ନିରାକାରପୁର: ମନରେଗା ପାଣ୍ଠିରୁ ଖୋଳିଥିଲେ କମ୍ପୋଷ୍ଟ ପିଟ୍। ଜଣେ କି’ ଦୁଇ ଜଣ ନୁହେଁ, ୧୯ଜଣଙ୍କର ଏକାଠି ହୋଇଥିଲା କାମ। କିନ୍ତୁ, ସରକାରୀ ଟଙ୍କାର କମ୍ପୋଷ୍ଟ ପିଟ୍ ଛଅଟା ମାସ ବି ଗଲାନି। ପ୍ରକଳ୍ପରୁ ସାର ବାହାରିବା ପୂର୍ବରୁ ଗାତ ପୋତି ହୋଇଗଲାଣି। ଟାଙ୍ଗୀ ବ୍ଲକ୍ ଛଣଗିରି ପଞ୍ଚାୟତ ଅରାଙ୍ଗ-ଦେଉଳପାଟଣା ଆଦିବାସୀ ସାହିରେ ମନରେଗା ପ୍ରକଳ୍ପର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। କିଛି ଦିନ ତଳେ ଟାଙ୍ଗୀ ବ୍ଲକ କୁହୁଡ଼ି ଜନତା ମହାବିଦ୍ୟାଳୟରେ ମନରେଗାର ଚିତ୍ର ଦେଖିବାକୁ ମିଳିଥିଲା। ଗଛରେ ଫଳ ଫଳିବା ପୂର୍ବରୁ ମନରେଗା ପାଣ୍ଠିରୁ ଲଗାଯାଇଥିବା ୨୫୦ ଗଛ ଗାଏବ ହୋଇଯାଇଥିଲା। କୁହୁଡ଼ି ପରେ ଛଣଗିରି ପଞ୍ଚାୟତର ଏ ପ୍ରକାର ଚିତ୍ର ଟାଙ୍ଗୀ ବ୍ଲକ୍ରେ ମନରେଗା ପ୍ରକଳ୍ପର ଅବସ୍ଥା କ’ଣ ତାହା କେବଳ ସୂଚାଇ ଦେଉନାହିଁ, ବରଂ ମନରେଗା ପ୍ରକଳ୍ପ ନାଁରେ ପାଣ୍ଠି କେମିତି ଲୁଟ୍ପାଟ୍ ଚାଲିଛି ତାହା ବି ଦେଖାଇ ଦେଉଛି।
ତଥ୍ୟ ମୁତାବକ, ଆଦିବାସୀ ସାହିରେ ତିଆରି କରାଯାଇଥିବା ଏ ପ୍ରକଳ୍ପ ହେଉଛି ୨୦୨୨-୨୩ ଆର୍ଥିକବର୍ଷର। ମନରେଗା ଫଳକ ଦର୍ଶାଉଛି, ସ୍ଥାନୀୟ ସାହିର କୁମା ନାଏକଙ୍କ ସମେତ ମୋଟ୍ ୧୯ଜଣଙ୍କର କମ୍ପୋଷ୍ଟ ଏବଂ ସୋକ୍ ପିଟ୍ ନିର୍ମାଣ କରାଯାଇଥିଲା। ଏ ପ୍ରକଳ୍ପ ସବୁ ବ୍ୟକ୍ତିଗତ ଲୋକଙ୍କ ବାଡିରେ କରାଯାଇଛି ବୋଲି ଦର୍ଶାଯାଇଛି।
କମ୍ପୋଷ୍ଟ ପିଟ୍ କରିବାକୁ ତିନି ଫୁଟ୍ ଗଭୀରରେ ତିନି ଫୁଟ୍ ଓସାରର ଗାତ ଖୋଳାଯାଇଥିଲା। ତା’ ମଧ୍ୟରେ ସିମେଣ୍ଟ୍ ଦେଇ ଇଟା ଯୋଡ଼େଇ ହେବା କଥା। କିନ୍ତୁ, ସିମେଣ୍ଟ୍ ଦିଆଗଲା ନାହିଁ। ବିନା ସିମେଣ୍ଟରେ କେଇ ଖଣ୍ଡ ଇଟା ଖଞ୍ଜି ଛାଡ଼ି ଦିଆଗଲା। ଫଳତଃ ଇଟା ଭୁଷୁଡ଼ି ପଡ଼ିଲା। ବ୍ୟବହାର ହେବା ପୂର୍ବରୁ ଗାତ ବି ଧୀରେ ଧୀରେ ପୋତା ପୂରିବାକୁ ଲାଗିଲାଣି ବୋଲି ମନରେଗା ହିତାଧିକାରୀ ସିରି ନାୟକ, ଗୁନ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି। ଆମଠାରୁ ଠିକାଦାର ଆଧାର କାର୍ଡ ନେଇ ଫଟୋ ଉଠାଇଥିଲେ। ନିମ୍ନମାନର କାମ ବୋଲି ପ୍ରତିବାଦ କଲେ ବି ଆମ କଥା କେହି ଶୁଣିଲେ ନାହିଁ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ପାଇଁ ଛଣଗିରି ଜିଆର୍ଏସ୍ ବରୋଦା ପ୍ରସନ୍ନ ବେହେରାଙ୍କ ସହିତ ଯୋଗାଯୋଗ ପାଇଁ ବାରମ୍ବାର ଉଦ୍ୟମ କରାଯାଇଥିଲା। କିନ୍ତୁ, ସେ ଫୋନ୍ ନ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ। ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତି ଏ ଘଟଣା ସମ୍ପର୍କରେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/4ff56993-696f-42a6-a4c7-270b48133726.jpeg)