ଖଣ୍ଡପଡ଼ାରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଲିରେ ସାମିଲ ହେଲେ ହଜାର ହଜାର ମହିଳା

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର  ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଲିରେ ରବିବାର ହଜାର ହଜାର ମହିଳା ସାମିଲ ହୋଇ ବିପୁଳ ସମର୍ଥନ ଜଣାଇଛନ୍ତି। ଆଗାମୀ ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ ସୌମ୍ୟରଜଂନ ଖଣ୍ଡପଡ଼ା ଏନଏସି  ଅଂଚଳରେ ଜୋରଦାର ପ୍ରଚାର କରିଛନ୍ତି। ଏହି ଅବସରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହିତ ଉପସ୍ଥିତ ଅଛନ୍ତି। ଏହି ଅବସରରେ ସୌମ୍ୟରଂଜନ କହିଛନ୍ତି, ରାଜନୈତିକ ଜୀବନରେ ପ୍ରବେଶ କଲା ପରେ ମୁଁ ଗୋଟିଏ କର୍ମକ୍ଷେତ୍ର ବାଛିବା ପାଇଁ ଯେତେବେଳେ ଚିନ୍ତା କଲି ସେତେବେଳେ ଖଣ୍ଡପଡ଼ାକୁ ବାଛିଥିଲି। ମୁଁ ଖଣ୍ଡପଡ଼ାକୁ ବାଛିଲି ସିନା ଖଣ୍ଡପଡ଼ାବାସୀ ମତେ କିନ୍ତୁ ଏପର୍ଯ୍ୟନ୍ତ ବାଛିଲେ ନାହିଁ। ମୁଁ ଆଶା କରୁଛି ଏଥର ଖଣ୍ଡପଡ଼ାବାସୀ ମତେ ବାଛିବେ ଏବଂ ତାଙ୍କ ସେବା କରିବା ପାଇଁ ସୁଯୋଗଟିଏ ଦେଇ ପରୀକ୍ଷା କରିବେ।

ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ସ୍ଥାନୀୟ ନେତା ଓ ସମର୍ଥକ

ସୌମ୍ୟରଂଜନଙ୍କ ନିର୍ବାଚନ ପ୍ରଚାର ଅବସରରେ ଆଜି କୋସ୍କା ପଂଚାୟତର ବିଜେପି ସଭାପତି ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି। ଏଥି ସହିତ ସ୍ଥାନୀୟ ବିଜେପି ନେତା, କର୍ମୀମାନେ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗଦେଇଥିବା କର୍ମୀମାନଙ୍କୁ ସୌମ୍ୟରଂଜନ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଛନ୍ତି।

ଆଜି ସକାଳ ୮ଟାରୁ ସୌମ୍ୟରଂଜନ ଘରକୁ ଘର ଯାଇ ସାଧାରଣ ଜନତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିଲେ। ପ୍ରଚାରର ଶେଷ ଦିନ ଅବସରରେ ଖଣ୍ଡପଡ଼ାରେ ରୋଡ ସୋ’ ଓ ବାଇକ ରାଲି ଅନୁଷ୍ଠିତ ହୋଇଥିଲା।

ପୂର୍ବାହ୍ଣରେ ଖଣ୍ଡପଡ଼ା ଏନଏସିର ବିଭିନ୍ନ ଗଳିକନ୍ଦିରେ ପ୍ରଚାର କାର୍ଯ୍ୟ ଶେଷ କରିବା ପରେ ଅପରାହ୍ଣରେ ଏକ ବିରାଟ ମହିଳା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଥିରେ ଏନଏସି ଅନ୍ତର୍ଗତ ହଜାର ହଜାର ମହିଳା ସାମିଲ ହୋଇଛନ୍ତି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସର୍ବାଧିକ ଭୋଟ ଦେଇ ଓଡ଼ିଶାରେ ଇତିହାସ ସୃଷ୍ଟି କରିବା ପାଇଁ ଆହ୍ଵାନ କରାଯାଇଛି।

ସମ୍ବନ୍ଧିତ ଖବର