ପରିଣତ ବୟସରେ ପ୍ରବାସୀଙ୍କ ସୁଃଖଦୁଃଖର ସାଥି ସରପଞ୍ଚ ବିଜୟ, ସାବାସୀ ଦେଲେ ଜିଲ୍ଲାପାଳ, କହିଲେ ଅନ୍ୟ ପାଇଁ ଉଦାହରଣ

ବ୍ରହ୍ମପୁର: ୬୦ବର୍ଷ ବୟସ୍କ ବ୍ୟକ୍ତି ଓ ୧୦ବର୍ଷ ପର୍ଯ୍ୟନ୍ତ ଶିଶୁ ଘରୁ ବାହାରକୁ ନ ବାହାରିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଛନ୍ତି। ସମାଜିକ ଦ୍ବରତ୍ବ, ସ୍ବଚ୍ଛତା ଓ ସଚେତନତା ଦ୍ବାରା କରୋନାକୁ ରୋକାଯାଇପାରିବ ବୋଲି କୁହାଯାଉଛି। ଗଞ୍ଜାମ ଜିଲ୍ଲା‌ରେ କରୋନା କାୟା ମେଲି ଚାଲିଥିବା ବେଳେ ଏହି ଭୂତାଣୁ ସଂକ୍ରମଣର ଭୟ ଏବେ ସମସ୍ତଙ୍କୁ ଘାରିଛି। ତେବେ ଏଥିପ୍ରତି ଖାତିର୍ ନ କରି ଭଗବାନଙ୍କ ଉପରେ ବିଶ୍ବାସ ରଖି ପ୍ରବାସୀଙ୍କ ସେବାରେ ଲାଗି ପଡ଼ିଛନ୍ତି ପୋଲସରା ବ୍ଲକ୍ କେନ୍ଦୁବାଡ଼ି ପଞ୍ଚାୟତର ବର୍ଷିୟାନ ସରପଞ୍ଚ ବିଜୟ କୁମାର ସ୍ବାଇଁ। ପରିଣତ ବୟସ(୭୫)ରେ ବି ସଙ୍ଗରୋଧ କେନ୍ଦ୍ରକୁ ଯାଇ କାର୍ଯ୍ୟ ତଦାରଖ କରିବା ସହ ପ୍ରବାସୀଙ୍କ ସୁଖଦୁଃଖ ବୁଝୁଛନ୍ତି। ଶିକ୍ଷକତାରୁ ରାଜନୀତିକୁ ଆସିଥିବା ସରପଞ୍ଚ ବିଜୟଙ୍କ କାର୍ଯ୍ୟଧାରାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶଂସା କରିବା ସହିତ ତାଙ୍କ ସହ ‌ଫଟୋ ଉଠାଇ ନିଜ ଟ୍ବିଟର୍ ପେଜ୍‌ରେ ଛାଡ଼ିଛନ୍ତି। ଅନ୍ୟମାନଙ୍କ ପାଇଁ ସରପଞ୍ଚ ବିଜୟ ଜଣେ ଉଦାହରଣ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ଏହି କରୋନା ଯୋଦ୍ଧାଙ୍କ କାର୍ଯ୍ୟଧାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦୁବାଡ଼ି ଓ ଘରୋଇଝୁଡ଼ି ଗ୍ରାମ ଦ୍ବୟ ନେଇ କେନ୍ଦୁବାଡି ଗ୍ରାମ ପଞ୍ଚାୟତ ଗଠିତ। ୩ହଜାର ୫ଶହ ଜନସଂଖ୍ୟା ବିଶିଷ୍ଟ ଗ୍ରାମପଞ୍ଚାୟତରୁ ସରପଞ୍ଚ ଭାବେ ପ୍ରତିନିଧିତ୍ବ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସ୍ବାଇଁ। ଏଥିସହ କରୋନା ମୁକାବିଲାରେ ସାମିଲ ହୋଇ କରୋନା ‌‌ଯୋଦ୍ଧା ସାଜିଛନ୍ତି। ଗ୍ରାମପଞ୍ଚାୟତର ୫ଟି ସଙ୍ଗରୋଧ କେନ୍ଦ୍ରକୁ ପ୍ରତ୍ୟହ ଦୁଇ ଥର ଯାଇ କାର୍ଯ୍ୟ ତଦାରଖ କରିବା ସହ ପ୍ରବାସୀଙ୍କ ସୁଃଖଦୁଃଖ ବୁଝୁଛନ୍ତି। ଗତକାଲି ଗଞ୍ଜାମ ପୋଲସରା ବ୍ଲକ୍ ଗସ୍ତ କରି ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। କେନ୍ଦୁବାଡ଼ି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ ବେଳେ ନଜର ଆସିଥିଲେ ଏହି ବର୍ଷିୟାନ ସରପଞ୍ଚ।

ଆମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସରପଞ୍ଚ ବିଜୟ କହିଛନ୍ତି ଯେ, ‘‘ମୁଁ ଶିକ୍ଷକତା କରୁଥିଲି। ରାଜନୀତିକୁ ଆସିବାକୁ କେବେ ହେଲେ ଇଚ୍ଛା ନ ଥିଲା। ଅବସର ପରେ ପିଲାମାନଙ୍କ ସହ ଟିକେ ଶାନ୍ତିରେ ରହିବି ବୋଲି ଇଛା ଥିଲା। ଗ୍ରାମବାସୀ ରାଜନୀତିକୁ ଆସିବାକୁ ବାଧ୍ୟ କଲେ। ପଞ୍ଚାୟତବାସୀଙ୍କ ସ୍ନେହ ମୋତେ ବାନ୍ଧି ରଖିଛି। ଏହି ପଞ୍ଚାୟତରୁ ୨ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ପାରିଛି। ସରପଞ୍ଚ କାର୍ଯ୍ୟକାଳ ମଧ୍ୟରେ ପଞ୍ଚାୟତ ଲାଗି ୩ଟି ଆଦର୍ଶ ପୋଖରୀ ସାଙ୍ଗକୁ ୨ଟି କଲ୍ୟାଣମଣ୍ଡପ ପ୍ରତିଷ୍ଠା କରିପାରିଛି। ଏଥିଲାଗି ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅକୁଣ୍ଠ ସହଯୋଗ ମିଳିଛି। ଏଥି ସହ ମୁଁ ମାସିକ ପାଉଥିବା ୨୧ଶହ ଟଙ୍କା ଦରମାକୁ ପଞ୍ଚାୟତର ୧୦ଜଣ ଅନାଥଙ୍କୁ ବଣ୍ଟନ କରୁଛି। ୬୦ବର୍ଷ ବୟସରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ସରକାର ମନା କରିଛନ୍ତି। ମୁଁ ଯଦି ଘରେ ରହିବି ତାହା ହେଲେ ଲୋକଙ୍କ ସେବା କିଏ କରିବ। ଭଗବାନଙ୍କ ଆଶୀର୍ବାଦ ଥିଲେ ସବୁ କିଛି ସମ୍ଭବ ହେବ। ମୁଁ ସାମାଜିକ ଦ୍ବରତ୍ବ, ସ୍ବଚ୍ଛତା ଅବଲମ୍ବନ କରି ଭଗବାନଙ୍କ ଉପରେ ବିଶ୍ବାସ ରଖି ପ୍ରବାସୀଙ୍କ ସେବା କରୁଛି। ପ୍ରତ୍ୟେହ ସକାଳେ ସନ୍ଧ୍ୟାରେ ସଙ୍ଗରୋଧକୁ କେନ୍ଦ୍ରକୁ ଯାଉଛି। ପୂର୍ବରୁ ୫ଟି ସଙ୍ଗରୋଧ କେନ୍ଦ୍ର ଥିଲା। ଅଧିକ ପରିଶ୍ରମ ପଡ଼ୁଥିଲା। ଏବେ ୨ଟି ସଙ୍ଗରୋଧ କେନ୍ଦ୍ରରେ ମାତ୍ର ୨୫ଜଣ ପ୍ରାବସୀ ଅଛନ୍ତି। ତେଣୁ ବେଶୀ ପରିଶ୍ରମ ପଡ଼ୁନି। ନିଜେ ସଚେତନ ରହିଲେ ସବୁ କିଛି ବିପଦକୁ ଟାଳି ହେବ ବୋଲି ସେ କହିଛନ୍ତି। ’’

ସମ୍ବନ୍ଧିତ ଖବର