ରାଉରକେଲାରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳ ଭଣ୍ଡାର 

ରାଉରକେଲା: ଚାଷୀ, ଛୋଟଛୋଟ ପରିବା ଏବଂ ଫଳ ବ୍ୟବସାୟୀ ମାନଙ୍କ ସୁବିଧା ପାଇଁ ରାଉରକେଲା ସହରରେ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ। ଏହି ଶୀତଳ ଭଣ୍ଡାରକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ପରିଚାଳନା କରିବେ। ଏନେଇ ପ୍ରଥମ ପର୍ଯ୍ୟାୟରେ ୨ଟି ଏସ୍‌ଏଚଜିକୁ ଚୟନ କରାଯାଇଛି। ଏହି ଶୀତଳ ଭଣ୍ଡାରକୁ କିପରି ପରିଚାଳନା କରାଯିବ ସେନେଇ ଏସ୍‌ଏଚଜି ମା’ ମାନଙ୍କୁ ରାଉରକେଲା ମହାନଗର ନିଗମ ଓ କୋଏଲ ଫ୍ରେସ୍‌ ପ୍ରାଇଭେଟ ଲିମିଟେଡର ମିଳିତ ସହଯୋଗରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ତାଲିମ ଦିଆଯାଇଛି।

ରାଉରକେଲା ସହରରେ ଫଳ ଓ ପନିପରିବା ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀ ମାନେ ଶୀତଳ ଭଣ୍ଡାର ସୁବିଧା ନଥିବାରୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ସେମାନେ କ୍ଷତି ସହୁଥିବା ଲକ୍ଷ୍ୟ କରାଯାଇଛି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ୫ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର କରାଯିବ। ଫଳରେ ପରିବା ଏବଂ ଫଳ ବ୍ୟବସାୟୀ ମାନେ ନିଜ ସାମଗ୍ରୀର ସଂରକ୍ଷଣ କରିପାରିବା ସହିତ ମିଶନ ଶକ୍ତିର ମା’ ମାନଙ୍କୁ ଜୀବିକା ମିଳିବା ଏବଂ ସହରବାସୀ ସତେଜ ପନିପରିବା ଓ ଫଳ ପାଇପାରିବେ।

ଶୀତଳ ଭଣ୍ଡାର ପରିଚାଳନା ଲାଗି ଚୟନ ହୋଇଥିବା ୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପୂର୍ବରୁ ରାଉରକେଲା ମହାନଗର ନିଗମ ସହ କାର୍ଯ୍ୟ କରି ଆସୁଛନ୍ତି। ସେମାନେ ବିଭିନ୍ନ ପ୍ରକାରର କାର୍ଯ୍ୟକୁ ସୁଚାରରୂପେ କରୁଥିବାରୁ ସେମାନଙ୍କୁ ଏହି ପ୍ରକଳ୍ପ ପାଇଁ ଚୟନ କରାଯାଇଛି। ନିକଟରେ ହୋଇଥିବା ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଥିଲା।

କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗୀତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇ ପାରିଛନ୍ତି। ଏବେ ରାଉରକେଲା ସହରକୁ ବିଶ୍ୱର ଶୀର୍ଷ ୧୫ଟି ସହର ଭିତରେ ସ୍ଥାନ ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସମ୍ବନ୍ଧିତ ଖବର