ସରିବାକୁ ବସିଲାଣି ସଞ୍ଚିତ ଟଙ୍କା, ମଧ୍ୟବିତ୍ତ ପରିବାରଙ୍କ ଜୀବନ ଦୁର୍ବିସହ

ଗ୍ରାମାଞ୍ଚଳରୁ ଉତ୍କଟ ହେଲାଣି ସହରରେ ଚଳିବା, ସଞ୍ଚିତ ଅର୍ଥ ସରିବା ପରେ ଧାର କରଜରେ ବିତୁଛି ଜୀବନ

ଭଞ୍ଜନଗର: ଆକସ୍ମିକ ଭାବେ ଆସିଲା ଅଜଣା ଭୂତାଣୁର ଭୟ। କେହି କେବେ ଚିନ୍ତା କରିନଥିଲେ ଏଭଳି ପରିସ୍ଥିତି ଦେଇ ଜୀବନ ବିତାଇବାକୁ ପଡିବ। ନା ଥିଲା ପୂର୍ବ ସୁଚନା ନା ମାସମାସ ଧରି ଲକ୍‌ଡାଉନ୍‌କୁ ସାମ୍ନା କରିବା ଭଳି ଥିଲା ପୂର୍ବ ପ୍ରସ୍ତୁତି। ଅଦୃଶ୍ୟ ଭୂତାଣୁ ଠାରୁ ନିଜକୁ ରକ୍ଷା କରିବା ପାଇଁ ଘର ଭିତରେ ବନ୍ଦି ଜୀବନ କାଟିବାକୁ ପଡିଲା ସମାଜର ସବୁ ସ୍ତରର ଲୋକଙ୍କୁ। ଗରୀବମାନଙ୍କ ଠାରୁ ଆରମ୍ଭ କରି ଧନୀକ ଶ୍ରେଣୀ ସମସ୍ତେ ହେଲେ ପ୍ରଭାବିତ। ଲକ୍‌ଡାଉନ୍‌ ଫଳରେ ଲୋକମାନଙ୍କ ଆର୍ଥିକ ଅବସ୍ଥା ଦୟନୀୟ ହୋଇପଡିଛି। ଗ୍ରାମାଞ୍ଚଳର ଲୋକମାନେ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ସହରାଞ୍ଚଳରେ ବସବାସ କରୁଥିବା ଲୋକେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି।

ଅନ୍ୟପକ୍ଷରେ ସରକାର ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଘୋଷଣା କରିଥିବା ସହ କୃଷି କ୍ଷେତ୍ର, ମନରେଗା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ନଗଦ ଅର୍ଥରାଶି ପ୍ରଦାନ କରିଛନ୍ତି। କିନ୍ତୁ ଏଥରୁ ବାଦ୍‌ ପଡିଛନ୍ତି ସହରରେ ରହୁଥିବା ମଧ୍ୟବିତ୍ତ ଓ କିଛି ନିମ୍ନ ମଧ୍ୟ ପରିବାର ଲୋକ। ଏହି ସମୟରେ ରୋଜଗାରରୁ ସଞ୍ଚିତ ଅର୍ଥ ସେମାନଙ୍କ ଏକମାତ୍ର ରାହା। ଲକ୍‌ଡାଉନ୍‌ ସମୟ ସୀମା ବଢିବାକୁ ଲାଗିବା ସହ ସେମାନଙ୍କ ସଞ୍ଚିତ ଅର୍ଥ ମଧ୍ୟ ସରିବାକୁ ଲାଗିଲାଣି। ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ଲକ୍‌ଡାଉନ ସେତେଟା ପ୍ରଭାବ ପକାଇନଥିବା ବେଳେ ବର୍ତ୍ତମାନ ଦୀର୍ଘ ତିନି ମାସର ପରିସ୍ଥିତି ମଧ୍ୟବିତ୍ତଙ୍କ ପାଇଁ ସଙ୍ଗିନ୍‌ ହୋଇ ପଡିଛି।

ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଲକ୍‌ଡାଉନ୍‌ ଯୋଗୁ ଦେଶରେ ୮୪ ପ୍ରତିଶତ ପରିବାରଙ୍କ ରୋଜଗାର କମିଯାଇଛି। ନିୟମିତ ରୋଜଗାର ବନ୍ଦ ହୋଇଯିବା କାରଣରୁ ଏହି ମଧ୍ୟବିତ୍ତ ପରିବାର ଲୋକମାନେ ପରିବାର ପ୍ରତିପୋଷଣ ପାଇଁ ନିଜର ସଞ୍ଚିତ ଅର୍ଥ ଉପରେ ନିର୍ଭର କରିବାକୁ ପଡୁଛି, ଯାହାକି ବର୍ତ୍ତମାନ ସରିବାକୁ ବସିଲାଣି। ଆଗାମୀ ଦିନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ମଧ୍ୟବିତ୍ତମାନେ ସକ୍ଷମ ହେବେ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

image source-cdc

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ରହୁଥିବା ମଧ୍ୟବିତ୍ତଙ୍କ କ୍ଷେତ୍ରରେ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇପଡିଛି। ବିଭିନ୍ନ ଘରୋଇ କମ୍ପାନିରେ ଚାକିରୀ କରୁଥିବା, ଶିକ୍ଷା, ସଙ୍ଗୀତ ଓ ଜିମ୍‌ ଭଳି ଛୋଟମୋଟ ଅନୁଷ୍ଠାନ ଓ ହୋଟେଲ୍‌, ଫାଷ୍ଟ୍‌ଫୁଡ୍‌ ବ୍ୟବସାୟରୁ ରୋଜଗାର ଉପରେ ର୍ନିଭର କରୁଥିବା ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି। ଥାନା ଛକ ଠାରେ ଦୀର୍ଘ ୨୫ ବର୍ଷ ହେବ ଫାଷ୍ଟ୍‌ଫୁଡ କରିଥିବା ପୂର୍ଣ୍ଣଚନ୍ଦ୍ର ଗୌଡ କହିଛନ୍ତି ଯେ ଜୀବନ କାଳରେ ଏଭଳି ସ୍ଥିତି କେବେ ଦେଖି ନଥିଲି। ଆମିଷ ଫାଷ୍ଟଫୁଡ ଦୋକାନ କରିଥିବା ବେଳେ ପ୍ରତିଦିନ ଦୈନିକ ୬ରୁ ୭ ହଜାର ଟଙ୍କାର ବ୍ୟବସାୟ ହେଉଥିଲା। କର୍ମଚାରୀଙ୍କୁ ଦରମା ଦେବାସହ ପ୍ରସ୍ତୁତି ସାମଗ୍ରୀ କିଣା ଖର୍ଚ୍ଚ ଗଲାପରେ ବଳକା ଟଙ୍କାରେ ପରିବାର ଚଳାଇବାରେ କୌଣସି ସମସ୍ୟା ହେଉନଥିଲା। ଏହାସହ ପ୍ରତିମାସରେ କିଛି ଟଙ୍କା ଭବିଷ୍ୟତ ପାଇଁ ସଞ୍ଚୟ ହୋଇଯାଉଥିଲା। କିନ୍ତୁ କରୋନା ପାଇଁ ମାର୍ଚ୍ଚ ୧୪ରୁ ଜିଲ୍ଲାରେ ସମସ୍ତ ଦୋକାନ ବନ୍ଦ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଦୋକାନ ଖୋଲା ଯାଇପାରିନି। ସଞ୍ଚିତ ଟଙ୍କାରୁ ହିଁ ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ପଡୁଛି। ପିଲାଙ୍କ ଭବିଷ୍ୟତ ସାଙ୍ଗକୁ ବାପା ମାଙ୍କ ଔଷଧ ଖର୍ଚ୍ଚ ତୁଲାଇବା ସଞ୍ଚିତ ଅର୍ଥ ଉପରେ ହିଁ ନିର୍ଭର। ତେଣୁ ଆଗକୁ କିଭଳି ଚଳି ହେବ ସେନେଇ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇପଡିଥିବା ପୂର୍ଣ୍ଣ କହିଛନ୍ତି।

ସେହିପରି ବାଉଁଶଲୁଣ୍ଡତି ଠାରେ ସଙ୍ଗୀତ ଓ ନୃତ୍ୟ ଅନୁଷ୍ଠାନ କରିଥିବା ରବି ନାରାୟଣ ଦାଶ ସଞ୍ଚିତ ଅର୍ଥ ସରିଯିବା ପରେ ଜୀବନ ବର୍ତ୍ତମାନ ଧାର କରଜରେ ଚାଲିଥିବା କହିଛନ୍ତି। ତାଙ୍କ ଅନୁଷ୍ଠାନରେ ୪୦ରୁ ଉର୍ଦ୍ଧ୍ଵ ଶିକ୍ଷାର୍ଥୀ ରହିଥିବା ବେଳେ ମାସକୁ ପ୍ରାୟ ୩୦ ହଜାର ଟଙ୍କା ଆଦାୟ ହୋଇଥାଏ। ଏହାସହ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ଯାନି ଯାତ୍ରା, ଉତ୍ସବ ସମୟରେ ମଞ୍ଚ କାର୍ଯ୍ୟକ୍ରମରେ ମଧ୍ୟ ଭଲ ରୋଜଗାର ହୋଇଥାଏ। କିନ୍ତୁ କରୋନା ଆସିବା ପରଠାରୁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବା ସହ ସଙ୍ଗୀତ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ଏଭଳି ପରିସ୍ଥିତି ଉପୁଜିବ ବୋଲି ଆଗୁ ପ୍ରସ୍ତୁତି ବି କିଛି ନଥିଲା। ରୋଜଗାରରୁ କିଛି କିଛି ସଞ୍ଚିତ ଟଙ୍କାରେ ଲକ୍‌ଡାଉନର କିଛି ଦିନ ବିତି ଯିବା ପରେ ଏବେ ରୋଷେଇ ଓ ପରିବାର ଚଳାଇବା ପାଇଁ ଜିନିଷ ଧାର କରଜରେ ଆଣିବାକୁ ପଡୁଛିଯ ଏପରି ଅନେକ ମଧ୍ୟବିତ୍ତ ପରିବାର ଲୋକମାନେ ନିଜର ସଞ୍ଚିତ ଅର୍ଥ ଉପରେ ହିଁ ନିର୍ଭର କରୁଥିବା ସେହି ଟଙ୍କା ମଧ୍ୟ ସରିବାକୁ ଲାଗିଲାଣି।

ସମ୍ବନ୍ଧିତ ଖବର