ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ଥିଲେ ସତ୍ୟନାରାୟଣ

ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିସଭା

ବଲାଙ୍ଗୀର: ନିର୍ଭୀକତା ଭରି ରହିଥିଲା। ନିରପେକ୍ଷତା ସହ ସାହସୀ ଥିଲେ। ସାମ୍ବାଦିକଙ୍କୁ ଭଲପାଉଥିଲେ। ବହୁ ପ୍ରସଙ୍ଗ ସେ ତାଙ୍କ ଲେଖନୀରେ ସାମ୍ନାକୁ ଆଣିବାରେ ସଫଳ ହୋଇଥିଲେ। ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରା ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ଥିଲେ ବୋଲି ଆଜି ପିପିଏକାଡେମିଠାରେ ଅନୁଷ୍ଠିତ ସ୍ମୃତିସଭାରେ ଅତିଥି ଓ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି।

ସତ୍ୟନାରାୟଣ ବେହେରା ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ସ୍ମୃତିସଭା ଓ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ସ୍ୱର୍ଗତ ବେହେରାଙ୍କ ବାଲ୍ୟବନ୍ଧୁ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ‘ସାଂପ୍ରତିକ ସମାଜରେ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ରରେ ଆଲୋଚକ ଭାବରେ କବି ଭାଗୀରଥି ମିଶ୍ର ଏବଂ ସଂଗଠକ ଧର୍ମେନ୍ଦ୍ର ନନ୍ଦ ଯୋଗଦେଇଥିଲେ। ବିଧାୟକ ଶ୍ରୀ ମିଶ୍ର ଦିବଂଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ କରି କହିଥିଲେ, ସତ୍ୟଙ୍କ ସହିତ ମୋର ଘନିଷ୍ଠ ବନ୍ଧୁତା ଥିଲା। ବିଷ୍ଣୁ ସେଠ, ସତ୍ୟନାରାୟଣ ବେହେରା ଏବଂ ମୁଁ ତିନିଜଣ ଘନିଷ୍ଠ ବନ୍ଧୁ ଥିଲୁ। ମୁଁ ଓକିଲାତି କରିବା ସହିତ ରାଜନୀତି କରୁଥିଲି। ସେପଟେ ମୋ ସାଂଗ ବିଷ୍ଣୁ ସେଠ ଶିକ୍ଷକତା କରୁଥିଲେ। ସତ୍ୟ ସାମ୍ବାଦିକତା ସହିତ ଜଣେ କଳାକାର ଥିଲେ। ତିନିଜଣ ଭିନ୍ନ ଭିନ୍ନ ପେସାରେ ଥିଲେ ମଧ୍ୟ ବନ୍ଧୁତା ଘନିଷ୍ଠ ଥିଲା। ସତ୍ୟ କାହା ପାଖରେ ହାତ ପତାଉନଥିଲେ।

ବହୁ ବାଧାବିଘ୍ନ ସତ୍ୱେ ନିଜର ଅସ୍ତିତ୍ୱ ବଜାୟ ରଖିଥିଲେ। ସେ ଜଣେ ସାହସୀ ସାମ୍ବାଦିକ ହୋଇ ନିର୍ଭୀକ ଭାବରେ ଖବର ପରିବେଷଣ କରୁଥିଲେ। ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ଥିଲେ ସତ୍ୟ ବୋଲି ବିଧାୟକ କହିଥିଲେ। ସଭା ପ୍ରାରମ୍ଭରେ ଦିବଂଗତ ସତ୍ୟନାରାୟଣ ବେହେରାଙ୍କୁ ଅତିଥି ଓ ଉପସ୍ଥିତ ସହରର ବିଭିନ୍ନ ସଂଗଠନର ନେତୃବୃନ୍ଦ, ବୁଦ୍ଧିଜୀବୀ, ସ୍ୱର୍ଗତ ବେହେରାଙ୍କ ପରିବାରବର୍ଗ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସାଇ ଶ୍ରୀରାମ ଓ ସାଇ ବିନାୟକ ବେଦମନ୍ତ୍ର ପାଠ କରିଥିଲେ। ସାମ୍ବାଦିକ ପ୍ରଦୀପ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ସାମ୍ବାଦିକ ବିଭୁକଲ୍ୟାଣ ଗଡ଼ତ୍ୟା ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକା ଜୋତ୍ସ୍ନାରାଣୀ ଦାସ ଆଲୋଚନାଚକ୍ର ପରିଚାଳନା କରିଥିଲେ। ଏହି ଅବସରରେ ବ୍ୟଙ୍ଗକବି ଅଚ୍ୟୁତ ପୁରୋହିତ ଓ ଡ. ବେଣୁଧର ପାଣ୍ଡେ ସ୍ମୃତିକୁ ନେଇ ନିଜ ଲିଖିତ କବିତା ପାଠ କରିଥିଲେ। ସାମ୍ବାଦିକ ବିଶ୍ୱଜିତ ଦାଶ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, ସହରର ଶତାଧିକ ବୁଦ୍ଧିଜୀବୀ, ବରିଷ୍ଠ ନାଗିରକ ମଂଚର କର୍ମକର୍ତା, ନାଗରିକ କମିଟି, ମାହେଶ୍ୱରୀ ସଂଗଠନ, ସଂପୂର୍ଣ୍ଣା ମହିଳା ସଂଗଠନ, ସଖୀ ସେଣ୍ଟରର କର୍ମକର୍ତ୍ତା, ବିଜେପି ମହିଳା ମୋର୍ଚ୍ଚା, କଣ୍ଟାବାଞ୍ଜି ପ୍ରେସ୍‌କ୍ଲବର କର୍ମକର୍ତ୍ତା, ପାଟଣାଗଡ଼ ସାମ୍ବାଦିକମାନଙ୍କ ସହ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୨୯ ତାରିଖରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଇହଧାମ ତ୍ୟାଗ କରିଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା। ଜିଲ୍ଲା ସାମ୍ବାଦିକ ଜଗତରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ। ସ୍ୱର୍ଗତ ବେହେରା ୧୯୩୯ ମସିହା, ପବିତ୍ର ଜନ୍ମାଷ୍ଟମୀ ଦିନ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କ ଜୀବିତ ଅବସ୍ଥାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ଦିନ ବିଭିନ୍ନ ଜାଗାରେ ତାଙ୍କ ଉପସ୍ଥିତିରେ ଜନ୍ମଦିବସ ପାଳନ କରାଯାଉଥିଲା। କିନ୍ତୁ ଏଥର ଜନ୍ମାଷ୍ଟମୀ ସମୟରେ ସତ୍ୟନାରାୟଣ ବେହେରା ଇହଜଗତରେ ନଥିଲେ। ତେଣୁ ତାଙ୍କୁ ସ୍ମରଣ କରିବାକୁ ସ୍ମୃତିସଭା ଆୟୋଜନ କରାଯାଇଥିଲା।

‘ସାଂପ୍ରତିକ ସମାଜରେ ବ୍ୟବସ୍ଥା ସହ ଲଢ଼େଇ ଦରକାର’

