ମହିଳା ସରପଞ୍ଚଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ; ଜାରି କଲେ ସହାୟତା ନମ୍ବର

ବାଲେଶ୍ବର : କୌଣସି ଦୁର୍ନୀତି କାର୍ଯ୍ୟକୁ ମୁଁ ସମର୍ଥନ କରିବି ନାହିଁ କି ମୁଁ ନିଜେ ଦୁର୍ନୀତି କରିବି ନାହିଁ। କାହାକୁ ଦୁର୍ନୀତି କରିବାକୁ ବି ଦେବି ନାହିଁ। କୌଣସି ସୁବିଧା ଅସୁବିଧାରେ ସାହାଯ୍ୟ, ସହଯୋଗ କିମ୍ବା ଅଭିଯୋଗ କରିବା ପାଇଁ ନିଜ ମୋବାଇଲ ନମ୍ବର ସହ ସରକାରୀସ୍ତରରେ ଯେଉଁ ମାନେ ଏଥିପାଇଁ ଉତ୍ତରଦାୟୀ ସେମାନଙ୍କ ମୋବାଇଲ ନମ୍ବରଗୁଡ଼ିକୁ ଏକାଠି କରି ସୋସିଆଲ ମିଡିଆ, ବ୍ୟାନର ଓ ହୋର୍ଡିଂ ଜରିଆରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସସ୍ମିତା ମଲ୍ଲିକ।

ସରପଞ୍ଚ ହେବା ପୂର୍ବରୁ ଶ୍ରୀମତୀ ମଲ୍ଲିକ ରାଜ୍ୟ ବାହାରେ ରହି ଶିକ୍ଷକତା କରୁଥିଲେ। ଚାକିରି ଛାଡ଼ି ନିଜ ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା ପାଇଁ ସେ ରାଜନୀତିରେ ପାଦ ଦେଇଛନ୍ତି। ତେବେ ଶପଥ ଗ୍ରହଣର ପ୍ରଥମ ଦିନରେ ସେ ମୁକୁନ୍ଦପୁର ପଞ୍ଚାୟତର ବୟସ୍କ ଏବଂ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ପଞ୍ଚାୟତର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ କାମ କରିବେ ବୋଲି କହିଛନ୍ତି। ‌ଏହାସହିତ ଦୁର୍ନୀତି ଉପରେ ରୋକ ଲଗାଇବା ପାଇଁ ସର୍ବସାଧାରଣ ସ୍ଥାନରେ ନିଜର ମୋବାଇଲ ନମ୍ବର ସହ ପଞ୍ଚାୟତ, ବ୍ଲକ, ଡାକ୍ତରଖାନା, ଥାନା ଏବଂ ପିଡିଏସ ଚାଉଳ ଓ କିରାସିନି ବଣ୍ଟନ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବରଗୁଡ଼ିକୁ ବ୍ୟାନର ଓ ହୋର୍ଡିଂ ଜରିଆରେ ସାର୍ବଜନୀନ କରାଇଛନ୍ତି। ଗ୍ରାମବାସୀ ତାଙ୍କ ନିକଟରେ କୌଣସି ସାହାଯ୍ୟ, ସହଯୋଗ କିମ୍ବା ଅଭିଯୋଗ କରିବାକୁ ଥିଲେ ‌ଉକ୍ତ ନମ୍ବରଗୁଡ଼ିକରେ ଯୋଗାଯୋଗ କରିବାକୁ ସେ ନିବଦେନ କରିଛନ୍ତି। ନିର୍ବାଚନରେ ଜିତିବା ପରେ ଅନେକ ନେତା ଜନସାଧାରଣଙ୍କ ସେବା କିମ୍ବା ସେମାନଙ୍କ ଅଭିଯୋଗ ଶୁଣିବା ତ ଦୂରର କଥା, କଥାବାର୍ତ୍ତା କରିବାକୁ ମଧ୍ୟ ବିଭିନ୍ନ ବାହାନା ଦେଖାଇଖାନ୍ତି। ହେଲେ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ, ତା ପୁଣି ଜଣେ ଶ୍ରୀମତୀ ମଲ୍ଲିକଙ୍କ ଭଳି ଜଣେ ମହିଳା ସରପଞ୍ଚଙ୍କର। ଏକଥା ଶୁଣିଲା ବେଳକୁ କେମିତି ଅବିଶ୍ବ‌ାସ ଲାଗୁଛି। ଆଜିର ପିସି କାରବାର ଦୁନିଆରେ ତାଙ୍କର ଏହି ଦୃଢ଼ୋକ୍ତି କିଛି କମ୍‌ କଥା ନୁହେଁ। ତେବେ ସମସ୍ତ ନିର୍ବାଚିତ ପ୍ରତିନିଧି ନିଜ ଅଞ୍ଚଳରେ ଏହିଭଳି ଅଭିନବ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର