ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ ଗଛ ଚୋରାଉଥିଲେ ବନ ବିଭାଗ କର୍ମଚାରୀ! ଆଦିବାସୀଙ୍କ ହାତରେ ଧରାପଡ଼ି ଆଣ୍ଠେଇଲେ 

ଖୋର୍ଦ୍ଧା/ବାଲୁଗାଁ: ‘ରକ୍ଷକ ଭକ୍ଷକ ସାଜିବା’, ‘ବାଡ଼ ଖାଉଛି ଫସଲ’ ଆଦି ଢଗ ଶୁଣିଥିଲେ, ବର୍ତମାନ ଏହାକୁ ଖୋର୍ଦ୍ଧା ବନ ଡିଭିଜନର ବନ ସୁରକ୍ଷା କର୍ମଚାରୀମାନେ ପ୍ରମାଣିତ କରିଛନ୍ତି । ଯେଉଁ ଜଙ୍ଗଲର ସୁରକ୍ଷା ଦାୟିତ୍ୱ କାନ୍ଧରେ ଥିଲା ସେଇ ଜଙ୍ଗଲରୁ କାଠ ଚୋରି କରି ନେଉଛନ୍ତି । ଆଜି ଘଟଣାକ୍ରମେ ଜଙ୍ଗଲର ସୁରକ୍ଷା ଦାୟିତ୍ୱରେ ଥିବା ବନ ସୁରକ୍ଷା କମିଟିର ଆଦିବାସୀ ସଦସ୍ୟଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇବା ସହ ଆଣ୍ଠେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ଘଟଣା ନେଇ ଜିଲ୍ଲାର ଡିଏଫ୍ଓଙ୍କୁ ପଚାରିବା ପରେ କୌଣସି ପ୍ରତିକ୍ରିୟା ନଦେଇ ନିଜର ମୋବାଇଲ୍ ଫୋନ୍କୁ ବନ୍ଦ କରିଦେଇଛନ୍ତି ।

ରାଜ୍ୟର ଶାଗୁଆନ ଜଙ୍ଗଲ ପାଇଁ ପ୍ରସିଦ୍ଧ ଦାମିଆ ବରବରା ଜଙ୍ଗଲର ଅରାଙ୍ଗ-ଧୂଆଁନଳୀ ବିଟ୍ ଅନ୍ତର୍ଗତ କିଆ ଗୋରଡ଼ା ଗାଁ । ଏକ ପୁରାତନ ଶାଗୁଆନ ଗଛକୁ କେତେକ ବନ କର୍ମଚାରୀ ଓ କାଠ ମାଫିଆ କାଟି ନେଉଥିବା ବେଳେ ନିକଟସ୍ଥ ଆଦିବାସୀ ଗାଁର ବନ ସୁରକ୍ଷା କମିଟି ସଦସ୍ୟଙ୍କ ହାତରେ ଧରାପଡ଼ିଛନ୍ତି । ବନ ସୁରକ୍ଷା ସମିତି ସଦସ୍ୟଙ୍କ ଅଭିଯୋଗ ହେଲା, ଗତ କିଛି ମାସ ଧରି ଜଙ୍ଗଲରୁ ନିୟମିତ ଭାବେ ଗଛ କାଟି ନେଉଛନ୍ତି । ପୂର୍ବେ ୫ ଓ ୭ ନମ୍ବର ଶାଗୁଆନ ଗଛକୁ କାଟି ନେଇଥିଲେ । ଏନେଇ ସରପଂଚ କିମ୍ବା ବନସୁରକ୍ଷା କମିଟିକୁ କୌଣସି ସୂଚନା ଦେଇନାହାନ୍ତି ।

