ଜୟପୁର: ଦିନକୁ ଦିନ ଆଦିବାସୀ ନାଟକ ମରି ମରି ଯାଉଛି। ଐତିହ୍ୟ, ପରମ୍ପରା, ଚାଳିଚଳଣୀ, ପୌରାଣିକ ଏବଂ ମନୋରଂଜନ କଥାବସ୍ତୁକୁ ନେଇ ପୂର୍ବରୁ ପ୍ରତ୍ୟେକ ଗାଁରେ ଆଦିବାସୀ ନାଟକ ଖଣ୍ଡିକ ଗ୍ରାମବାସୀ ମାନେ କରୁଥିଲେ। ଏବେକାର ବସ୍ତୁବାଦୀ ସମାଜରେ ଧିରେ ଧିରେ ଏହି ନାଟକ କରାଯାଉନି। ଏପରି ସମୟରେ ଆଦିବାସୀ ନାଟକକୁ ବଂଚାଇବା ଏବଂ ନିଜ ଆଦିବାସୀ ଭାଷ, ସଂସ୍କୃତି, ପରମ୍ପରାକୁ ବଜାୟ ରଖି ବିଭିନ୍ନ ସରକାରୀ ଯୋଜନା ଏବଂ ଏଥିରୁ ଲୋକଙ୍କୁ ମିଳୁଥିବା ଲାଭ ଏବଂ ବିଭିନ୍ନ ରୋଗର କାରଣ, ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ଅଣ୍ଟାଭିଡିଛନ୍ତି ଜଣେ ନାଏବ ସରପଂଚ। ଜୟପୁର ବ୍ଲକର କଙ୍ଗା ପଂଚାୟତର ନାଏବ ସରପଂଚ ପଦ୍ମନ ଅମନାତ୍ୟ ଅଂଚଳରେ ନାଟଗୁରୁ ଭାବେ ପରିଚିତ। ତୁଳସୀ ଦୁଇ ପତ୍ରରୁ ବାସେ ସେଭଳି ସେ ପିଲାଟି ଦିନରୁ ହିଁ ପୁଷପୁନେଇ ଛେରଛେରରେ ‘ହନୁମାନ’ଭୂମିକାରେ ଅଭିନୟ କରିଥିଲେ। ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଗାଁ ସ୍କୁଲରେ ସପ୍ତମ ପର୍ୟ୍ୟନ୍ତ ପାଠ ପଢ଼ିଥିଲେ ପଦ୍ମନ। ତାଙ୍କ ମଧ୍ୟରେ ରହିଥିବା କଳାକାର ଓ ଅଭିନୟ କରିବା କଳା ଯୋଗୁଁ ସେ ଗାଁର ନାଟକ ‘ଶାମୁକା ଝୁରୁଛି ସାଗର ପାଇଁ’ ସହ ଅନ୍ୟାନ୍ୟ ଗାଁ ନାଟକରେ ହିରୋଇନ୍ ଭୁମିକା କରି ଆସୁଥିଲେ। ଏହାସହ ନାଟ ଗୁରୁଙ୍କ ସହ ଗୀତ ଗାଇବା ଆରମ୍ଭ କରିଥିଲେ। ମୋହନ ଗୁରୁଙ୍କ ‘ବାଣାସୁର ପରାଜୟ’ ନାଟକ ଦେଖିବା ପରେ ସେହି ନାଟକକୁ ତାଙ୍କ ଗାଁରେ କରିଥିଲେ। ମୋହନଗୁରୁଙ୍କ ମୂଳପାଣ୍ଡୁଲିପି ମାଗି ତାହାକୁ ସେ ଗାଁରେ ନୂଆରେ ନିଜେ ରଚନା କରି ଗାଁରେ ନିଜେ ଗୁରୁ ଭାବେ ଶିଖାଇଥିଲେ।

Advertisment

ତାହା ତାଙ୍କ ପ୍ରଥମ ଆଦିବାସୀ ନାଟକ ରହିଥିଲା। ଏହାରି ମଧ୍ୟ‌ରେ ସୁଙ୍କି ନିକଟସ୍ଥ ଗୌଡ଼ଗୁଡା, କୁନ୍ଦ୍ରା ନିକଟସ୍ଥ ବଣ୍ଡକୁ ଗୁଡା, ଝିଡିଙ୍ଗାଗୁଡା ଓ କଙ୍ଗାରେ ଏଭଳି ୪ଟି ଆଦିବାସୀ ସମାଜସଚେତନତା ନାଟକ ଶିଖାଇଛନ୍ତି। ଏଥିରେ ‘ଭୁଲ ହୋଇ ଗଲା ତତେ ବାହା ହୋଇ ଓ ସୁନା ନାକୀ, ଓଓଟ୍ଟ.ସୁନା ନାକୀ’ ଆଦି ରହିଛି। ବିଭିନ୍ନ ବଡ ବଡ ଗୁରୁଙ୍କ ଡାକରାପାଇବା ମାତ୍ରକେ ସେ ସେମାନଙ୍କ ନାଟକକୁ ନିଜେ ‌ନେଇ ପରିଚାଳନା କରି ମଂଚସ୍ଥ କରାନ୍ତି। ଏବଂ କିଛି ନାଟକ ଗୁରୁଙ୍କ ସହଯୋଗୀ ଏବଂ ଗାୟକ ଭାବେ ଯାଅନ୍ତି। ନାଟକ ଚାଳିବା ସମୟରେ ସେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ଏହି ଯୋଜନା, ବାଲ୍ୟବିବାହ ରୋକିବା, ପିଲା ମାନେ କିଭଳି ସବୁ ଦିନ ସ୍କୁଲକୁ ଯିବେ, କିଭଳି ସରକାରଙ୍କ ପକ୍ଷରୁ ମାଗଣାରେ ଆଇନସେବା ମିଳୁଛି, ଉଭୟ ସରକାର କିଭଳି ବିଭିନ୍ନ ଜନହୀତକାରୀ ଯୋଜନା କରିଛନ୍ତି , କିଭଳି ପଲ୍ଲୀସଭା ଓ ଗ୍ରାମସଭାରେ ଗ୍ରାମବାସୀ ମାନେ ମତ ଉଠାଇ ପାରିବେ, ବନାଗ୍ନିରୁ କିଭଳି ଜଙ୍ଗଲକୁ ସୁରକ୍ଷ ଦେଇ ହେବ ଆଦି ସଂପର୍କରେ ଗୀତ ଓ କଳାକାରଙ୍କୁ ନେଇ କିଛି ଦୃଶ୍ୟ ଉପସ୍ଥାପନ କରି ସଚେତନତା ସୃଷ୍ଟି କରୁଛନ୍ତି ପଦ୍ମନ। ଆଦିବାସୀ ନାଟକ ମରିବାକୁ ହେବ ନାହିଁ, ତା ସାଙ୍ଗକୁ ଲୋକେ ବି ସରକାରୀ ଯୋଜନା ଗୁଡିକ ସଂପର୍କରେ ସଚେତନ କରିବା ବି ଆମର ଧର୍ମ ବୋଲି କହିଛନ୍ତି ପଦ୍ମନ। ପଦ୍ମନଙ୍କ ଏହି ପ୍ରୟାସ କେତେ ଦୁର ସଫଳ ହେଉଛି ତାହା ସମୟ ହିଁ କହିବ।