ଖିଲାପଦର ଗମାଙ୍ଗ ପରିବାରର ରେକର୍ଡ: ୬୦ବର୍ଷ ଧରି ଗୋଟିଏ ପରିବାରରୁ ସରପଞ୍ଚ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍‌ର ଗମାଙ୍ଗ ପରିବାର ରାଜ୍ୟ ରାଜନୀତିରେ ସବୁବେଳେ ପ୍ରଭାବ ରଖି ଆସିଛି। ଗୁଣପୁର ନିର୍ବାଚନମଣ୍ଡଳୀ ହେଉ କିମ୍ବା କୋରାପୁଟ ଲୋକସଭା କ୍ଷେତ୍ରରେ ଏହି ପରିବାରର ଦବ୍‌ଦବା ସବୁବେଳେ ରହି ଆସିଛି। ଏପରିକି କେନ୍ଦ୍ର ମନ୍ତ୍ରିମଣ୍ଡଳ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଦବି ଏହି ପରିବାରର ଉପଲବ୍ଧି ସହ ଯୋଡ଼ି ହୋଇ ରହିଛି। କିନ୍ତୁ ଏହି ପରିବାରର ସଦସ୍ୟମାନେ ଗୋଟିଏ ପଞ୍ଚାୟତରେ ୬୦ବର୍ଷ ହେଲା ସରପଞ୍ଚ ରହିବା କଥା ଶୁଣିଲେ ଯେ କେହି ବି ଚକିତ ହେ‌େବ। କିନ୍ତୁ ଏହା ସଂପୂର୍ଣ୍ଣ ସତ। ଖିଲାପଦର ପଞ୍ଚାୟତରେ ଗମାଙ୍ଗ ପରିବାର ଛଡ଼ା ଆଉ କେହି ଏପର୍ଯ୍ୟନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇପାରି ନାହାନ୍ତି। ଏପରିକି ପଞ୍ଚାୟତବାସୀ ଗଙ୍ଗାମ ପରିବାର ବ୍ୟତୀତ ଆଉ କାହା ଉପରେ ଭରସା କରିପାରିନାହାନ୍ତି।

ଖିଲାପଦର ଏବଂ ଲଛମନଗୁଡ଼ା ରାଜସ୍ବ ଗାଁକୁ ନେଇ ଗଠିତ ହୋଇଛି ଖିଲାପଦର ପଞ୍ଚାୟତ। ଗତ ଜନଗଣନା ଅନୁଯାୟୀ ୧୪୬୭୮ଜଣ ଭୋଟର ଏହି ପଞ୍ଚାୟତରେ ରହୁଛନ୍ତି। ୧୯୬୧ ମସିହାରେ ଗଠିତ ହୋଇଥିବା ଏହି ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଗଙ୍ଗାମ ପରିବାରର ସ୍ବର୍ଗତ ଲିଙ୍ଗା ଗଙ୍ଗାମ। ଏହାପରେ ତାଙ୍କୁ କେହି ନିର୍ବାଚନରେ ହରାଇ ନାହାନ୍ତି। ଏପରିକି କିଛି ପଞ୍ଚାୟତ ନିର୍ବାଚନରେ ସେ ନିର୍ଦ୍ବନ୍ଦ୍ବରେ ବି ନିର୍ବାଚିତ ହୋଇଥିଲେ। ୩୬ବର୍ଷ ଧରି କ୍ରମାଗତ ଭାବେ ସରପଞ୍ଚ ରହିଥିଲେ ଲିଙ୍ଗା ଗମାଙ୍ଗ। ୧୯୯୭ ମସିହାରେ ଲିଙ୍ଗାଙ୍କ ପତ୍ନୀ ପୂର୍ଣ୍ଣବାସୀ ଗଙ୍ଗାମ ୫ବର୍ଷ ପାଇଁ ସରପଞ୍ଚ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୨ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଦୁଇଟି କାର୍ଯ୍ୟକାଳ ପାଇଁ ପୁଣି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଲିଙ୍ଗା ଗମାଙ୍ଗ। ୨୦୧୨ରୁ ଏପର୍ଯ୍ୟନ୍ତ ପଞ୍ଚାୟତର ସରପଞ୍ଚ ରହି ଆସିଛନ୍ତି ଲିଙ୍ଗା ଗମାଙ୍ଗଙ୍କ ବୋହୂ ପାର୍ବତୀ ଗମାଙ୍ଗ। ବଡ଼କଥା ହେଲା ୨୦୧୭ ପଞ୍ଚାୟତ ନିର୍ବାଚନରେ ଖିଲାପଦର ପଞ୍ଚାୟତବାସୀ ନିର୍ଦ୍ୱନ୍ଦ୍ବରେ ପାର୍ବତୀଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରିଥିଲେ।

୬୦ବର୍ଷ ଧରି ସରପଞ୍ଚ ଆସନ ଗୋଟିଏ ପରିବାର ଦଖଲରେ ରହିବା ସର୍ବକାଳୀନ ରେକର୍ଡ। ଏଥିପାଇଁ ଗମାଙ୍ଗ ପରିବାର ଅନେକ ପ୍ରତିବନ୍ଧକର ବି ସମ୍ମୁଖୀନ ହୋଇଛନ୍ତି। ତେବେ ଲୋକଙ୍କ ସୁଖଦୁଃଖ ସହ ଜଡ଼ିତ ହୋଇ ରହିଥିବାରୁ ପଞ୍ଚାୟତବାସୀ ଏହି ପରିବାରକୁ କେବେ ବି ନିରାଶ କରିନାହାନ୍ତି। ବାରମ୍ବାର ଆସ୍ଥା ପ୍ରକଟ କରି ନିର୍ବାଚିତ କରି ଆସୁଛନ୍ତି। ଏଥର ଏହି ପରିବାରରୁ କିଏ ସରପଞ୍ଚ ନିର୍ବାଚନ ଲଢ଼ିବେ ସ୍ପଷ୍ଟ ହୋଇପାରି ନାହିଁ। ଲୋକେ ବି ସମର୍ଥନ କରିବେ ନା ନାହିଁ ତାହାକୁ ନେଇ ସଂଶୟ ରହିଛି। ତେବେ ଏହି ଗମାଙ୍କ ପରିବାରର ଅନ୍ୟ ଜଣେ ବୋହୂ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଭାଗୀରଥି ଗମାଙ୍ଗଙ୍କ ଝିଅ ଉଷା ଗମାଙ୍ଗ ବର୍ତ୍ତମାନ ସରପଞ୍ଚ ଆସନ ପାଇଁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ଦେଖିବାକୁ ବାକି ରହିଲା ଖିଲାପଦର ପଞ୍ଚାୟତବାସୀ ପୁଣି ଥରେ ଗମାଙ୍ଗ ପରିବାର ହାତରେ ଶାସନ ଭାର ଦେଉଛନ୍ତି ନା ପରିବାର ହାତରୁ ଛଡ଼ାଇ ନେଉଛନ୍ତି।
ଉଲ୍ଲେଖନୀୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ହେଉଛନ୍ତି ଏହି ପରିବାରର ସଦସ୍ୟ।

ସମ୍ବନ୍ଧିତ ଖବର