ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ  

ଓଡ଼ାପଡ଼ା: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ  ଆଜି ରାତି ୮ଟା ସମୟରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଦାଳୋ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାଥୀଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ସରପଞ୍ଚ ପ୍ରାର୍ଥୀଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗୁଡିଆକାଟେଣି ହିନ୍ଦୋଳ ରାସ୍ତାର ବଦାଳୋ ଗ୍ରାମ ନିକଟ ଏକ ଶିବମନ୍ଦିର ପାଖରେ ବଦାଳୋ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକଙ୍କୁ ଦୁବୃର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ନୃସିଂହ ବାରିକ ନିଜର ଏକ ସ୍କୁଟିରେ ଯାଉଥିବା ବେଳେ ଘୋଡ଼ା ଡିଆଁଛକ ନିକଟରେ ଏକ କାରରେ ଯାଉଥିବା ବ୍ୟକ୍ତିମାନେ ନୃସିଂହଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ସେହି ସ୍ଥାନ ନିକଟରେ ଥିବା କିଛି ବ୍ୟକ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ସେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଖବର ପାଇ ମୋଟଙ୍ଗା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏହା ଏକ ରାଜନୈତିକ ହିଂସା କାଣ୍ଡ ବୋଲି ସାଧାରଣରେ ଆଲୋଚିତ ହେଉ ଥିବା ଜଣାପଡିଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣା ପଡ଼ିବ। ଗତ ୨୦୧୫ ନିର୍ବାଚନ ସମୟରେ ଉକ୍ତ ପଞ୍ଚାୟତରେ ଏହିପରି ଅଘଟଣ ଘଟିଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର