ମାଲକାନଗିରି: ଆଜି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ବଣ୍ଡାଘାଟି ପରିଦର୍ଶନରେ ଯାଇଥିଲେ। ବଣ୍ଡାଘାଟି ପହଞ୍ଚିବା ପରେ ବଣ୍ଡା ଜନଜାତିର ମହିଳାମାନେ ସିଲେଇ ଶିକ୍ଷା ଗ୍ରହଣ କରୁଥିବା ଜାଣିବା ପରେ ସେମାନଙ୍କ ସହ ସେ ଆଲୋଚନା କରିଥିଲେ। ସେମାନେ କିପରି ସିଲେଇ ଶିକ୍ଷା କରି ଆତ୍ମନିର୍ଭରଶୀଳ ହେବେ ସେନେଇ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ପରେ କିଛି ବଣ୍ଡା ଏସଏଚଜି ଝାଡୁ ତିଆରି କରି ବଜାରରେ ବିକ୍ରି କରୁଥିବା ଜାଣିବା ପରେ ସେମାନଙ୍କ ଝାଡୁ ଜାତୀୟସ୍ତରରେ କିପରି ଆଦୃତ ଲାଭ କରିବ ସେନେଇ ମଧ୍ୟ ସେମାନଙ୍କ ସହ ଆଲୋଚନା କରିଥିଲେ। ବଣ୍ଡା ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ଯାଇ ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ଉପରେ ବିସ୍ତୃତ ଆଲୋଚନା କରିବା ସହ କାମଗୁଡିକର ତଦାରଖ କରିଥିଲେ। ବଣ୍ଡା ଜନଜାତିଙ୍କର ଉନ୍ନତି ପାଇଁ ବଣ୍ଡା ଉନ୍ନୟନ ସଂସ୍ଥାକୁ ସମସ୍ତ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସଚିବଙ୍କୁ ବଣ୍ଡା ଜନଜାତିର ମହିଳାମାନେ ନିଜର ପାରଂପାରିକ ନାଚଗୀତ କରି ସ୍ବାଗତ କରିଥିଲେ।
ପରେ ସେ ବିଏସଏଫ କ୍ୟାମ୍ପ ଯାଇ ଏହି ଅଂଚଳର ସୁରକ୍ଷା ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ତହସିଲଦାରଙ୍କୁ ଡାକି ବିଡିଏ ଏଜୁକେସନାଲ କମ୍ପ୍ଲେକ୍ସ ଏବଂ କନ୍ୟାଶ୍ରମର କିପରି ନିଜର ପଟ୍ଟା ହୋଇପାରିବ ସେନେଇ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ କହିଥିଲେ। ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ଶିକ୍ଷାଦାନର ମାନ ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ବଣ୍ଡାଘାଟିରେ ଯେପରି ବିକାଶ ଶୀଘ୍ର ପହଞ୍ଚିବ ସେନେଇ ସମସ୍ତ ଲାଇନ ବିଭାଗର ଅଧିକାରୀଙ୍କୁ ତାଗିଦ କରିଥିଲେ। ବଣ୍ଡା ଜନଜାତିର ଉନ୍ନତି ହେଲେ ହିଁ ଜିଲ୍ଲା ତଥା ରାଜ୍ୟର ବିକାଶ ହେଲା ବୋଲି ଅନୁଭବ ହେବ ବୋଲି କୁହାଯାଇଥିଲା। ତେଣୁ ଅତିରିକ୍ତ ସଚିବଙ୍କ ବଣ୍ଡାଘାଟି ପରିଦର୍ଶନ ପରେ ବିକାଶ ଜୋରସୋରରେ ହେବ ବୋଲି ଆଶା କରାଯାଉଛି। ଏହି ଗସ୍ତ ବେଳେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ତହସିଲଦାର ଲଳିତ ମଣ୍ଡଳ, ସାଂସଦ ପ୍ରତିନିଧି ଜଗନ୍ନାଥ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।