ପରୀ ହତ୍ୟା ମାମଲା: ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ

ନୟାଗଡ଼: ପରୀ ମୃତ୍ୟୁ ମାମଲାରେ ତଦନ୍ତକାରୀ ଟିମକୁ ଝଟକା ଲାଗିଛି । ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇ ନାହିଁ । ତେବେ ନାବାଳକର ସହମତି ନ ମିଳିବାରୁ ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇନାହାନ୍ତି।

ଗତ ୫ ତାରିଖରେ ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ଆଜି ଜୁଭେଇନାଲ ଜଷ୍ଟିସ ବୋର୍ଡରେ ପରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ନାବାଳକକୁ ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ନୟାଗଡ ପୁଲିସ ହାଜର କରିଥିଲା । ଏହାପରେ ବୋର୍ଡ ପକ୍ଷରୁ ନାବାଳକ ଅଭିଯୁକ୍ତଙ୍କୁ ଟେଷ୍ଟ ଲାଗି ସହମତି ଦେବାକୁ ପଚରା ଯାଇଥିଲା। ମାତ୍ର ଅଭିଯୁକ୍ତ ଲିଖିତ ଭାବେ ତାଙ୍କର ଅସହମତି ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଜଣେ ବ୍ୟକ୍ତିଙ୍କର ସହମତି ବିନା ତାଙ୍କର ନାର୍କୋ ଆନାଲିସିସ୍ ଟେଷ୍ଟ କରାଯାଇପାରିବ ନାହିଁ।

ତେବେ ନାର୍କୋ ଟେଷ୍ଟ ପାଇଁ ନାବାଳକ ରାଜି ନ ହେବାରୁ ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ ଅନୁମତି ଦେଇନାହାନ୍ତି। ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସୋ କୋର୍ଟରେ ହାଜର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଇଥିଲେ।

ସମ୍ବନ୍ଧିତ ଖବର