ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସରପଞ୍ଚ

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ସଦର ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଗତ କିଛି ଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ ଦେଉନଥିବାରୁ ଧାରଣାରେ ବସିଲେ ସରପଞ୍ଚ ନାମିତ କୁଲେସିକା। ଏହି କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ଦୀର୍ଘ ଦିନ ହେବ ଅନୁପସ୍ଥିତ ରହୁଥିବାରୁ ପଞ୍ଚାୟତବାସୀ ପାନୀୟ ଜଳ, ପରିମଳ ଓ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଭଳି ସମସ୍ୟା ଦେଖା ଦେଉଥିବା ଅଭିଯୋଗ କରି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ସରପଞ୍ଚ କହିଛନ୍ତି।

ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ହୋଇଥିବା ବେଳେ ସେ କାର୍ଯ୍ୟାଳୟକୁ ଆସୁନଥିବା କାରଣରୁ ସ୍ଥାନୀୟ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ସରପଞ୍ଚ ବାରମ୍ବାର ବିଷମକଟକ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏହାର କୌଣସି ସମାଧାନ କରାଯାଉନଥିବାରୁ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟର ବିଡିଓଙ୍କ ପ୍ରୋକଷ୍ଠ ସମ୍ମୁଖରେ ସେ ଧାରଣା ଦେଇଥିଲେ। ଯେପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନ ହେବ ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସରପଞ୍ଚ କହିଛନ୍ତି।

ଅନ୍ୟପଟେ ବିଡିଓ କ୍ଷେତ୍ର ପରିଦର୍ଶନରେ ଯାଇଥିବା ବେଳେ ଖବର ପାଇ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ଧାରଣାରତ ସରପଞ୍ଚଙ୍କ ସହ ଆଲୋଚନା କରି ବିଷମକଟକ ସଦରବାସୀଙ୍କୁ ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସରପଞ୍ଚ ଧାରଣାରୁ ଉଠିଥିଲେ। ସରପଞ୍ଚଙ୍କ ସହିତ ବସିଥିବା ପ୍ରତିନିଧି ମାନଙ୍କୁ ନେଇ ବିଡିଓ ପାଣି ଅସୁବିଧା ଥିବା ସ୍ଥାନ ଗୁଡ଼ିକ ବୁଲି ଦେଖିବା ସହ ତୁରନ୍ତ ମରାମତି କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିଷମକଟକ ପଞ୍ଚାୟତରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି ଦେବେ ବୋଲି କହିଥିଲେ। ସରପଞ୍ଚଙ୍କ ସହ ନମିତ କୁର୍ସିକା, ସୁବୋଧ ପ୍ରଧାନୀ ସମେତ ସ୍ଥାନୀୟ ଯୁବକମାନେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର