ରାୟଗଡ଼ା: ବଢ଼ି ଚାଲିଛି ଅନୁସୂଚିତ ଜାତି ଓ ଜନଜାତି ସଂପର୍କିତ ମାମଲା। ସଠିକ୍ ସମୟରେ ତଦନ୍ତ ସରୁନଥିବାରୁ ମାମଲାରେ ଜଡ଼ିତ ମହକିଲ ଓ ଅଭିଯୋଗକାରୀ ବର୍ଷବର୍ଷ ଧରି ହେଉଛନ୍ତି ହନ୍ତସନ୍ତ। ଯୁଗ୍ମ ତଦନ୍ତ ରିପୋର୍ଟ ସହ ବିଭିନ୍ନ ସ୍ତରରୁ ଆସିଥିବା ରିପୋର୍ଟ କୋର୍ଟକୁ ମିଳିବାରେ ଅହେତୁକ ବିଳମ୍ବ ଯୋଗୁ ନ୍ୟାୟିକ ପ୍ରକ୍ରିୟା ହେଉଛି ବାଧାପ୍ରାପ୍ତ। ରାୟଗଡ଼ା ଓ ଗୁଣପୁର କୋର୍ଟରେ ୯୮ ମାମଲା ପଡି ରହିଥିବାରୁ ତୁରନ୍ତ ଏହାର ଫଇସଲା ପାଇଁ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକରେ ହୋଇଛି ନିର୍ଦେଶ। ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ଲୋକଙ୍କୁ ଜାତିଆଣ ଆକ୍ଷେପ, ଆକ୍ରମଣ, ଦୁଷ୍କର୍ମ, ଆକ୍ରମଣ, ଅପହରଣ ଓ ହତ୍ୟା ଧମକ ଦେବା ଭଳି ମାମଲାର ବିଚାର କରିବାକୁ ସରକାର ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି।

Advertisment

୧୯୯୫ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଆଇନ ଜରିଆରେ ଏସ୍‌ସି/ଏସଟି ସଂପ୍ରଦାୟର ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି। ମାଗଣାରେ ଓକିଲ ଯୋଗାଇ ଦେବାସହ ମାମଲାର ବିଚାରଣ ସମୟରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଯୋଗାଇ ଦେବାକୁ ନିର୍ଦେଶ ରହିଛି। ଏହି କ୍ରମରେ ୨୦୧୧ ମସିହାରୁ ୨୦୨୧ ମଧ୍ୟରେ ରାୟଗଡ଼ା କୋର୍ଟରେ ୫୬ଟି ଓ ଗୁଣପୁର କୋର୍ଟରେ ୩୮ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି। ସେଥି ମଧ୍ୟରୁ ୪୦ ମାମଲା ଯୁଗ୍ମ ତଦନ୍ତ ପାଇଁ ଗ୍ରହଣ ହୋଇଛି। ତହସିଲଦାର ଓ ଡିଏସପି ପାହ୍ୟାର ଅଧିକାରୀ ଅଭିଯୋଗର ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବା ପରେ କୋର୍ଟରେ ମାମଲାର ବିଚାର ଆରମ୍ଭ ହେବ। ହେଲେ ଇତି ମଧ୍ୟରେ ୪୦ ମାମଲା ମଧ୍ୟରୁ ୧୯ଟି ମାମଲାର ଯୁଗ୍ମ ତଦନ୍ତ ସରିଥିବା ବେଳେ ୨୧ଟି ମାମଲାର ଯୁଗ୍ମ ତଦନ୍ତ ହୋଇପାରିନି। ତହସିଲଦାରଙ୍କ ରିପୋର୍ଟ ମିଳିବାରେ ବିଳମ୍ବ ଯୋଗୁ ଏହି ସବୁ ମାମଲାର ବିଚାର ବାଧାପ୍ରାପ୍ତ ହୋଇଛି। ରାୟଗଡ଼ା ଏସଡିପିଓଙ୍କ ଅଧୀନରେ ସର୍ବାଧିକ ୧୫ ମାମଲା, ବିଷମକଟକ ଏସଡିପିଓଙ୍କ ଅଧୀନରେ ଗୋଟିଏ ଓ ଗୁଣପୁର ଏସଡିପିଓଙ୍କ ଅଧୀନରେ ୫ଟି ମାମଲା ପଡିଛି।

ଅନ୍ୟପକ୍ଷରେ ରାୟଗଡ଼ା ଓ ଗୁଣପୁର କୋର୍ଟରେ ବିଚାର ଅପେକ୍ଷାରେ ଥିବା ମାମଲା ମଧ୍ୟରୁ ଅଧିକାଂଶ ମାମଲାର ତଦନ୍ତକାରୀ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ କିଛି ଅବସର ଗ୍ରହଣ କରି ସାରିଥିବା ବେଳେ କିଛି ଅନ୍ୟ ଜିଲ୍ଲାକୁ ବଦଳି ହୋଇ ଗଲେଣି। କିଛି ମାମଲାର ଟ୍ରାଏଲ୍ ଚାଲିଥିବା ବେଳେ କିଛି ମାମଲାର ଅଭିଯୁକ୍ତକୁ ପୁଲିସ୍ ଠାବ କରିବାରେ ସକ୍ଷମ ହୋଇ ପାରୁନଥିବାରୁ ନ୍ୟାୟିକ ପ୍ରକ୍ରିୟା ବିଳମ୍ବ ହେଉଛି। ଜାତିଆଣ ମାମଲାର ବିଚାର କରି ୨୦୧୭-୧୮ ମସିହାରେ ୧୭ ପୀଡ଼ିତଙ୍କୁ ୧୦ ଲକ୍ଷ ୯୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ୨୦୧୮-୧୯ ରେ ୩ ପୀଡ଼ିତଙ୍କୁ ୬ ଲକ୍ଷ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। କିନ୍ତୁ ଉକ୍ତ ଦୁଇବର୍ଷର ୭ ଏବଂ ୨୦୨୦-୨୧ ବର୍ଷର ୮ ପୀଡ଼ିତ, ୨୦୨୧-୨୨ର ୧୦ ପୀଡ଼ିତଙ୍କ ବିଭିନ୍ନ କାରଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିନି।

୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସରକାର ଆର୍ଥିକ ସହାୟତା ବାବଦକୁ ୨୧ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଆର୍ଥିକ ସହାୟତା ପ୍ରଦାନ ଅଟକିଛି। ମାମଲା ଫଇସଲାରେ ବିଳମ୍ବ ହେଉଥିବା ଯୋଗୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକରେ ଏ ନେଇ ସବିଶେଷ ଆଲୋଚନା ସହ ତଦନ୍ତ ରିପୋର୍ଟ ତୁରନ୍ତ ଯୋଗାଇ ଦେବାକୁ ତହସିଲଦାର ଓ ଡିଏସପିଙ୍କୁ ନିର୍ଦେଶ ହୋଇଛି। ଅଟକିଥିବା ସମସ୍ତ ମାମଲାର ସୁପରିଚାଳନା କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ବାବଧାନରେ ଏଚଆରପିସି ଡିଏସପିଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। କୋର୍ଟରେ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ପବ୍ଲିକ୍ ପ୍ରସ୍ୟୁକ୍ୟୁଟର୍, ଆସିଷ୍ଟାଣ୍ଟ୍ ପବ୍ଲିକ୍ ପ୍ରସ୍ୟୁକୁଟର ମଧ୍ୟ ନିଯୁକ୍ତି ହୋଇଛନ୍ତି। ତଥାପି ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବା ଜଣା ପଡିଛି।