ସରଡେଗା ସାଇଡିଂର ଭିତିରି କଥା: ବିଲ୍‌ ପରେ ୧୦ ଲକ୍ଷର ପାଣିସିଞ୍ଚନ ଯନ୍ତ୍ରକୁ ଖୋଲି ଫିଙ୍ଗିଦେଲେ

ସୁନ୍ଦରଗଡ଼,  ଏମସିଏଲର ସରଡେଗା ରେଲୱେ ସାଇଡିଂରେ ପ୍ରଦୂଷଣ ରୋକିବା ଓ ସେଠାରେ କାର୍ଯ୍ୟରତ କର୍ମଚାରୀ, ଶ୍ରମିକଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଲଗାଯାଇଥିଲା ପାଣି ସିଞ୍ଚନ ଯନ୍ତ୍ର (ସ୍ପ୍ରିଂକଲର୍)। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧୦ ଲକ୍ଷ ଟଙ୍କା। କିନ୍ତୁ ଦେଢ଼ ମାସ ପରେ ଅଚାନକ ତାକୁ ଖୋଲି ଅକାମୀ ଯନ୍ତ୍ରାଂଶ ପରି ଫିଙ୍ଗିଦେଲେ କର୍ତ୍ତୃପକ୍ଷ। ବୁଝୁବୁଝୁ ଜଣାପଡ଼ିଥିଲା ଯେ, ପାଣି ସିଞ୍ଚନ ନାମକୁ ମାତ୍ର,  କେବଳ ୧୦ ଲକ୍ଷର ବିଲ୍‌ ପାଇଁ ଲଗାଯାଇଥିଲା ଏହି ଯନ୍ତ୍ର। ଦେଢ଼ ମାସ ଭିତରେ ବିଲ୍ ମିଳିବା ପରେ ତାହା ଅକାମୀ ହୋଇ ଯାଇଥିଲା। ୧୦ ଲକ୍ଷର ପାଣି ସିଞ୍ଚନ ଯନ୍ତ୍ର ଏବେ ଖତଗଦାରେ। ନିମ୍ନମାନର ଯନ୍ତ୍ରାଂଶ ପାଇଁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି।

ଏବେ ଅତ୍ୟାଧୁନିକ ପ୍ରକ୍ରିୟା‌ରେ ପାଣି ସିଞ୍ଚନ ବ୍ୟବସ୍ଥା କରିବାକୁ ଯୋଜନା କରିଛି ଏମସିଏଲ। ଏଥିପାଇଁ ବହୁ ଅର୍ଥ ବରାଦ ହୋଇଥିବା ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ, ଖଣି କ୍ଷେତ୍ରରୁ କୋଇଲା ପରିବହନ ହୋଇ ସାଇଡିଂକୁ ଆସୁଥିବା ବେଳେ ସେଠାରେ କୋଇଲା ଉତାରିଲା ବେଳେ ସମଗ୍ର ଅଞ୍ଚଳ କୋଇଲା ଗୁଣ୍ଡ ଓ ଧୂଳିଧୂଆଁରେ ଏକ ପ୍ରକାର କୁହୁଡ଼ି ଢାଙ୍କିଲା ଭଳି ଅବସ୍ଥା ସୃଷ୍ଟି କରେ। ସେଠାରେ କାର୍ଯ୍ୟରତ କର୍ମଚାରୀ ଅଣନିଃଶ୍ବାସୀ ହୋଇ ପଡ଼ୁଥିବା ଓ ଏହାର ଶ୍ବାସଜନିତ ମାରାତ୍ମକ ରୋଗର କାରଣ ହୋଇଥିବା ଅଭିଯୋଗ ଉଠିବା ପରେ ଗତ ୨୦୨୦ ଫେବ୍ରୁଆରି ଶେଷ ଆଡ଼କୁ ଏମସିଏଲ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ  ସରଡେଗା ସାଇଡିଂରେ ପ୍ରାୟ ୨୦ଟି ପାଣିସିଞ୍ଚନ ଯନ୍ତ୍ର ଲଗାଇଥିଲେ। ୨୪ ଘଣ୍ଟା ପାଣି ସିଞ୍ଚନ କରି ଧୂଳିଧୂଆଁକୁ ନିବାରିତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ମାତ୍ର ଦେଢ଼ମାସ ନଯାଉଣୁ ପାଣି ସିଞ୍ଚନ ଯନ୍ତ୍ର ସବୁକୁ ଖୋଲି ନିଆଗଲା। ଏବେ ସାଇଡିଂରେ ପୂର୍ବ ପରି କୋଇଲାର ଧୂଳିଧୂଆଁ‌ ଭର୍ତ୍ତି ହେଉଛି।

ଅନ୍ୟପଟେ ନିୟମ ଅନୁସାରେ, ସାଇଡିଂ ଚାରିପଟେ ୨୦ ଫୁଟର ପାଚେରି ଓ ଚାରାରୋପଣ ଅନିବାର୍ଯ୍ୟ। କିନ୍ତୁ ନା ଏଠାରେ ପାଚେରି ଘେରା ଯାଇଛି ନା ଚାରାରୋପଣ କରାଯାଇଛି। ସରଡେଗା ରେଲୱେ ସାଇଡିଂରୁ ଅଭିନବ ତରିକାରେ ଶହ ଶହ ଟନ୍‌ କୋଇଲା ଚୋରି ହେଉଥିବା ବେଳେ ଏବେ ପାଣି ସିଞ୍ଚନ ଯନ୍ତ୍ରକୁ ନେଇ ଏମସିଏଲ ପୁଣି ଚର୍ଚ୍ଚାକୁ ଆସିଛି।

ସମ୍ବନ୍ଧିତ ଖବର