକା ମାଗିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଏଥିରେ ପିସିସି ସଭାପତି ଏବଂ ଜିଲ୍ଲା ସଭାପତି ମିଥ୍ୟା ବୋଲି ସାମ୍ବାଦିକ ସମ୍ମିଳନୀରେ ଯୁକ୍ତି ବାଢିଥିଲେ। ଏହାପରେ ଶରତ ବୁରୁଦାଙ୍କୁ ଦଳ ନିଳମ୍ବନ କରିବ ବୋଲି ଜଣାପଡୁଥିଲା। ତେବେ ଗୋଟିଏ ପଟେ ଶରତ ଚନ୍ଦ୍ର ବୁରୁଦା ନିଜର ଇସ୍ତଫା ପତ୍ର ଜିଲ୍ଲା ସଭାପତିଙ୍କୁ ଦେଇଥିବା ବେଳେ ସେପଟେ ଜିଲ୍ଲା ସଭାପତି ଶରତ ବୁରୁଦାଙ୍କୁ ୬ ବର୍ଷ ପାଇଁ ନିଳମ୍ବନ କରିଥିବା ପିସିସି ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ତେବେ ଶରତ ଟିକଟ ପାଇଁ ମାଥିଲି, ଖଇରପୁଟ ଏବଂ ଚିତ୍ରକୋଣ୍ଡା ବ୍ଲକରେ ନିଜର ପ୍ରଚାର ଆରମ୍ଭ କରିଥିଲେ। କିନ୍ତୁ ଏବେ ସେ ଘାଇଲା ବାଘ ଭଳି ରହିଛନ୍ତି। କଂଗ୍ରେସକୁ ହରାଇବା ପାଇଁ ସେ ନିଶ୍ଚିତ ଭାବେ ଉଦ୍ୟମ କରିବେ ବୋଲି ଅନୁମାନ କରାଯାଏ। ନିଜର ସମର୍ଥକମାନଙ୍କୁ ନେଇସେ ଆଗାମୀ ଦିନରେ ଏକ ବଡ଼ଧରଣର ବୈଠକ ଅନୁଷ୍ଠିତ କରିବା ପରେ ସେ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।