ଭୁବନେଶ୍ୱର: କରୋନା ମୁକାବିଲା ଲାଗି କଟକ ସହରରେ ଆଜିଯାଏଁ ଅଶ୍ୱିନୀ ହସ୍ପିଟାଲ, ଜିମ୍ସାର ହେଲଥ୍ ସେଣ୍ଟର ଥିବା ବେଳେ କାଲିଠାରୁ ସଦ୍ଗୁରୁ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। କଟକ ମହାନଗର ନିଗମ କମିସନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସିଏମ୍ସି କମିସନର ଶ୍ରୀମତୀ ଦାସ କହିଛନ୍ତି, ସଦ୍ଗୁରୁ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଯିବା ପରେ କଟକରେ କରୋନା ରୋଗୀଙ୍କ ପାଇ ଚିକିତ୍ସା ସୁବିଧା ଆହୁରି ସହଜ ହୋଇଯିବ। ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇସାରିଛନ୍ତି। ସଦ୍ଗୁରୁ ହସ୍ପିଟାଲରେ ୧୫୦ ବେଡ ରହିଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ହସ୍ପିଟାଲରେ ଡାଇଲିସିସି ଓ ପ୍ରସୂତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି
ସିଏମ୍ସି କମିସନର କହିଛନ୍ତି, ବିଗତ ୧୪ ଦିନ ମଧ୍ୟରେ ୨୬ ହଜାର ୭୪୮ ନମୁନା ସଂଗ୍ରହ ହୋଇଥିବା ବେଳେ ୧୫୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ୫.୯୭ ପ୍ରତିଶତ। ସେ କହିଛନ୍ତି ଯେ, ବିଗତ ୧୫ରୁ ୨୧ ମଧ୍ୟରେ ୯୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୨୦ ବର୍ଷରୁ କମ ୧୧୪ ଜଣ, ୨୧ରୁ ୪୦ ବର୍ଷ ମଧ୍ୟରେ ୪୪୨ ଜଣ, ୪୧ରୁ ୬୦ ବର୍ଷ ମଧ୍ୟରେ ୨୯୩ ଜଣ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ୧୦୪ ଜଣ। ମୋଟା ମୋଟି ଭାବେ କହିବାକୁ ଗଲେ ଏହି ୭ ଦିନ ମଧ୍ୟରେ କର୍ମଜୀବୀ ଗୋଷ୍ଠୀମାନେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ କଟକ ସହରରେ ଏପର୍ଯ୍ୟନ୍ତ ମୋଟ ୩୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୨୨୭ ଜଣ ସକ୍ରିୟ ଥିବା ବେଳେ ୧୮୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କିନ୍ତୁ ୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ ସହରର କରୋନା ଆକ୍ରାନ୍ତଙ୍କ ପାଇଁ ୩୦ ପ୍ରତିଶତ ହୋମ୍ ଆଇସୋଲେସନ, ୬୪ ପ୍ରତିଶତ କୋଭିଡ କେୟାର ହୋମ ଓ ୬ ପ୍ରତିଶତ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି।
ଜୀବିକା ପାଇଁ ବାହାରକୁ ଯିବାର ଅଛି। କିନ୍ତୁ ଘରେ ଆମର ବରିଷ୍ଠ ନାଗରିକ ପ୍ରତି ଦୃଷ୍ଟି ଦେବାର ଅଛି। ଯେଉଁମାନେ ବହୁରୋଗରେ ପୀଡ଼ିତ ଅଛନ୍ତି, ତାଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାର ଅଛି। ଯେଉଁମାନେ ଚିକିତ୍ସା ପାଇଁ ଶୀଘ୍ର ଆସୁଛନ୍ତି, ତାଙ୍କୁ ଭଲ କରିବାର ଅଛି। କଟକରେ ୧୦ଟି ଟେଷ୍ଟିଂ ସେଣ୍ଟର ଅଛି। ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି।
/sambad/media/post_attachments/wp-content/uploads/2020/08/cff87f9d-4cf0-4922-9fa6-d1bc758dba30.jpg)
ମାଲଗୋଦାମ ଓ ଛତ୍ରବଜାର ହେଉଛି ବ୍ୟବସାୟିକ ସ୍ଥଳୀ। ତେଣୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଏହାରି ଉପରେ ନିର୍ଭର କରୁଛନ୍ତି। ଏଠାକୁ ଅନ୍ୟ ଜିଲ୍ଲାରୁ ଲୋକ ଆସୁଛନ୍ତି। ତେଣୁ ସତର୍କ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସେହିପରି କଟକର ପୁରୁଣା ସାହିଗୁଡ଼ିକରେ ଅଧିକ ଲୋକ ରହୁଛନ୍ତି। ଏଥି ପାଇଁ ଆଶା ଦିଦିମାନେ ସର୍ଭେ କରୁଛନ୍ତି।
ପୁଲିସ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ଟେଷ୍ଟିଂ କରାଯାଉଛି। ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଗର୍ଭବତୀଙ୍କ ପାଇଁ ନିୟମିତ ଟେଷ୍ଟିଂ କରାଯାଉଛି। ଏପର୍ଯ୍ୟନ୍ତ କଟକରେ ୧୦ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଛି। ପୂର୍ବରୁ ଜଣେ ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା। ଏବେ ଛୋଟ ଛୋଟ ସ୍ଥାନକୁ ନେଇ କଣ୍ଟେନମେଣ୍ଟ ଜୋନ କରୁଛୁ। ବେହେରାସାହି, ଜଲୁଆ ସାହି, ନୂଆ ନିମ୍ବସାହିରେ କଣ୍ଟେନମେଣ୍ଟ କରାଯାଇଥିଲା। ଶ୍ରୀମତୀ ଦାସ କହିଛନ୍ତି, କରୋନା ମୁକାବିଲା ଲାଗି ଡାକ୍ତର, ପୁଲିସ ମାର୍ଚ୍ଚ ଠାରୁ ନିୟମିତ ଭାବେ କାମ କରୁଛନ୍ତି। ତେଣୁ ସେମାନଙ୍କୁ ସମ୍ମାନ ଜଣାଇ ଆମେ ବାହାରକୁ ଯିବା ପୂର୍ବରୁ ଚିନ୍ତା କରିବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/cmc-press-meet-23_Thumb.jpg)