ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ରାଉତପଡ଼ା ଶାଖାରେ ଜାଲିଆତି

ଜମାରାଶି ଫେରାଇବା ପାଇଁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ଦାବିପତ୍ର

ଖୋର୍ଦ୍ଧା : ବେଗୁନିଆ ବ୍ଲକ ରାଉତପଡ଼ାରେ ଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ଜଣେ ପୂର୍ବତନ ହିସାବ ରକ୍ଷକ ଦ୍ୱାରା ହିତାଧିକାରୀଙ୍କ କୋଟିଏରୁ ଅଧିକ ଟଙ୍କା ହଡ଼ପ କରାଯାଇଥିବା ଓ ଏହି ମାମଲାକୁ ବ୍ୟାଙ୍କ କର୍ତୃପକ୍ଷ ଚପାଇଦେବାକୁ ଉଦ୍ୟମ କରୁଥିବା ନେଇ ବିସ୍ତୃତ ଖବର ୨୬ ତାରିଖ ସମ୍ବାଦରେ ପ୍ରକାଶ ପାଇଥିଲା । ଏହି ଘଟଣାରେ ଆଜି କ୍ଷତିଗ୍ରସ୍ତ ହିତାଧିକାରୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ୧ ସପ୍ତାହ ମଧ୍ୟରେ ସେମାନଙ୍କ ଜମା ରାଶି ଫେରାଇବା ପାଇଁ ଦାବି କରିଛନ୍ତି ।

ଜମାକାରୀ ଅନ୍ତର୍ଯାମୀ ଦଳେଇ, ପ୍ରମୋଦ କୁମାର ଜେନା, ବିଶ୍ୱନାଥ ଚାନ୍ଦ, ଉତ୍ତମ ଦେଈ, ନିର୍ମଳ ଦାସ, ଜଗନ୍ନାଥ ଦାସ, ବାସନ୍ତି ପରିଡ଼ା, ସୁରେନ୍ଦ୍ର ବେହେରା, ସାରଙ୍ଗଧର ବାରିକଙ୍କ ସମେତ ୬୦ରୁ ଉଦ୍ଧ୍ୱର୍ କ୍ଷତିଗ୍ରସ୍ତ ଜମାକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ରାଉତପଡ଼ା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ହୋଇଥିବା ଜାଲିଆତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ସହ ଏନେଇ ବ୍ୟାଙ୍କ କର୍ତୃପକ୍ଷଙ୍କ ଟାଲଟୁଳ ନୀତି ଓ ଦୋଷୀଙ୍କୁ ଖସାଇବାକୁ ଉଦ୍ୟମ ନେଇ ଅବଗତ କରାଇଥିଲେ । ସେମାନଙ୍କ କହିବା କଥା ହେଲା, ରାଉତପଡ଼ା ଓ ଆଖପାଖ ଅଂଚଳର ପ୍ରାୟ ଶତାଧିକ ଜମାକାରୀଙ୍କ କୋଟିଏରୁ ଉଦ୍ଧ୍ୱର୍ ଟଙ୍କା ହଡ଼ପ ହୋଇଛି । ଏଥିରେ ଶାଖାର କର୍ମଚାରୀ ସମ୍ପୃକ୍ତ ଅଛନ୍ତି । ଏନେଇ ସେମାନେ ଅଭିଯୋଗ କରିବା ପରେ ବ୍ୟାଙ୍କ କର୍ତୃପକ୍ଷ ୨୩ ଫେବ୍ରୁଆରୀ ୨୦୨୨ରେ ତଦନ୍ତ ଆରମ୍ଭ କରିଥିଲେ । ଏହା ମଧ୍ୟରେ ସେମାନେ ବାରମ୍ବାର ଶାଖା ଓ ଖୋର୍ଦ୍ଧା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି, କିନ୍ତୁ ବ୍ୟାଙ୍କ କର୍ତୃପକ୍ଷ ସେମାନଙ୍କୁ ଦେଖିଲେ ଲୁଚୁଛନ୍ତି ।

ସେମାନେ କହିଛନ୍ତି ସେମାନଙ୍କ ଜମା ରାଶି ଫେରାଇବାର ବ୍ୟାଙ୍କ ଗ୍ୟାରେଣ୍ଟି ଦିଆଯାଉ, ଜାଲିଆତିର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ, ଯେହେତୁ ଏହା ୧ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଜାଲିଆତି ହୋଇଛି ଏହାର ତଦନ୍ତ ଇଡି କିମ୍ବା ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା କରାଯାଉ ଓ ସମ୍ପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ଗରିଫ କରାଯାଉ । ଯଦି ୧ ସପ୍ତାହ ମଧ୍ୟରେ ସେମାନଙ୍କ ଜମାରାଶି ଫେରାଇବା ନେଇ କୌଣସି ପଦକ୍ଷେପ ନିଆନଯାଏ ତେବେ ସମସ୍ତ ଜମାକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ।

 

ସମ୍ବନ୍ଧିତ ଖବର