ବର୍ତ୍ତମାନର ବ୍ୟବସ୍ଥା ଯାହା ତାହା ସମସ୍ତେ ଦେଖିବାକୁ ପଡ଼ିବ। ସୋସିଆଲ ମିଡିଆ ଏବେ ବହୁ ଖବରକୁ ବାଟବଣା କରି ଦେଉଛି। ଯାହା ଖବର ଲୋକଲୋଚନକୁ ସାମ୍ବାଦିକମାନେ ଆଣୁଛନ୍ତି ସେଥିରେ ବି ଆମ ସମାଜ ସେତେଟା ପ୍ରତିକ୍ରିୟାଶୀଳ ହେଉନି। ଏଣୁ ବ୍ୟବସ୍ଥା ଆଗରେ ଅବସ୍ଥା ସମାଜର ବିଗିଡ଼ି ଚାଲିଛି। ବିକାଶ ପାଇଁ ବର୍ତ୍ତମାନ ସାମ୍ବାଦିକମାନେ ବ୍ୟବସ୍ଥା ସହ ଲଢ଼ିବାକୁ ପଡ଼ିବ। ଏପରିକି ସମାଜ ବି ସଚେତନ ହୋଇ ପ୍ରତିକ୍ରିୟାଶୀଳ ହେବାକୁ ପଡ଼ିବ ବୋଲି ସାଂପ୍ରତିକ ସମାଜରେ ସାମ୍ବାଦିକତା ଶୀର୍ଷକ ଆଲୋଚନାଚକ୍ରରେ ଆଲୋଚକଗଣ ମତବ୍ୟକ୍ତ କରିଛନ୍ତି। ଆଲୋଚକ କବି ତଥା ଲେଖକ ଭାଗୀରଥି ମିଶ କହିଥିଲେ ଯେ, ବର୍ତ୍ତମାନ ସାମ୍ବାଦିକତା ଆଲୋ ସଖୀ ଆପଣା ମହତ ଆପେ ରଖି ଭଳି ହୋଇଯାଇଛି। ଆଗରୁ ସମାଜସେବା ପାଇଁ ସାମ୍ବାଦିକତା କରାଯାଉଥିଲା। ବର୍ତ୍ତମାନ ଗଣମାଧ୍ୟମର ସଂଖ୍ୟା ବଢ଼ିଛି।

ଗଣମାଧ୍ୟମ ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ଚିନ୍ତାଧାରର ବ୍ୟକ୍ତି କିମ୍ବା ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହେଉଛି। ଯାହା ଫଳରେ ଗଣମାଧ୍ୟମ ସମାଜସେବା ନହୋଇ, ବ୍ୟବସାୟିକ ଅନୁଷ୍ଠାନ ହୋଇଯାଇଛି। ବର୍ତ୍ତମାନ ସାମ୍ବାଦିକଙ୍କୁ ସ୍ୱାଧୀନତା ଦେବା ଉଚିତ। ଅନ୍ୟତମ ଆଲୋଚକ ଧର୍ମେନ୍ଦ୍ର ନନ୍ଦ କହିଥିଲେ, ସାମ୍ବାଦିକମାନେ ନିଜକୁ ବିପଦରେ ପକାଇ ଲୋକଙ୍କ ପାଇଁ କାମ କରୁଥିବାରୁ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ। ସମାଜ ଓ ବ୍ୟବସ୍ଥା ଭିତରେ ଗଣମାଧ୍ୟମ ସେତୁ ଭାବରେ କାମ କରିଥାଏ। କିନ୍ତୁ ଯେତେବେଳେ ସାମ୍ବାଦିକ ଟିଏ ଲୋକଙ୍କ ସ୍ୱାର୍ଥ ପାଇଁ ବ୍ୟବସ୍ଥା ସହିତ ଲଢ଼େଇ କରେ, ସେତେବେ‌ଳେ ପ୍ରେସର ଗ୍ରୁପ, ସାମାଜିକ ସଂଗଠନ ଏବଂ ବୁଦ୍ଧିଜୀବୀ ଆଗେଇ ଆସିବା କଥା। ସାମ୍ବାଦିକଙ୍କ ସହିତ ସ୍ୱର ମିଶାଇ ବିଭିନ୍ନ ସମସ୍ୟାର ବିରୋଧରେ ଲଢ଼େଇ କରିବା କଥା। ବର୍ତ୍ତମାନ ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁଁ, ଅନେକ ମିଛ ଖବର ଭାଇରାଲ ହେଉଛି। ତେଣୁ ମିଛ ଖବର ପ୍ରତି ଲୋକଙ୍କୁ ସଚେତନ କରିବା ବର୍ତ୍ତମାନର ସାମ୍ବାଦିକଙ୍କ ଦାୟିତ୍ୱ ହେବା କଥା ବୋଲି କହିଥିଲେ।

ସମ୍ବନ୍ଧିତ ଖବର