ଆଜି ପୂର୍ବାହ୍ଣ ପ୍ରାୟ ୧୨ଟା ବେଳେ ଜଙ୍ଗଲ ମଧ୍ୟରୁ ଗଛ କାଟିବା ଶବ୍ଦ ଶୁଣି, ବନ ସୁରକ୍ଷା ସମିତିର ସଦସ୍ୟମାନେ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ଗଛ କାଟିବାକୁ କାଠ କଟାଳିଙ୍କ ସହ ପ୍ରାୟ ୧୫ଜଣ ଆସିଥିଲେ । ସେମାନେ ଜଙ୍ଗଲ ମଧ୍ୟରୁ ଏକ ୧୨-୧୩ଫୁଟ ଗୋଲେଇର ଅର୍ଥାତ୍ ୨୦ ବର୍ଷର ପୁରାତନ ଶାଗୁଆନ ଗଛକୁ କାଟି ସାରି କଟା ଗଛରୁ ଡାଳ ଆଦି ସଫା କରୁଥିଲେ । ଗ୍ରାମବାସୀଙ୍କୁ ଦେଖି ଅନ୍ୟମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ୩ଜଣ ଧରାପଡ଼ିଥିଲେ । ପରେ ସେମାନଙ୍କ ପରିଚୟ ଲୋଡ଼ିବାରୁ ସେମାନେ ସେହି ଅଂଚଳର ବନ ବିଭାଗର ସୁରକ୍ଷା କର୍ମଚାରୀ ବୋଲି ଜଣାପଡ଼ିଥିଲା । ବନ ବିଭାଗ କର୍ମଚାରୀମାନେ ହେଲେ ଫରେଷ୍ଟର ଦୁଃଶାସନ ନାୟକ ଓ ଅନ୍ୟଦୁଇଜଣ ବନ ରକ୍ଷକ । ଗାଁ ଲୋକ ସେମାନଙ୍କୁ ଅଟକ ରଖି ବାଣପୁର ପୁଲିସକୁ ଖବର ଦେଇଥିଲେ । ଏଏସ୍ଆଇ ପ୍ରସନ୍ନ ଜେନା ଓ ଅନ୍ୟ ପୁଲିସ କର୍ମଚାରୀ ସେଠାରେ ପହଂଚିବା ଯାଏଁ ଦୀର୍ଘ ୧ ଘଂଟା ଅଟକ ବନ କର୍ମଚାରୀଙ୍କୁ ଆଣ୍ଠେଇ ରଖିଥିଲେ ।

ଏନେଇ ବାଲୁଗାଁ ଏସ୍ଡିପିଓ ମାନଓ ରଂଜନ ବାରିକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗାଁ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ୩ଜଣ ଅଟକ ଥିବା କର୍ମଚାରୀଙ୍କୁ ଥାନାକୁ ଆଣିଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଏନେଇ କୌଣସି ଲିଖିତ ଅଭିଯୋଗ ଥାନାରେ ଦାଖଲ ହୋଇନାହିଁ । ଅପରପକ୍ଷରେ ଏନେଇ ଅପରାହ୍ଣ ସାଢ଼େ ୪ଟାରୁ ଖୋର୍ଦ୍ଧା ଡିଏଫ୍ଓ ପୂର୍ଣ୍ଣିମା ପାଣ୍ଡିଆନଙ୍କ ସହ ଯୋଗାଯୋଗ କରାଯାଇଥିଲା । ପରେ ଏନେଇ ୱାଟସଅପ୍ ଓ ମେସେଜ ଜରିଆରେ ପ୍ରତିକ୍ରିୟା ଲୋଡ଼ା ଯାଇଥିଲା, କିନ୍ତୁ ଏହାପରେ ସେ ନିଜର ମୋବାଇଲ୍ ବନ୍ଦ ରଖିବାରୁ ତାଙ୍କ ଠାରୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଲୋଡ଼ାଯାଇପାରିନାହିଁ ।

ତେବେ ବାଲୁଗାଁ ବନାଂଚଳ ଅଧିକାରୀ ପ୍ରତାପ ମହାନ୍ତି କହିଛନ୍ତି ଯେ ଉକ୍ତ ଗଛଟି ପୂର୍ବରୁ କେହି ୯୦ ପ୍ରତିଶତ କାଟି ଦେଇଥିଲେ । ଏଣୁ ଦୁର୍ଘଟଣାରୁ ବଂଚିବା ପାଇଁ ଗଛଟିକୁ ସଂପୂର୍ଣ୍ଣ କାଟିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ସେ ଫରେଷ୍ଟର ଶ୍ରୀ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୂର୍ବେ ୫ ଓ ୭ ନମ୍ବର ଆାଦି ଗଛ କଟାଯିବା ନେଇ ଗାଁ ଲୋକଙ୍କ ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି ଯେ ଏନେଇ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର